ଓଡ଼ିଶାଲାଇଭ୍ ବ୍ୟୁରୋ

  • ସରିଲା ବାର୍ଷିକ ବିଶାଳ କୃଷି ପ୍ରଦର୍ଶନୀ କୃଷି ଓଡ଼ିଶା-୨୦୨୪
  • “ଗ୍ରାମାଞ୍ଚଳରେ ବିକାଶ ହେଲେ ଦେଶର ବିକାଶ ହେବ”
  • ବ୍ଲକସ୍ତରରେ କୃଷି ଯନ୍ତ୍ରପାତି ମେଳାର ଆୟୋଜନ କରାଯିବ – ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
  • ମାର୍କେଟିଂ ଓ ପ୍ୟାକେଜିଂ ଉପରେ ଗୁରୁତ୍ଵ ଦେବାକୁ ଏସଏଚଜି ମା’ମାନଙ୍କୁ ରାଜ୍ୟପାଳଙ୍କ ପରାମର୍ଶ

(ଭୁବନେଶ୍ୱର): “ଗ୍ରାମୀଣ ସ୍ତରରେ ବିକାଶ ହେଲେ ଦେଶର ବିକାଶ ହେବ। ମହିଳାଙ୍କ ଯୋଗଦାନ ବିନା ଦେଶର ବିକାଶ ପରିକଳ୍ପନା ଅସମ୍ଭବ। ବର୍ତ୍ତମାନ ଘରଠାରୁ କ୍ଷେତ ପର୍ଯ୍ୟନ୍ତ ମହିଳାମାନଙ୍କ ଅବଦାନ ଅତୁଳନୀୟ”, କୃଷି ଓଡ଼ିଶା ୨୦୨୪ ଉଦଯାପନୀ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ରାଜ୍ୟପାଳ ରଘୁବର ଦାସ।

କୃଷି ଓ କୃଷକ ସଶକ୍ତିକରଣ ବିଭାବ ଏବଂ ଫିକିର ମିଳିତ ସହଯୋଗରେ ଭୁବନେଶ୍ଵର ଜନତା ମଇଦାନଠାରେ ଜାନୁଆରି ୧୨ ତାରିଖରୁ ଆରମ୍ଭ ହୋଇଥିବା ବାର୍ଷିକ ବିଶାଳ କୃଷି ପ୍ରଦର୍ଶନୀ କୃଷି ଓଡ଼ିଶା ୨୦୨୪ ରବିବାର ଦିନ ଉଦଯାପିତ ହୋଇଯାଇଛି। କୃଷି କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନକୁ ସମ୍ମାନ ଜଣାଇ ଚଳିତ ବର୍ଷ କୃଷି ଓଡ଼ିଶାର ଥିମ୍ ରହିଥିଲା ‘କୃଷି ପ୍ରଗତିରେ ମହିଳା’।

ଉଦଯାପନୀ ସମାରୋହରେ ରାଜ୍ୟପାଳ ରଘୁବର ଦାସ ମହିଳା ଚାଷୀମାନଙ୍କୁ ଆଧୁନିକ ଯନ୍ତ୍ରପାତି ଓ ନୂତନ ଜ୍ଞାନକୌଶଳର ବ୍ୟବହାର କରିବାକୁ ଆହ୍ୱାନ କରିଥିଲେ। ନିଜ ଉତ୍ପାଦର ଭଲ ପ୍ୟାକେଜିଂ କରିବା ସହ ଏହାର ମାର୍କେଟିଂ ଉପରେ ଧ୍ୟାନ ଦେବାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

ରାଜ୍ୟପାଳ ଆହୁରି କହିଥିଲେ, “ରାଜ୍ୟରେ ମହିଳାମାନେ ବିଭିନ୍ନ କ୍ଷେତ୍ରକୁ ଓହ୍ଲାଇଛନ୍ତି। ରୋଷେଇ ଘରୁ ଚାଷ ଜମି ପର୍ଯ୍ୟନ୍ତ ନିଜର ଦକ୍ଷତା ପ୍ରଦର୍ଶନ କରୁଛନ୍ତି ମହିଳା। ବର୍ତ୍ତମାନ କୃଷି କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଉତ୍ପାଦନରେ ବୃଦ୍ଧି ହେଉଛି। କୃଷି କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ଓଡ଼ିଶା କ୍ରମାଗତ ଭାବେ କୃଷି କର୍ମଣ ପୁରସ୍କାର ପାଇଆସୁଛି। କୃଷି କ୍ଷେତ୍ରକୁ ମହିଳା ଚାଷୀମାନଙ୍କର ମଧ୍ୟ ବିଶେଷ ଅବଦାନ ରହିଛି।”

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, ଆଗାମୀ ଦିନରେ କୃଷି ଯନ୍ତ୍ରପାତି ମେଳା ବ୍ଲକସ୍ତରରେ ଆୟୋଜନ କରିବାକୁ ଲକ୍ଷ୍ୟ ରହିଛି। ଜିଲ୍ଲା ସ୍ତରରେ ଆୟୋଜନ କରାଯାଉଥିବା କୃଷି ମେଳା ବେଶ ସଫଳ ହେଉଛି। ବିଭିନ୍ନ କୃଷି ମେଳାରେ ପ୍ରାୟ ୧,୪୦୦ କୋଟି ଟଙ୍କା ମୂଲ୍ୟର କୃଷି ଯନ୍ତ୍ରପାତି ବିକ୍ରିୟ ହୋଇଥିବାବେଳେ ୫୦୦ କୋଟି ଟଙ୍କାର ସବସିଡି ଦିଆଯାଇଛି। କୃଷ କ୍ଷେତ୍ରର ବିକାଶ ଏବଂ ଚାଷୀମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଇଆସୁଥିବା ସେ କହିଥିଲେ।

ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଉଦଯାପନୀ ସମାରୋହରେ ଯୋଗ ଦେଇ କହିଥିଲେ, “ଜଳ ବିନା ଚାଷ କାର୍ଯ୍ୟ ଅସମ୍ଭବ। ତେଣୁ ଜଳସମ୍ପଦ ବିଭାଗ ଓ କୃଷି ବିଭାଗ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ସରକାର ମହିଳାମାନଙ୍କ ବିକାଶକୁ ପ୍ରାଥମିକତା ଦେଇ ବିଭିନ୍ନ ଯୋଜନା ଆଣୁଛନ୍ତି। ପ୍ରତିଟି କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନକୁ ସୁନିଶ୍ଚିତ କରିବା ଲାଗି ପ୍ରୟାସ କରାଯାଉଛି।”

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସ୍ୱାଗତ ଭାଷଣ ଦେଇ କହିଥିଲେ, କୃଷି କ୍ଷେତ୍ରର ରୂପାନ୍ତରଣ ପାଇଁ ମହିଳାମାନଙ୍କର ଯୋଗଦାନ ଅତ୍ୟନ୍ତ ଜରୁରୀ। ସେମାନଙ୍କ ଯୋଗଦାନ ବିନା କୃଷି କ୍ଷେତ୍ରରେ ଆଖି ଦୃଶିଆ ପ୍ରଗତି ଅସମ୍ଭବ ବୋଲି ସେ କହିଥିଲେ।

‘କୃଷି ପ୍ରଗତିରେ ମହିଳା’ ଥିମକୁ ନେଇ ଆୟୋଜିତ ହୋଇଥିବା ବାର୍ଷିକ ବିଶାଳ କୃଷି ପ୍ରଦର୍ଶନୀ ‘କୃଷି ଓଡ଼ିଶା-୨୦୨୪’ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୫,୦୦୦ ମହିଳା ଚାଷୀ, ୨,୦୦୦ ଏସଏଚଜି ମହିଳା, କୃଷି ଉଦ୍ୟୋଗୀ ତଥା କୃଷି ବିଶେଷଜ୍ଞ ଓ ଅନ୍ୟ ଅଂଶୀଦାରମାନେ ସାମିଲ ହୋଇଥିଲେ।

Tags: #KrushiOdisha2024 #CelebratingWomenInAgriculture #CMOdisha #NaveenPatnaik

Comment