ଓଡ଼ିଶାଲାଇଭ୍ ବ୍ୟୁରୋ

ବଢ଼ିବାକୁ ଲାଗିଛି ଟିଏମସି ନେତା ମହୁଆ ମୋଇତ୍ରାଙ୍କ ଅଡ଼ୁଆ। ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ମହୁଆଙ୍କୁ ପୁଣି ନୋଟିସ୍ ଜାରି କରାଯାଇଛି। ଲୋକସଭାରୁ ବହିଷ୍କାର ହେବା ପରେ ସରକାରୀ ବଙ୍ଗଳା ଖାଲି କରିବାକୁ ଏହା ପୂର୍ବରୁ ମହୁଆ ମୋଇତ୍ରାଙ୍କୁ ଗତ ବର୍ଷ ଡିସେମ୍ବର ୧୨ ତାରିଖରେ ନୋଟିସ୍ ଜାରି କରାଯାଇ ୩୦ ଦିନ ମଧ୍ୟରେ ଘର ଖାଲି କରିବାକୁ ନିର୍ଦେଶ ଦିଆଯାଇଥିଲା।

ମହୁଆ ଯଦି ତୁରନ୍ତ ସରକାରୀ ବଙ୍ଗଳା ଖାଲି ନକରନ୍ତି, ତେବେ ଜୋର ଜବରଦସ୍ତ ତାଙ୍କୁ ଘରୁ ବାହାର କରାଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ କରାଯାଇଛି।

ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଡିସେମ୍ବର ୮ ତାରିଖରେ ମହୁଆ ମୋଇତ୍ରାଙ୍କୁ ଏଥିକ୍ସ କମିଟି ସୁପାରିଶ କ୍ରମେ ବହିଷ୍କାର କରାଯାଇଥିଲା।

ବ୍ୟବସାୟୀ ଗୌତମ ଆଦାନୀ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ଟିଏମସି ସାଂସଦ ମହୁଆ ମୋଇତ୍ରା ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ଟଙ୍କା ନେଇଥିଲେ। ଏଥିପାଇଁ ମହୁଆ ମୈତ୍ର ନିଜ ସାଂସଦ ଆକାଉଣ୍ଟର ଲଗଇନ ଆଇଡି ଏବଂ ପାସଓ୍ଵାର୍ଡ ହୀରାନନ୍ଦାନୀଙ୍କୁ ଦେବା ସହ ତାଙ୍କଠାରୁ ନଗଦ ଟଙ୍କା ଏବଂ ଦାମୀ ଉପହାର ନେଇଥିବା ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗ ଆଧାରରେ ଏଥିକ୍ସ କମିଟି ମହୁଆଙ୍କୁ ଜେରା କରିବାକୁ ନୋଟିସ୍ କରିଥିଲେ। କିନ୍ତୁ ଏଥିକ୍ସ କମିଟିକୁ ସହଯୋଗ କରିନଥିଲେ ମହୁଆ।

ମହୁଆଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କରିଥିବା ସଂସଦୀୟ ଏଥିକ୍ସ କମିଟିର ରିପୋର୍ଟକୁ ଶୁକ୍ରବାର ଦିନ ଲୋକସଭାରେ ଉପସ୍ଥାପନ କରାଯାଇଥିଲା। ଏଥିରେ ମହୁଆଙ୍କ କାର୍ଯ୍ୟକଳାପ ଅଗ୍ରହଣୀୟ ତଥା ଅନୈତିକ ହୋଇଥିବା ଦର୍ଶାଯାଇଥିଲା। ଏହି ମାମଲାର ନ୍ୟାୟିକ ତଦନ୍ତ କରିବା ସହ ମହୁଆଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ ହୋଇଥିଲା।

ଲୋକସଭାରେ ଏହି ରିପୋର୍ଟ ଉପସ୍ଥାପନ ବେଳେ ବିରୋଧୀ ସାଂସଦମାନେ ହଟ୍ଟଗୋଳ କରିଥିଲେ। ସେମାନେ ମହୁଆଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ ବୋଲି ଦାବି କରିଥିଲେ ମଧ୍ୟ ବାଚସ୍ପତି ଏହାକୁ ଗ୍ରହଣ କରିନଥିଲେ। ଏହାପରେ ଲୋକସଭାରେ ଭୋଟିଂ କରାଯାଇ ମହୁଆଙ୍କ ସଦସ୍ୟତା ରଦ୍ଦ କରାଯାଇଥିଲା।

Tags: #MahuaMoitra #CashforQuery #ParliamentEthicsCommittee #TMCLeader

Comment