ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ଆଜି ବିଶ୍ୱ ଶ୍ରବଣ ଶକ୍ତି ଦିବସ ୨୦୨୪। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ଏହି ଦିବସ ପାଳନ କରାଯାଉଛି। ଚଳିତବର୍ଷ ବିଶ୍ୱ ଶ୍ରବଣ ଶକ୍ତି ଦିବସର ଥିମ୍ ରହିଛି “ଚେଞ୍ଜିଂ ମାଇଣ୍ଡସେଟସ୍ – ଲେଟ୍ସ ମେକ ଇଅର ଆଣ୍ଡ ହିଅରିଂ କେୟାର ଏ ରିୟାଲିଟି ଫର ଅଲ୍”।

‘ବିଶ୍ୱ ଶ୍ରବଣ ଶକ୍ତି ଦିବସ’ ଉପଲକ୍ଷେ ଡବ୍ଲୁଏଚଓ ପକ୍ଷରୁ ଏକ ଶ୍ରବଣ ପରୀକ୍ଷା ଆପ ‘ହିଅର ଡବ୍ଲୁଏଚଓ’ ଲଞ୍ଚ କରାଯାଇଛି। ଲୋକେ ଏହି ଆପକୁ ଖୁବ ସହଜରେ ନିଜ ସ୍ମାର୍ଟଫୋନରେ ଡାଉନଲୋଡ କରି ଏହାଦ୍ଵାରା ନିଜର ଶ୍ରବଣ ପରୀକ୍ଷା କରିପାରିବେ।  

“ଏବେ ବିଶ୍ଵରେ ୧୫୦ କୋଟିରୁ ଅଧିକ ଲୋକ ବିଭିନ୍ନ ଶ୍ରବଣ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ କୋଟି ଲୋକ ନିଜ ଶ୍ରବଣ ଶକ୍ତି ହରାଇଛନ୍ତି। ବିଭିନ୍ନ ଇଲେକ୍ଟ୍ରୋନିକ ବାଦ୍ୟଯନ୍ତ୍ର ତଥା ହେଡସେଟ ଓ ଇଅରଫୋନର ଅପବ୍ୟବହାର କାରଣରୁ ଅଧିକ ଶ୍ରବଣ ସମସ୍ୟା ଦେଖାଦେଉଛି”, କହିଛନ୍ତି ଡବ୍ଲୁଏଚଓର ଭାରତରେ ପ୍ରତିନିଧି ଡାକ୍ତର ରୋଡେରିକୋ ଏଚ ଓରଫିନ।  

ସେ ଆହୁରି ମଧ୍ୟ କହିଛନ୍ତି, “ବିଶ୍ଵରେ ଆହୁରି ୧୦୦ କୋଟିରୁ ଅଧିକ ଲୋକଙ୍କଠାରେ ଶ୍ରବଣ ଜନିତ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି। ହେଲେ କାନର ସଠିକ ଯତ୍ନ ଓ ଶୁଣିବାର ଉପଯୁକ୍ତ ଶୈଳୀ ମାଧ୍ୟମରେ ଏହାକୁ ଏଡ଼ାଯାଇ ପାରିବ। ଏଥିପାଇଁ ନିୟମିତ ଭାବେ ଶ୍ରବଣ ପରୀକ୍ଷା କରିବା ଅତ୍ୟନ୍ତ ଜରୁରୀ।”

ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୩ ତାରିଖରେ ବିଶ୍ୱ ଶ୍ରବଣ ଶକ୍ତି ଦିବସ ପାଳନ କରାଯାଏ। ବଧିରତାରୁ ମନୁଷ୍ୟ କିଭଳି ନିଜକୁ ବଞ୍ଚାଇପାରିବେ ସେ ଦିଗରେ ସଚେତନତା ସୃଷ୍ଟି ଏବଂ କାନର ଯତ୍ନ ନେବାକୁ କେନ୍ଦ୍ର କରି ଏହି ଦିବସକୁ ପାଳନ କରାଯାଏ।

Tags: #WorldHearingDay2024 #EarCare #HearingCare #Health #WHO

Comment