ଓଡ଼ିଶାଲାଇଭ୍ ବ୍ୟୁରୋ

ଜେଲ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ରିମାଣ୍ଡ ଅବଧି ସରିବା ପରେ ସୋମବାର ଦିନ ତାଙ୍କୁ ୧୫ ଦିନିଆ ନ୍ୟାୟିକ ହେଫାଜତକୁ ପଠାଇଛନ୍ତି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ। ଏପ୍ରିଲ ୧୫ ତାରିଖ ଯାଏଁ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରେ ରହିବେ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରିଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏହି ମାମଲାର ଖୋଳତାଡ଼ କରିବାକୁ ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୮ ତାରିଖ ଯାଏଁ ଅରବିନ୍ଦ କେଜ୍ରିୱାଲଙ୍କୁ ରିମୋଣ୍ଡରେ ନେଇଥିଲା ଇଡି। ପରେ ଏହାର ଅବଧିକୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଆଜି ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ୧୫ ଦିନ ପାଇଁ ନ୍ୟାୟିକ ହେଫାଜତକୁ ପଠାଯାଇଛି। ଏପ୍ରିଲ ୧୫ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ସାମିଲ ରହିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଇଡି ତାଙ୍କୁ ପଚରାଉଚରା ପାଇଁ ୯ ଥର ସମନ କରିଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ଯାଞ୍ଚରେ ସେ ସହଯୋଗ କରୁନଥିବା ଇଡି ପକ୍ଷରୁ କୁହାଯାଇଥିଲା।

ଇଡି ପକ୍ଷରୁ ନବମ ସମନ ଜାରି ହେବାପରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହେଲେ ତାଙ୍କୁ କୌଣସି ମଧ୍ୟବର୍ତ୍ତିକାଳୀନ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିଦେଇଥିଲେ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବରୁ ଆମ ଆଦମୀ ପାର୍ଟିର ଦୁଇ ଜଣ ନେତା ମନୀଷ ସିଶୋଦିଆ ଏବଂ ସଂଜୟ ସିଂହ ଗିରଫ ହୋଇ ଜେଲରେ ଅଛନ୍ତି। ସେହିଭଳି ଏହି ମାମଲାରେ ଇଡି ପକ୍ଷରୁ ବିଆରଏସ୍ ନେତ୍ରୀ କେ. କବିତାଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଥିଲା।

ଦିଲ୍ଲୀ ଅବକାରୀ ଦୁର୍ନୀତି କ’ଣ ?

୨୦୨୧ରେ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ କରିଥିଲେ କେଜ୍ରିୱାଲ ସରକାର। ଏହି ନୂଆ ନୀତି ଅନୁସାରେ ମଦ ବିକ୍ରି ସହ ସରକାରଙ୍କ କୌଣସି ସମ୍ପର୍କ ରହିବ ନାହିଁ। ଏହାର ସମସ୍ତ ନିୟନ୍ତ୍ରଣ ମଦ ବ୍ୟବସାୟୀଙ୍କ ହାତକୁ ଚାଲିଯାଇଥିଲା।

ଏହି ନୀତି ଅନୁସାରେ ଦିଲ୍ଲୀରେ ଭୋର ୩ଟା ଯାଏଁ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଥିଲା। ଲାଇସେନ୍ସ ପ୍ରାପ୍ତ ମଦ ବ୍ୟବସାୟୀ ନିଜ ଇଚ୍ଛା ଅନୁସାରେ ରିହାତି ଦେଇପାରୁଥିଲେ।

ଏହି ଅବକାରୀ ନୀତି ଯୋଗୁଁ ମଦ ଲାଇସେନ୍ସ ପାଇଁ ଅନୈତିକ ଭାବେ ଟଙ୍କା କାରବାର ହୋଇଥିବା ଅଭିଯୋଗ ହୋଇଥିଲା। ଏଥିରେ ରାଜକୋଷଙ୍କୁ ବିପୁଳ ଆର୍ଥିକ କ୍ଷତି ହେବାସହ ବିଭିନ୍ନ ଆଇନ ଉଲ୍ଲଂଘନ ହୋଇଥିବା ନେଇ ରିପୋର୍ଟ ଦେଇଥିଲେ ଦିଲ୍ଲୀ ମୁଖ୍ୟ ସଚିବ।

ଏହାପରେ ଦିଲ୍ଲୀ ଉପରାଜ୍ୟପାଳ ଭି କେ ସକ୍ସେନା ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିସ୍ କରିଥିଲେ। ପ୍ରଥମେ ସିବିଆଇ ପରେ ଇଡି ପକ୍ଷରୁ ଏହି ମାମଲାରେ ତଦନ୍ତ ଆରମ୍ଭ କରାଯାଇଥିଲା।

Tags: #ArvindKejriwal #CMofDelhi #LiquorScam #ED #NewDelhi #ED #Jail

LEAVE A REPLY

Please enter your comment!
Please enter your name here