ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା କ୍ରିକେଟର ଏନ୍ତୁଡ଼ିଶାଳ କଟକ ବାରବାଟୀ ଷ୍ଟାଡିୟମର ନବକଳେବର ହେବାକୁ ଯାଉଛି। ବର୍ତ୍ତମାନର ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ଭଙ୍ଗାଯାଇ ସେହି ସ୍ଥାନରେ ଏକ ଅତ୍ୟାଧୁନିକ ବିଶ୍ଵସ୍ତରୀୟ ଷ୍ଟାଡିୟମର ନିର୍ମାଣ କରାଯିବ। ଏଥିରେ ପ୍ରାୟ ୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଓଡ଼ିଶା କ୍ରିକେଟ୍‌ ଆସୋସିଏସନ(ଓସିଏ), ବିସିସିଆଇ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହାର ନିର୍ମାଣ କରାଯିବ। ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଏହାର ଶିଳାନ୍ୟାସ କରାଯିବ।

ନୂଆ ବାରବାଟୀ ଷ୍ଟାଡିୟମରେ ଦର୍ଶକ କ୍ଷମତା ୬୦ ହଜାରକୁ ବଢ଼ିବ, ଯାହା ବର୍ତ୍ତମାନ ପ୍ରାୟ ୪୨ ହଜାର ରହିଛି। ଷ୍ଟାଡିୟମରେ ଖେଳାଳିଙ୍କ ପାଇଁ ଜିମ୍, ସ୍ପା, ଟେନିସ୍ କୋର୍ଟ, ସୁଇମିଂପୁଲ୍ ଏବଂ ଅନ୍ୟ ସବୁ ପ୍ରକାରର ବିଶ୍ଵସ୍ତରୀୟ ଅତ୍ୟାଧୁନିକ ସୁବିଧା ରହିବ। ଏହାସହ ଷ୍ଟାଡିୟମକୁ ଲାଗି ୫ ତାରକା ହୋଟେଲ, ଅଫିସ କକ୍ଷ, ପାର୍କିଂ, ଦୋକାନ ଘର, ସପିଂ ମଲ୍‌ ଓ ଏକ ସ୍ପୋର୍ଟସ୍ କମ୍ପଲେକ୍ସର ବିକାଶ କରାଯିବ।

ବାରବାଟୀ ଷ୍ଟାଡିୟମର ବିକାଶ ନେଇ ଓସିଏର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏନେଇ ଓସିଏ ପକ୍ଷରୁ ବିସିସିଆଇ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା। ତେବେ ଉଭୟ ପଟରୁ ସବୁଜ ସଙ୍କେତ ମିଳିବାପରେ ନୂଆ ଷ୍ଟାଡିୟମର ଡିପିଆର୍ ପ୍ରସ୍ତୁତ କରାଯାଇଛି।

ବୁଧବାର ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ। ଏଠାରେ ସେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ସଚିବ ଆର୍ ଭିନୀଲକ୍ରୀଷ୍ଣା, ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ଓସିଏ ସମ୍ପାଦକ ସଞ୍ଜୟ ବେହେରା, କଟକ ଜିଲ୍ଲାପାଳ ବିନୀତ ଭାରଦ୍ଵାଜ ଓ ଅନ୍ୟ ଅଧିକାରୀଙ୍କ ସହ ଷ୍ଟାଡିୟମର ବିକାଶ ନେଇ ଆଲୋଚନା କରିଥିଲେ।

୧୯୫୨ ମସିହାରେ ବାରବାଟୀ ଷ୍ଟାଡିୟମର ନିର୍ମାଣ କରାଯାଇଥିଲା। ଓଡ଼ିଶା ଅଲିମ୍ପିକ ଆସୋସିଏସନର ତତକାଳୀନ ସମ୍ପାଦକ ଭୈରବ ମହାନ୍ତିଙ୍କ ଉଦ୍ୟମରେ ରାଜ୍ୟ ସରକାରଙ୍କଠାରୁ ୯୯ ବର୍ଷିଆ ଲିଜରେ ଜମି ଅଣାଯାଇ ଷ୍ଟାଡିୟମର ନିର୍ମାଣ ହୋଇଥିଲା। ଏହାପରେ ବିଭିନ୍ନ ସମୟରେ ଷ୍ଟାଡିୟମରେ ଭିତ୍ତିଭୂମିର ବିକାଶ କରାଯାଇଥିଲା।

Tags: #BarabatiStadium #OCA #Cricket #BCCI #Cuttack #SportsOdisha  

Comment