ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭାରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସଦସ୍ୟତା ରଦ୍ଦ ହୋଇଛି। ଏହି ମାମଲାରେ ସଂସଦୀୟ ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ଶୁକ୍ରବାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମହୁଆ ମୈତ୍ର ଲୋକସଭାରେ ପ୍ରଶ୍ନ ପଚାରିବା ପାଇଁ ଆର୍ଥିକ କାରବାର କରୁଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ମହୁଆଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କରିଥିବା ସଂସଦୀୟ ଏଥିକ୍ସ କମିଟିର ରିପୋର୍ଟକୁ ଶୁକ୍ରବାର ଲୋକସଭାରେ ଉପସ୍ଥାପନ କରାଯାଇଥିଲା। ଏଥିରେ ମହୁଆଙ୍କ କାର୍ଯ୍ୟକଳାପ ଅଗ୍ରହଣୀୟ ତଥା ଅନୈତିକ ହୋଇଥିବା ଦର୍ଶାଯାଇଛି। ଏହାସହ ରିପୋର୍ଟରେ ମାମଲାର ନ୍ୟାୟିକ ତଦନ୍ତ ସହ ତାଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ ହୋଇଥିଲା।

ଲୋକସଭାରେ ଏହି ରିପୋର୍ଟ ଉପସ୍ଥାପନ ବେଳେ ବିରୋଧୀ ସାଂସଦମାନେ ହଟ୍ଟଗୋଳ କରିଥିଲେ। ସେମାନେ ମହୁଆଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ ବୋଲି ଦାବି କରିଥିଲେ ମଧ୍ୟ ବାଚସ୍ପତି ଏହାକୁ ଗ୍ରହଣ କରିନଥିଲେ। ଏହାପରେ ଲୋକସଭାରେ ଭୋଟିଂ କରାଯାଇ ମହୁଆଙ୍କ ସଦସ୍ୟତା ରଦ୍ଦ କରାଯାଇଥିଲା।

ମହୁଆ ମୈତ୍ର ଲୋକସଭାରୁ ବହିଷ୍କୃତ ହେବା ପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ତାଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା ସେ କହିବା ସହ ମାମଲାର ବିଚାର କରିବାବେଳେ ସଂସଦର ସବୁ ନିୟମ ଉଲ୍ଲଂଘନ ହୋଇଥିବା ସେ ଅଭିଯୋଗ କରିଛନ୍ତି। ରାଜନୈତିକ ଆକ୍ରୋଶ ରଖି କେନ୍ଦ୍ର ସରକାର ତାଙ୍କୁ ବହିଷ୍କାର କରିଥିବା ମହୁଆ କହିଛନ୍ତି।

ମହୁଆଙ୍କ ବିରୋଧରେ ଲୋକସଭାରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବା ପ୍ରଶ୍ନ ପଚାରିବା ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ନଗଦ ୨କୋଟି ଟଙ୍କା ଓ ବିଳାସପୂର୍ଣ୍ଣ ଉପହାର ସାମଗ୍ରୀ ସମେତ ଅନ୍ୟାନ୍ୟ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି।

ଏନେଇ ମହୁଆଙ୍କ ପୂର୍ବତନ ବନ୍ଧୁ ଜୟ ଅନନ୍ତ ଦେହାଦ୍ରାଇ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏହାସହ ମହୁଆ ନିଜର ସଂସଦୀୟ ୱେବସାଇଟ ଆକାଉଣ୍ଟର ଆଇଡି ଅନ୍ୟ ଲୋକଙ୍କ ସହ ସେୟାର କରିଥିବା ସେ କହିଥିଲେ। ଏହାପରେ ମହୁଆଙ୍କ ବିରୋଧରେ ତଦନ୍ତ ପାଇଁ ଏଥିକ୍ସ କମିଟି ଗଠନ କରାଯାଇଥିଲା।

Tags: #MahuaMoitra #CashforQuery #ParliamentEthicsCommitte #MP #Loksabha #TMC

LEAVE A REPLY

Please enter your comment!
Please enter your name here