ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ପୁଣି ମାଓବାଦୀ କ୍ୟାମ୍ପ ଧ୍ଵଂସ କରିଛନ୍ତି ଏସଓଜି ଯବାନ। କ୍ୟାମ୍ପ ଧ୍ୱଂସ କରିବା ପରେ ସେଠାରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରାଯାଇଛି।

ସୋମବାର ସନ୍ଧ୍ୟାରେ ମନମୁଣ୍ଡା ଥାନା ଅନ୍ତର୍ଗତ ନଳୀକୁମ୍ପା ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇ କମ୍ବିଂ ଅପରେସନ କରାଯାଇଥିଲା। ଏହି ସମୟରେ ଏସଓଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ଗୁଳି ବିନିମୟ ଚାଲିବା ପରେ ଯାବାନଙ୍କ ଆକ୍ରମଣରେ ଛତ୍ରଭଙ୍ଗ ଦେଇଥିଲେ ୪୦ରୁ ଊର୍ଦ୍ଧ୍ଵ ମାଓବାଦୀ।

ପରେ ଯବାନମାନେ ନଳୀକୁମ୍ପା ଜଙ୍ଗଲରେ ଥିବା ମାଓବାଦୀଙ୍କର ଗୋଟିଏ କ୍ୟାମ୍ପକୁ ନଷ୍ଟ କରିଥିଲେ। ସେଠାରୁ ଗୋଟିଏ ବନ୍ଧୁକ, ୭ଟି ଲ୍ୟାଣ୍ଡମାଇନ, ବୋମା, ବିସ୍ଫୋରକ ସାମଗ୍ରୀ ଓ ବହୁ ମାଓବାଦୀ ସାମଗ୍ରୀ ଜବତ କରାଯାଇଛି। ଗତ ୨୦୨୩ ମସିହା ଡିସେମ୍ବର ମାସରେ ନଳୀକୁମ୍ପା ଜଙ୍ଗଲରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହା ସହ ମାଓବାଦୀଙ୍କ କ୍ୟାମ୍ପ ଧ୍ଵଂସ କରି ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରାଯାଇଥିଲା।

Tags: #Boudh #NalikumpaForest #BoudhKandhamalBorder #MaoistCampBusted

Comment