ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ ଏକ ସାମ୍ମୁଖ୍ୟ ତିଆରି କରିବା ପାଇଁ ଉଦ୍ୟମ ଚାଲିଛି। ଏହି ଉଦ୍ୟମର ନେତୃତ୍ୱ ନେଉଛନ୍ତି ମମତା ବାନାର୍ଜୀ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟପରେ ଏବେ ରାଷ୍ଟ୍ରୀୟ ରାଜନୀତି ପ୍ରତି ଇଚ୍ଛା ପ୍ରକାଶ କରିଛନ୍ତି ମମତା।

ତୃତୀୟଥର ମୁଖ୍ୟମନ୍ତ୍ରୀ ହେବା ପରେ ଜୁଲାଇ ୨୫ତାରିଖରେ ସେ ପ୍ରଥମଥର ପାଇଁ ଦିଲ୍ଲୀ ଗସ୍ତ କରିବେ। ଏହି ଗସ୍ତ ସମୟରେ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ତମାମ୍ ବିରୋଧୀଦଳ ନେତାଙ୍କୁ ଭେଟି ୨୦୨୪ ମସିହାରେ ହେବାକୁଥିବା ସାଧାରଣ ନିର୍ବାଚନ ଉପରେ ଆଲୋଚନା କରିପାରନ୍ତି ବୋଲି ଆକଳନ କରାଯାଉଛି। ମମତାଙ୍କ ଦିଲ୍ଲୀ ଗସ୍ତ ସୂଚନା ପାଇବାପରେ ଜାତୀୟ ରାଜନୀତି ବେଶ ସରଗରମ ହେବାରେ ଲାଗିଛି।ଦିଲ୍ଲୀ ଗସ୍ତବେଳେ ମମତା ବାନାର୍ଜୀ ସୋନିଆ ଗାନ୍ଧୀଙ୍କ ବ୍ୟତୀତ ଏନସିପି ମୁଖ୍ୟ ଶରଦ ପାୱାର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ  ଅନ୍ୟ କିଛି ବିରୋଧୀଦଳର ନେତାଙ୍କୁ ବି ଭେଟିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ମମତା ବାନାର୍ଜୀ ଯେଉଁ ସମୟରେ ଦିଲ୍ଲୀ ଗସ୍ତ କରିବେ ସେତେବେଳେ ସଂସଦରେ ମୌସୁମୀ ଅଧିବେଶନ ଚାଲିଥିବ। ଏହି ସମୟରେ କଂଗ୍ରେସ ସହ ମିଶି କୋଭିଡ-୧୯ ପରିଚାଳନାରେ  ବିଫଳତା, ମୂଲ୍ୟ ବୃଦ୍ଧି ସହିତ ଅନେକ ସମସ୍ୟା ଉପରେ ମୋଦୀ ସରକାରଙ୍କୁ ଘେରିବାକୁ ଯୋଜନା କରିପାରନ୍ତି।

ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ବିରୋଧୀମାନେ ଏକାଠି ହୋଇ ଗୃହ ପାଇଁ ରଣନୀତି ପ୍ରସ୍ତୁତ କରିଥାନ୍ତି। କୋଭିଡ ମହାମାରୀ ପାଇଁ ଚଳିତ ଅଧିବେଶନ ପୂର୍ବରୁ ବିରୋଧୀଦଳ ରଣନୀତି ପ୍ରସ୍ତୁତ କରିପାରିନାହାନ୍ତି। ବିଜେପି ବିରୁଦ୍ଧରେ ଏହି ଫ୍ରଣ୍ଟ ଗଠନ ଉଦ୍ୟମ ଗତ ମାସରୁ ଆରମ୍ଭ ହୋଇଥିଲା ଯେତେବେଳେ ଏନସିପି ସଭାପତି ଶରଦ ପାୱାରଙ୍କ ଘରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ବ୍ୟତୀତ ଯଶୋବନ୍ତ ସିହ୍ନା ମଧ୍ୟ ଉପସ୍ଥିତ ଥିଲେ। ମୋଦୀଙ୍କ ବିରୋଧୀ ହେଉଛନ୍ତି ସିହ୍ନା।ରାଜନୈତିକ କୌଶଳ ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ମଧ୍ୟ ସବୁ ବିରୋଧୀ ଦଳକୁ ଏକାଠି କରିବା ପାଇଁ ଅଣ୍ଟା ଭିଡ଼ିଥିବା ବିଷୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ବିଜେପି ବିରୁଦ୍ଧରେ ବିରୋଧୀ ଦଳର ଏହି ମେଣ୍ଟ କେତେଦୂର ସଫଳ ହେବ ତାହା ସମୟ ହିଁ କହିବ।

Comment