ଓଡ଼ିଶାଲାଇଭ୍ ବ୍ୟୁରୋ

  • ଫେବ୍ରୁଆରି ୩ରୁ ଆରମ୍ଭ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪
  • ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ସମୁହ ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ସରକାରଙ୍କ ଅପିଲ

(ଭୁବନେଶ୍ୱର): ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ଫେବ୍ରୁଆରି ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଭୁବନେଶ୍ଵରସ୍ଥିତ ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜିତ ହେବାକୁ ଯାଉଛି। ଏହି ବିଶ୍ଵସ୍ତରୀୟ ସମ୍ମିଳନୀକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଐତିହାସିକ ଦିନକୁ ସ୍ମରଣୀୟ କରିବା ପାଇଁ ଉଦଘାଟନୀ ଦିନ ୧୧ଟା ୩୦ ମିନିଟରେ ରାଜ୍ୟ ତଥା ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ଏକକାଳୀନ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅପିଲ କରାଯାଇଛି।

ଏହି ସମ୍ମିଳନୀରେ ପ୍ରଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମାନ ପ୍ରଦାନ କରାଯିବ। ଏହି ଅବସରରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବିଦ୍ୱାନ ପଦ୍ମଶ୍ରୀ ପ୍ରଫେସର ହରମାନ କୁଲ୍‌କେ, ପ୍ରଫେସର ଉୱେ ସ୍କୋଡା, ପ୍ରଫେସର ଆର୍ଲୋ ଗ୍ରିଫିଥ୍‌ସ୍, ପ୍ରଫେସର ଆଣ୍ଟେ ସ୍କିମଡିଚେନ ଏବଂ ଜାତୀୟସ୍ତରର ଅନେକ ବିଦ୍ୱାନ ଯୋଗ ଦେବେ।

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ପୂର୍ବରୁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ଏହାର ରୂପରେଖ, ଉଦ୍ଦେଶ୍ୟ ଏବଂ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ଆର କାର୍ତ୍ତିକେୟନ, ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାୟ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ପ୍ରମୁଖ ଯୋଗ ଦେଇ ଏହି ବିଶ୍ଵସ୍ତରୀୟ ସମ୍ମିଳନୀକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

ଏହି ବିଶ୍ଵସ୍ତରୀୟ ସମ୍ମିଳନୀକୁ ସଫଳ କରିବା ପାଇଁ ରାଜ୍ୟ ଭିତରେ ଏବଂ ବାହାରେ ରହୁଥିବା ସମସ୍ତ ଓଡ଼ିଆ ଭାଇଭଉଣୀ ଏଥିରେ ସହଯୋଗ କରିବା ଲାଗି ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ଅନୁରୋଧ କରିଛନ୍ତି।

ଓଡ଼ିଆ ଭାଷା ଗବେଷଣା ଉପରେ ଜୀବନବ୍ୟାପୀ ସାଧନା ନିମନ୍ତେ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମାନ। ସେହିପରି ଜ୍ଞାନପୀଠ ପୁରସ୍କାର ବିଜେତା, ପଦ୍ମ ପୁରସ୍କାର ବିଜେତା, ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତି, କବୀର ସମ୍ମାନ ପୁରସ୍କାର ପ୍ରାପ୍ତ, ରାଜ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ବିଜେତାମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯିବ।

ଏହି ବିଶ୍ଵସ୍ତରୀୟ ସମ୍ମିଳନୀରେ ଓଡ଼ିଶାର ଗୌରବମୟ ଅତୀତ ଓ ପରିବର୍ତ୍ତନଶୀଳ ବର୍ତ୍ତମାନ ଏବଂ ପ୍ରେରଣାଦାୟୀ ଭବିଷ୍ୟତର ଏକ ସୁସଜ୍ଜିତ ପ୍ରଦର୍ଶନୀ କରାଯିବ। ଏହି ପ୍ରଦର୍ଶନୀ ତିନୋଟି ବିସ୍ତୃତ ବିଷୟ ଏବଂ ସମୟ ସୀମା ଉପରେ ଆୟୋଜିତ ହେବ। ଏଗୁଡ଼ିକ ହେଲା ପ୍ରାଚୀନ, ମଧ୍ୟ ଏବଂ ଆଧୁନିକ।

ଏହି ପ୍ରଦର୍ଶନୀରେ ଓଡ଼ିଆ ଭାଷା ଏବଂ ଲିପିର ଉତ୍ପତ୍ତି ଓ ବିବର୍ତ୍ତନ, ପ୍ରାଚୀନ ପ୍ରସ୍ତର ଅଭିଲେଖ, ତାମ୍ରଫଳକ, ତାଳପତ୍ର ପୋଥି, କଳିଙ୍ଗାଶୈଳୀର ମନ୍ଦିର ସ୍ଥାପତ୍ୟ, ଓଡ଼ିଶାର ନୌବାଣିଜ୍ୟ ସମ୍ପର୍କିତ କଳାକୃତିଗୁଡ଼ିକ ସୁଦୃଶ୍ୟ ଚିତ୍ରପଟ୍ଟ ମାଧ୍ୟମରେ ପ୍ରଦର୍ଶିତ ହେବ।

ଏଥିରେ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ନବଜାଗରଣ ପ୍ରଦର୍ଶିତ ହେବ। ଓଡ଼ିଶାର କଳା ଏବଂ ଭାସ୍କର୍ଯ୍ୟ, ନୃତ୍ୟ ଏବଂ ସଙ୍ଗୀତ ପରମ୍ପରାଗୁଡ଼ିକ ପ୍ରଦର୍ଶିତ ହେବ। ପ୍ରିଣ୍ଟିଂ ପ୍ରେସର ଆଗମନ ଏବଂ ଓଡ଼ିଆ ଭାଷାର ପ୍ରସାରରେ ଏହାର ପ୍ରଭାବ ଉପଯୁକ୍ତ କଳାକୃତି ଏବଂ ଫଟୋ ସହିତ ପ୍ରଦର୍ଶିତ ହେବ। ସମସାମୟିକ ସମ୍ବାଦପତ୍ର, ପତ୍ରପତ୍ରିକା ଏବଂ ଆଧୁନିକ ଚିନ୍ତାନାୟକମାନଙ୍କର ଭାବଧାରା ପ୍ରଦର୍ଶିତ ହେବ।

ଓଡ଼ିଆ ଭାଷା ସମ୍ମିଳନୀ ବୃହତ୍ତର ବିଶ୍ୱ ଆଡ଼କୁ ଓଡ଼ିଆ ଭାଷାର ପ୍ରଗତିକୁ ପ୍ରମାଣ କରିବ। ଏହା ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ ପ୍ରଦର୍ଶନ, ଉଇକିପିଡିଆ ଏବଂ ଓଡ଼ିଆ ଫଣ୍ଟ ସମ୍ପର୍କରେ ଆଲୋକପାତ କରିବ। ଡିଜିଟାଲ୍ ଯୁଗ ଅଭିମୁଖେ ଓଡ଼ିଆ ଭାଷାର ଯାତ୍ରାକୁ ପ୍ରଦର୍ଶିତ କରିବ।

ଆସନ୍ତା ଫେବ୍ରୁଆରି ୪ ତାରିଖରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଏକ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ସ୍କୁଲ ପିଲା ଏବଂ ଯୁବପିଢ଼ିଙ୍କ ମଧ୍ୟରେ ପଠନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମୋବାଇଲ ଲାଇବ୍ରେରି, ବସ୍ ଏବଂ ମୋବାଇଲ୍ ବୁକଆର୍ଟ ମାଧ୍ୟମରେ ‘ଆସ ପଢ଼ିବା’ ର ଏକ ଧାରଣା ପ୍ରଦର୍ଶିତ ହେବ। ଏହି ଅବସରରେ ବିଶିଷ୍ଟ ବ୍ୟକ୍ତି ବିଶେଷମାନଙ୍କର ଓଡ଼ିଆ ଦସ୍ତଖତ ପ୍ରଦର୍ଶିତ ହେବ।

ପ୍ରଦର୍ଶନୀକୁ ପିଲାମାନଙ୍କ ପାଇଁ ଅଧିକ ଚଳଚଞ୍ଚଳ କରିବାକୁ ଡାକ ପ୍ରକୋଷ୍ଠ ଏବଂ ସୂଚନା ଫଳକ ପ୍ରଦର୍ଶିତ ହେବ। ଏକ ପୂର୍ଣ୍ଣାଙ୍ଗ ‘କୋଣାର୍କ ଅଶ୍ୱ’ ପ୍ରତିମୂର୍ତ୍ତିକୁ ପ୍ରତୀକ ଭାବରେ କେନ୍ଦ୍ରୀୟ ସ୍ଥଳରେ ସ୍ଥାନିତ କରାଯିବ। ବୌଦ୍ଧିକ ଅଧିବେଶନ ଏବଂ ସମ୍ମିଳନୀ କାର୍ଯ୍ୟକ୍ରମଗୁଡ଼ିକ ଜୀବନ୍ତ ଭାବରେ ପ୍ରସାରିତ ହେବ।

ଭୁବନେଶ୍ୱରସ୍ଥି କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଅନ୍ତର୍ଜାତୀୟ କବିତା ମହୋତ୍ସବ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହେବ। ରେଭେନ୍ସା ବିଶ୍ୱବିଦ୍ୟାଳୟ ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ର ଏବଂ ଥିଏଟର ମହୋତ୍ସବ ସହିତ ଓଡ଼ିଆ ସିନେମା ଓ ମଞ୍ଚର ଭୂମିକା ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହେବ। ଏହା ବ୍ୟତୀତ ବିଡିଏ ଏବଂ ବିଏମ୍‌ସି ଦ୍ୱାରା ଭୁବନେଶ୍ୱରରେ ଏକାମ୍ର ଉତ୍ସବ ଆୟୋଜିତ ହେବ।

ଏହି ସମ୍ମିଳନୀ ଅବସରରେ ବିଶ୍ୱବିଦ୍ୟାଳୟ, କଲେଜ ଏବଂ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ।

ଓଡ଼ିଆ ଭାଷା ସମ୍ମିଳନୀରେ ସହଭାଗୀ ହେବା ପାଇଁ ଓଡ଼ିଆ ଭାଷା ଏବଂ ସାହିତ୍ୟିକ କାର୍ଯ୍ୟକଳାପରେ ଆଗ୍ରହୀ ଥିବା ସମସ୍ତ ପଞ୍ଚାୟତରେ ଏକ ସ୍ୱତନ୍ତ୍ର ‘ଗ୍ରାମସଭା’ ଆୟୋଜନ କରାଯାଉଛି। ବ୍ଲକସ୍ତରରେ ମଧ୍ୟ ଏହି  କାର୍ଯ୍ୟକ୍ରମଗୁଡ଼ିକ ପରିଚାଳିତ ହେବ।

ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ୱ ତଥା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିଗୁଡ଼ିକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ସମସ୍ତ ବିଭାଗ, ହିତାଧିକାରୀ, ସଙ୍ଗଠନ, ବ୍ୟକ୍ତି ଏବଂ ସ୍ୱେଚ୍ଛାସେବୀଙ୍କୁ ନେଇ ଏହି ସମ୍ମିଳନୀ ଆୟୋଜିତ ହେଉଛି।

Tags: #WorldOdiaLanguageAward # WorldOdiaLanguageAward2024 #Inauguration #CMOdisha #NaveenPatnaik #BiswoOdiaBhashaSammana

Comment