ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି, ଗୁରୁବାର ଦିନ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଓଡ଼ିଶାରୁ ଦ୍ଵିତୀୟ ଥର ପାଇଁ ଅଶ୍ଵିନୀ ବୈଷ୍ଣବଙ୍କୁ ରାଜ୍ୟସଭା ନିର୍ବାଚନ ଲାଗି ପ୍ରାର୍ଥୀ କରିଛି ବିଜେପି। ଗୁରୁବାର ଦିନ ୧୦ଟାରେ ବିଜେପିର ବରିଷ୍ଠ ନେତାଙ୍କ ସହ ଯାଇ ଅଶ୍ଵିନୀ ବୈଷ୍ଣବ ନଜ ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି।

ଅଶ୍ଵିନୀ ବୈଷ୍ଣବଙ୍କୁ ସମର୍ଥନ ଦେବା ଲାଗି ଘୋଷଣା କରିଛି ବିଜେଡି। ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ସ୍ଵାର୍ଥ ଦୃଷ୍ଟିରୁ ଅଶ୍ଵିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ଵକୁ ସମର୍ଥନ କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ଖାଲି ହେବାକୁ ଥିବା ୩ଟି ରାଜ୍ୟସଭା ଆସନ ପାଇଁ କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ପୁରୀର ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆ ମଙ୍ଗଳବାର ଦିନ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତୃତୀୟ ପ୍ରାର୍ଥୀଙ୍କୁ ନେଇ ସସପେନ୍ସ ଜାରି ରହିଥିବାବେଳେ ଆଶ୍ଵିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିଛି ବିଜେପି।

ଆସନ୍ତା ଏପ୍ରିଲ ୩ ତାରିଖରେ ଓଡ଼ିଶାର ୩ ଜଣ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ ଅଶ୍ଵିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଖାଲି ହେବାକୁ ଥିବା ଏହି ୩ ଆସନ ଲାଗି ନିର୍ବାଚନ ହେବ। ଏମାନଙ୍କ ସ୍ଥାନରେ ୩ ଜଣ ଯିବେ ରାଜ୍ୟସଭା।

ଫେବ୍ରୁଆରି ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ। ଫେବ୍ରୁଆରି ୧୫ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଫେବ୍ରୁଆରି ୧୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୦ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ରହିଛି।

Tags: #Politics #OdishaPolitics #AshwiniVaisanaw #Election #RajyasabhaElection #BJD #Odisha

LEAVE A REPLY

Please enter your comment!
Please enter your name here