ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରେ ଆୟୋଜିତ ହୋଇଯାଇଛି ନୂଆ ଓଡ଼ିଶା ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶାର ଅର୍ଥନୈତିକ ବିକାଶ ତଥା ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସମ୍ଭାବନା ଉପରେ ବିଭିନ୍ନ ଆଲୋଚନା କରାଯାଇଥିଲା।

ଏହି ସମ୍ମିଳନୀରେ ବିଭିନ୍ନ ଶିଳ୍ପ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱ, ଦକ୍ଷତା ବିକାଶ ଏବଂ ନିଯୁକ୍ତି କ୍ଷେତ୍ରର ବିଶେଷଜ୍ଞଙ୍କ ସହ ନୀତି ନିର୍ଦ୍ଧାରକ ଏବଂ ଓଡ଼ିଶା ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ସହ ଜଡ଼ିତ ଶିକ୍ଷାବିତ୍, ବରିଷ୍ଠ ଅଧିକାରୀ ଓ ପ୍ରଶିକ୍ଷକମାନେ ଯୋଗ ଦେଇଥିଲେ। ଏଠାରେ ହୋଇଥିବା ବିଭିନ୍ନ ସେସନରେ ସେମାନେ ଓଡ଼ିଶାର ଅଭିବୃଦ୍ଧି, ଶିଳ୍ପ ସମ୍ଭାବନା ଏବଂ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ଆଦି ଉପରେ ଚର୍ଚ୍ଚା କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ନୂଆ ଟେକ୍ନୋଲୋଜିର ପ୍ରସାର ଓ ଏହା ଆଧାରିତ ଦକ୍ଷତା ବିକାଶକୁ ନେଇ ଅଲୋଚନା କରିଥିଲେ। ଯୁବପିଢ଼ିଙ୍କ ପାଇଁ ନୂଆ ନୂଆ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ଥିବା ଜ୍ଞାନ କୌଶଳର ଶିକ୍ଷା ଉପରେ ସେ ଗୁରୁତ୍ଵାରୋପ କରିଥିଲେ।

“ଓଡ଼ିଶାରେ ଶିଳ୍ପର ସମୃଦ୍ଧି ପାଇଁ ଏକ ଭଲ ବାତାବରଣ ରହିଛି। ଗତ କିଛି ବର୍ଷ ମଧ୍ୟରେ ନୂଆ ନୂଆ ଆଇଟି ତଥା ଆଇଟିଇଏସ୍ କମ୍ପାନୀ ଓଡ଼ିଶାର ଟେକ୍ନୋଲୋଜି କ୍ଷେତ୍ରରେ ସାମିଲ ହୋଇଛନ୍ତି। ରାଜ୍ୟରେ ଅର୍ଥନୈତିକ ବିକାଶକୁ ଏହା ନୂଆ ଗତି ଦେଉଛି”, କହିଥିଲେ ମନୋଜ କୁମାର ମିଶ୍ର।  

ସେ ଆହୁରି ମଧ୍ୟ କହିଥିଲେ, “ବର୍ତ୍ତମାନ ସମୟରେ କେବଳ ଡିଗ୍ରୀ ଦ୍ୱାରା ଚାକିରି ମିଳେନାହିଁ। ନିଯୁକ୍ତି ସୁଯୋଗ ପାଇଁ ଦକ୍ଷତା ଓ ସୃଜନଶୀଳତାର ଆବଶ୍ୟକତା ରହିଛି। ଏଭଳି ପରିବର୍ତ୍ତନଶୀଳ ଦୁନିଆରେ ବିଭିନ୍ନ ଶିଳ୍ପ କ୍ଷେତ୍ରର ଆବଶ୍ୟକତା ଅନୁସାରେ ଯୁବପିଢିଙ୍କ ଦକ୍ଷତା ବିକାଶ ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି।”

ଏହି ସମ୍ମିଳନୀରେ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ପ୍ରମୁଖ ସଂସ୍ଥାଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଥିଲା। ଏହାସହ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଅଂଶୀଦାରମାନେ ବିଶେଷ ଆଲୋଚନା କରିଥିଲେ।

Tags: #NUAOdishaGlobalSummit #GrowthAndEmployment #Odisha 

Comment