ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରୀ ବଙ୍ଗଳା ଖାଲି କଲେ ଟିଏମସି ନେତା ମହୁଆ ମୋଇତ୍ରା। ବଙ୍ଗଳା ଖାଲି କରିବାକୁ ନେଇ ହାଇକୋର୍ଟରେ ମହୁଆଙ୍କ ଆବେଦନ ଖାରଜ ହେବା ପରେ ଶୁକ୍ରବାର ଦିନ ସେ ବଙ୍ଗଳା ଖାଲି କରିଛନ୍ତି। ଇଷ୍ଟେଟ ନିର୍ଦେଶାଳୟର ଏକ ଟିମ୍ ବଙ୍ଗଳା ଖାଲି କରିଥିବା ଜଣାପଡ଼ିଛି।

ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ୨୦୨୩ ଡିସେମ୍ବର ୮ ତାରିଖରେ ମହୁଆ ମୋଇତ୍ରାଙ୍କୁ ଏଥିକ୍ସ କମିଟି ସୁପାରିଶ କ୍ରମେ ବହିଷ୍କାର କରାଯାଇଥିଲା। ଏହା ପରେ ଜାନୁଆରି ୭ ତାରିଖ ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବାକୁ ମହୁଆଙ୍କୁ ନୋଟିସ କରାଯାଇଥିଲା। ନୋଟିସ ପରେ ମଧ୍ୟ ବଙ୍ଗଳା ଛାଡ଼ି ନଥିଲେ ମହୁଆ।

ଇଷ୍ଟେଟ ନିର୍ଦେଶାଳୟ ପକ୍ଷରୁ ଦ୍ଵିତୀୟ ଥର ପାଇଁ ନୋଟିସ ଜାରି କରାଯାଇ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ଇଷ୍ଟେଟ ନିର୍ଦେଶାଳୟର ନୋଟିସକୁ ଚ୍ୟାଲେଞ୍ଜ କରି ମହୁଆ ମୋଇତ୍ରା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଥିଲେ। ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ ମହୁଆଙ୍କ ଆବେଦନ ଉପରେ ବିଚାର କରି ଏହାକୁ ଖାରଜ କରିଥିଲେ। ଏହା ସହିତ ସରକାରୀ ବଙ୍ଗଳା ଖାଲି କରିବାକୁ ମହୁଆ ମୋଇତ୍ରାଙ୍କୁ ନିର୍ଦେଶ ଦେଇଥିଲେ।

ବ୍ୟବସାୟୀ ଗୌତମ ଆଦାନୀ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ଟିଏମସି ସାଂସଦ ମହୁଆ ମୋଇତ୍ରା ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ଟଙ୍କା ନେଇଥିଲେ। ଏଥିପାଇଁ ମହୁଆ ମୋଇତ୍ରା ନିଜ ସାଂସଦ ଆକାଉଣ୍ଟର ଲଗଇନ ଆଇଡି ଏବଂ ପାସଓ୍ଵାର୍ଡ ହୀରାନନ୍ଦାନୀଙ୍କୁ ଦେବା ସହ ତାଙ୍କଠାରୁ ନଗଦ ଟଙ୍କା ଏବଂ ଦାମୀ ଉପହାର ନେଇଥିବା ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗ ଆଧାରରେ ଏଥିକ୍ସ କମିଟି ମହୁଆଙ୍କୁ ଜେରା କରିବାକୁ ନୋଟିସ୍ କରିଥିଲେ। କିନ୍ତୁ ଏଥିକ୍ସ କମିଟିକୁ ସହଯୋଗ କରିନଥିଲେ ମହୁଆ।

ମହୁଆଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କରିଥିବା ସଂସଦୀୟ ଏଥିକ୍ସ କମିଟିର ରିପୋର୍ଟକୁ ଲୋକସଭାରେ ଉପସ୍ଥାପନ କରାଯାଇଥିଲା। ଏଥିରେ ମହୁଆଙ୍କ କାର୍ଯ୍ୟକଳାପ ଅଗ୍ରହଣୀୟ ତଥା ଅନୈତିକ ହୋଇଥିବା ଦର୍ଶାଯାଇଥିଲା। ଏହି ମାମଲାର ନ୍ୟାୟିକ ତଦନ୍ତ କରିବା ସହ ମହୁଆଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ ହୋଇଥିଲା।

ଲୋକସଭାରେ ଏହି ରିପୋର୍ଟ ଉପସ୍ଥାପନ ବେଳେ ବିରୋଧୀ ସାଂସଦମାନେ ହଟ୍ଟଗୋଳ କରିଥିଲେ। ସେମାନେ ମହୁଆଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ ବୋଲି ଦାବି କରିଥିଲେ ମଧ୍ୟ ବାଚସ୍ପତି ଏହାକୁ ଗ୍ରହଣ କରିନଥିଲେ। ଏହାପରେ ଲୋକସଭାରେ ଭୋଟିଂ କରାଯାଇ ମହୁଆଙ୍କ ସଦସ୍ୟତା ରଦ୍ଦ କରାଯାଇଥିଲା।

Tags: #MahuaMoitra #CashforQuery #ParliamentEthicsCommittee #TMCLeader

LEAVE A REPLY

Please enter your comment!
Please enter your name here