ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଜନ ସଞ୍ଚାର ସଂସ୍ଥାନରେ (ଆଇଆଇଏମସି) ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୪-୨୫ ଶିକ୍ଷାବର୍ଷରେ ହିନ୍ଦୀ ଓ ଇଂରାଜୀ ସମେତ ଓଡ଼ିଆ, ଉର୍ଦ୍ଦୁ, ମରାଠୀ ଓ ମାଲାୟଲମ ଭାଷାରେ ସାମ୍ବାଦିକତା ପାଠ୍ୟକ୍ରମ ପାଇଁ ଏହି ନାମଲେଖା ହେବ।

ହିନ୍ଦୀ ଓ ଇଂରାଜୀ ସାମ୍ବାଦିକତାରେ ନାମଲେଖା ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଜାନୁଆରି ୨୪ ତାରିଖ ସୁଦ୍ଧା ଅନଲାଇନରେ ଆବେଦନ କରିପାରିବେ। ଏଥିପାଇଁ ପାଠ୍ୟକ୍ରମରେ ନାମଲେଖାର ସୂଚନା ପୁସ୍ତିକା ଓ ଅନଲାଇନ୍‍ ଆବେଦନ ଫର୍ମ https://pgcuet.samarth.ac.in/ରେ ଉପଲବ୍ଧ ଅଛି।

ଇଂରାଜୀ ସାମ୍ବାଦିକତାରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଆଇଆଇଏମସିର ନୂଆଦିଲ୍ଲୀ, ଢେଙ୍କାନାଳ, ଆଇଜ୍ଵଲ୍, ଅମରାବତୀ, କୋଟ୍ଟାୟମ୍‍ ଓ ଜମ୍ମୁ କ୍ୟାମ୍ପସରେ ନାମଲେଖା ହେବ। ସେହିପରି ଆଇଆଇଏମସି ନୂଆଦିଲ୍ଲୀ, ଆଇଆଇଏମସି ଜମ୍ମୁ ଓ ଆଇଆଇଏମସି ଅମରାବତୀରେ ହିନ୍ଦୀ ସାମ୍ବାଦିକତାରେ ନାମଲେଖା ହେବ।     

ଅନ୍ୟପଟେ ଓଡ଼ିଆ, ଉର୍ଦ୍ଦୁ, ମରାଠୀ ଓ ମାଲାୟଲମ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ଫର୍ମ ଖୁବଶୀଘ୍ର ଆଇଆଇଏମସିର ୱେବ୍‍ସାଇଟରେ ଉପଲବ୍ଧ ହେବ। ଏନେଇ ସଂସ୍ଥାନ ପକ୍ଷରୁ ସୂଚନା ଦିଆଯାଇଛି।

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୨୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ସେମାନେ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ

“ଭାରତରେ ଆଇଆଇଏମସିର ବିଭିନ୍ନ କ୍ୟାମ୍ପସରେ ୨୦୨୪-୨୫ ଶିକ୍ଷାବର୍ଷରେ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆଗକୁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ସ୍ନାତକ ପାସ କରିଥିବା ଛାତ୍ରଛାତ୍ରୀଙ୍କ ସହ ସ୍ନାତକ ଶେଷ ବର୍ଷର ଶିକ୍ଷାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ। ନାମଲେଖା ପାଇଁ ଚୟନ ହେଲେ ସେମାନଙ୍କୁ ୨୦୨୪ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବିଶ୍ୱବିଦ୍ୟାଳୟ ବା ମହାବିଦ୍ୟାଳୟରୁ ପ୍ରୋଭିଜିନାଲ୍‍ ସାର୍ଟିଫିକେଟ୍‍ ଦାଖଲ କରିବାକୁ ପଡ଼ିବ”, କହିଛନ୍ତି ଆଇଆଇଏମସିର ଆଡ୍‍ମିଶନ ଇନ୍‍ଚାର୍ଜ ପ୍ରଫେସର ରାକେଶ କୁମାର ଗୋସ୍ୱାମୀ।

ଅନ୍ୟପଟେ ଆଇଆଇଏମସିର ଢେଙ୍କାନାଳ କ୍ୟାମ୍ପସରେ ଓଡ଼ିଆ ସାମ୍ବାଦିକତା, ନୂଆଦିଲ୍ଲୀ କ୍ୟାମ୍ପସରେ ଉର୍ଦ୍ଦୁ ସାମ୍ବାଦିକତା, କୋଟ୍ଟାୟମ୍‍ କ୍ୟାମ୍ପସରେ ମାଲାୟଲମ୍‍ ସାମ୍ବାଦିକତା ଓ ଅମରାବତୀ କ୍ୟାମ୍ପସରେ ମରାଠୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ଏସବୁ ପାଠ୍ୟକ୍ରମରେ ନାମଲେଖା ପାଇଁ ଶୀଘ୍ର ଆବେଦନ ଆରମ୍ଭ ହେବ।

ଓଡ଼ିଶାର ଢେଙ୍କାନାଳରେ ୧୯୯୩ ମସିହାରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନର (ଆଇଆଇଏମସି) ଶାଖା ଖୋଲିଥିଲା। ସେହିଦିନଠାରୁ ଢେଙ୍କାନାଳ କ୍ୟାମ୍ପସରେ ଇଂରାଜୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ସେହିପରି ୨୦୦୧-୦୨ ଶିକ୍ଷାବର୍ଷଠାରୁ ଏଠାରେ ପ୍ରଥମ ଆଞ୍ଚଳିକ ଭାଷା ଭାବେ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ଦିଆହୋଇ ଆସୁଛି।

ଆଇଆଇଏମସି ଢେଙ୍କାନାଳରେ ବିଭିନ୍ନ ସମୟରେ ସୂଚନା ସେବା ଅଧିକାରୀ ଓ ଲୋକସମ୍ପର୍କ ଅଧିକାରୀଙ୍କ ପାଇଁ ମଧ୍ୟ ତାଲିମ୍‍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଦେଶର ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ଏହି ଅନୁଷ୍ଠାନର ଏକ ଉଲ୍ଲେଖନୀୟ ଭୂମିକା ରହିଛି।

Tags: #IIMC #Journalism&MassCommunication #Admission #EntranceExam #Education #Dhenkanal

Comment