ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭା ପାଇଁ ଦୁଇଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜୁ ଜନତା ଦଳ (ବିଜେଡି)। କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ପୁରୀର ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭାକୁ ପଠାଇବାକୁ ବିଧିବଦ୍ଧ ଘୋଷଣା କରିଛି ଦଳ।

ସୋମବାର ଦିନ ଦୁଇ ନେତାଙ୍କ ନାଁ ଘୋଷଣା ହୋଇଥିବାବେଳେ ମଙ୍ଗଳବାର ସେମାନେ ରାଜ୍ୟସଭା ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ତିନୋଟି ରାଜ୍ୟସଭା ପଦବୀ ଖାଲିହେବାକୁ ଥିବାବେଳେ ବିଜେଡି ଦୁଇଜଣଙ୍କ ନାଁ ଘୋଷଣା କରିଛି। ବର୍ତ୍ତମାନ କାହାକୁ ଦଳ ତୃତୀୟ ପ୍ରାର୍ଥୀ କରିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଫେବ୍ରୁଆରି ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ। ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଫେବ୍ରୁଆରି ୧୫ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଫେବ୍ରୁଆରି ୧୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୦ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ରହିଛି।

ଆସନ୍ତା ଏପ୍ରିଲ ୩ ତାରିଖରେ ଓଡ଼ିଶାର ୩ ଜଣ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ ଅଶ୍ଵିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଖାଲି ହେବାକୁ ଥିବା ଏହି ୩ ଆସନ ଲାଗି ନିର୍ବାଚନ ହେବ। ଏମାନଙ୍କ ସ୍ଥାନରେ ୩ ଜଣ ଯିବେ ରାଜ୍ୟସଭା। ସଂଖ୍ୟା ଦୃଷ୍ଟିରୁ ତିନିଟି ଯାକ ଆସନ ବିଜେଡି ହାତକୁ ଯିବା ନିଶ୍ଚିତ।

Tags: #Politics #OdishaPolitics #Election #RajyasabhaElection #BJD #Odisha

Comment