ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ଦିନିଆ ଓଡ଼ିଶା ଗସ୍ତ ଆରମ୍ଭ କରିଛନ୍ତି। ବୁଧବାର ପ୍ରଥମ ଦିନରେ ସେ ମୟୂରଭଞ୍ଜର ଖିଚିଂରେ ପହଞ୍ଚିଛନ୍ତି। ଏଠାରେ ସେ ମା’ କିଚକେଶ୍ଵରୀଙ୍କ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ ରାଷ୍ଟ୍ରପତିଙ୍କ ସହ ମନ୍ଦିର ଦର୍ଶନ କରିଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଝାଡ଼ଖଣ୍ଡର ରାଞ୍ଚିରେ ପହଞ୍ଚିଥିଲେ। ସେଠାରେ କାର୍ଯ୍ୟକ୍ରମ ସାରି ଏକ ହେଲିକପ୍ଟରରେ ସେ ଖିଚିଂରେ ପହଞ୍ଚିଥିଲେ। ଏଠାରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। 

ସେହିପରି ମା’ କିଚକେଶ୍ୱରୀଙ୍କ ମନ୍ଦିରରେ ରାଷ୍ଟ୍ରପତିଙ୍କ ପୂଜାର୍ଚ୍ଚନା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ମା’ଙ୍କ ଦର୍ଶନ କରି ସେ ମନ୍ଦିରରେ ପ୍ରସାଦ ସେବନ କରିଥିଲେ। ମନ୍ଦିର ବାହାରେ ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ଅନେକ ଲୋକଙ୍କ ଭିଡ଼ ଜମିଥିଲା। 

ଏବେ ରାଷ୍ଟ୍ରପତି ଖିଚିଂରୁ ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରିଛନ୍ତି। ଏଠାରେ ସେ ମହୁଲଡ଼ିହା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ମିତ ସତନ୍ତ୍ର ହଲିଡେ ହୋମର ଶିଳାନ୍ୟାସ କରିବେ। ଏହାସହ ସେ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

ଏହାପରେ ସେ ସନ୍ଧ୍ୟା ୬ଟାରେ ମହୁଲଡ଼ିହାସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳାରେ କିଛି ବ୍ୟକ୍ତିବିଶେଷଙ୍କ ସହିତ ସାକ୍ଷାତ କରିବେ। ସେଠାରୁ ସେ ନିଜ ବାସଭବନରେ ପରିବାର ସହିତ ଭୋଜନ କରି ରାତ୍ରୀଯାପନ କରିବେ।

Tags: #PresidentDroupadiMurmu #OdishaVisit #KishakeshwariTemple #Khiching #Mayurbhanj

Comment