ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡର ଭେଟେରାନ କଣ୍ଠଶିଳ୍ପୀ ପଦ୍ମଶ୍ରୀ ପଙ୍କଜ ଉଧାସଙ୍କର ପରଲୋକ ହୋଇଛି। ସୋମବାର ଦିନ ୭୨ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।

ଦୀର୍ଘ ଦିନ ଧରି ପଙ୍କଜ ଉଧାସ ଅସୁସ୍ଥ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ଦେହାନ୍ତ ହୋଇଛି। ଏ ସମ୍ପର୍କରେ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

ମାତ୍ର ୬ ବର୍ଷ ବୟସରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ ପଙ୍କଜ ଉଧାସ। ୧୯୮୦ ମସିହାରେ ଗଜଲ ଆଲବମ ‘ଆହଟ’ରୁ ସେ ନିଜ ସଙ୍ଗୀତ କ୍ୟାରିୟର ଆରମ୍ଭ କରିଥିଲେ। ସଙ୍ଗୀତ ସାଧନା ତାଙ୍କୁ ଦେଇଥିଲା ସ୍ଵତନ୍ତ୍ର ପରିଚୟ। ବଲିଉଡ ସିନେମା ‘ମନ୍’ର ‘ଚିଠି ଆଇ ହେ…’ ଗୀତରୁ ତାଙ୍କୁ ଲୋକପ୍ରିୟତା ମିଳିଥିଲା। ସଙ୍ଗୀତ କ୍ଷେତ୍ରରେ ଉଲ୍ଲଖନୀୟ ଯୋଗଦାନ ପାଇଁ ୨୦୦୬ ମସିହାରେ ପଙ୍କଜ ଉଧାସଙ୍କୁ ମିଳିଥିଲା ପଦ୍ମଶ୍ରୀ ପୁରସ୍କାର।

ନିଜ କ୍ୟାରିୟରରେ ପଙ୍କଜ ଉଧାସ ୫୦ରୁ ଅଧିକ ଆଲବମ ଗୀତ ଗାଇଛନ୍ତି। ସେହିପରି ୫୦ରୁ ଅଧିକ ଫିଲ୍ମରେ ଗୀତ ଗାଇ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛନ୍ତି।

ସଙ୍ଗୀତ ସାଧନା ପାଇଁ ସେ ଅନେକ ପୁରସ୍କାର ଏବଂ ସମ୍ମାନ ପ୍ରାପ୍ତ କରିଛନ୍ତି। ତାଙ୍କ ବିୟୋଗ ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସଙ୍ଗୀତ ପ୍ରେମୀମାନେ କହିଛନ୍ତି।

Tags: #LegendrySingerPadmaSriPankajUdhas #Death #Bollywood #Music #MusicIndustry

LEAVE A REPLY

Please enter your comment!
Please enter your name here