ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଜେପି କାର୍ଯ୍ୟାଳୟରେ ସୋମବାର ଦିନ ଚାଲିଛି ମିଶ୍ରଣ ପର୍ବ। ଆଜି ବିଜେପିରେ ସାମିଲ ହୋଇଛନ୍ତି ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ।

ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଏହି ତିନି ନେତାଙ୍କୁ ଦଳୀୟ ଟୋପି ଏବଂ ଉତ୍ତରୀୟ ପିନ୍ଧାଇ ସ୍ଵାଗତ କରାଯାଇଥିଲା। ଏହି ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ, ପୂର୍ବତନ ବିଜେପି ସଭାପତି ସମୀର ମହାନ୍ତି ଏବଂ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ଗତ ଧାମନଗର ଉପନିର୍ବାଚନ ସମୟରେ ରାଜେନ୍ଦ୍ର ଦାସଙ୍କୁ ଟିକେଟ ନମିଳିବାରୁ ସେ ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ଦଳ ବରୋଧୀ କାମ ପାଇଁ ରାଜେନ୍ଦ୍ର ଦାସଙ୍କୁ ଦଳରୁ ବହିଷ୍କାର କରିଥିଲା ବିଜେଡି। ସେହିପରି ତେଲକୋଇରୁ ୨୦୦୯ ଓ ୨୦୧୯ ମସିହାରେ ବିଧାୟକ ହୋଇଥିବା ପ୍ରେମାନନ୍ଦ ଦାସ କିଛି ଦିନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିଲେ।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଏବଂ ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କ ପରେ ଏବେ ଚତୁର୍ଥ ବିଧାୟକ ଭାବେ ପ୍ରେମାନନ୍ଦ ନାୟକ ବିଜେପିରେ ଯୋଗ ଦେଇଛନ୍ତି।

ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ବ୍ୟକ୍ତିଗତ କାରଣ ଦର୍ଶାଇ ରବିବାର ଦିନ କଂଗ୍ରେସର ପ୍ରଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ସେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଭଦ୍ରକର ବିଧାୟକ ଥିଲେ। ଗତ ବିଧାନସଭା ନିର୍ବାଚନରେ ଟିକେଟ ଆଶାୟୀ ଥିବା ନରେନ ପଲେଇଙ୍କୁ ନିରାଶ ହେବାକୁ ପଡ଼ିଥିଲା। କଂଗ୍ରେସରୁ ଇସ୍ତଫା ପରେ ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା।

Tags: #Politics #OdishaPolitics #BJP #BJD #Congress #Odisha

LEAVE A REPLY

Please enter your comment!
Please enter your name here