ଓଡ଼ିଶାଲାଇଭ୍ ବ୍ୟୁରୋ

‘ହେ ଚକାନୟନ’, ‘ଭଜି ଭଜି ତୋ ନାମ ଚକାନୟନ’, ‘ମୋ ପ୍ରଭୁ ଜଗନ୍ନାଥ, ବାଲିରେଣୁ ମହାବନ୍ଧ…’ ଏଭଳି ଭାବପୂର୍ଣ୍ଣ ଭଜନ ଗାଇଥିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ। ସେ ଆଜି ଆମ ଗହଣରେ ନାହାନ୍ତି ସତ, କିନ୍ତୁ ତାଙ୍କ କଣ୍ଠ ନିଃସୃତ କାଳଜୟୀ ଗୀତ ତାଙ୍କୁ ଚିରକାଳ ଅମର ରଖିବ।

‘ବାଲିରେଣୁ ମହାବନ୍ଧ ସୁଜନ ହେ…’ ଶାନ୍ତିଲତା ବାରିକଙ୍କର ଅନ୍ୟତମ ଲୋକପ୍ରିୟ ଭଜନ, ଯାହା ଶ୍ରୋତାଙ୍କ ହୃଦୟକୁ ବେଶ ଛୁଇଁ ପାରିଛି। ଏହି ଗୀତରେ ଶାନ୍ତିଲତା ବାରିକ କହିବାକୁ ଚାହୁଁନ୍ତି, ଯାହାର ଯେଉଁ ଧର୍ମ ସେ ଅନୁସାରେ ତାକୁ କର୍ମ ମିଳି ଆସୁଛି। ଯିଏ ନିଜର କର୍ତ୍ତବ୍ୟକୁ ଠିକ୍ ଭାବେ ପାଳନ କରୁଛି ସେ ସୁଖରେ ବଞ୍ଚୁଛି ଏବଂ ଯିଏ ନିଜର କର୍ମ ଠିକ୍ ଭାବେ କରୁନାହିଁ ତା’ ଜୀବନ ଦୁଃଖ କଷ୍ଟରେ କଟୁଛି। ଜ୍ଞାନୀ ଲୋକ ହିଁ ନିଜ କର୍ମ ଏବଂ ଧର୍ମ ବଳରେ ଆଗକୁ ଯାଇଥାନ୍ତି ଏବଂ ଅଜ୍ଞାନ ମଣିଷ କୁପମଣ୍ଡୁକ ଭଳି ରହିଯାଆନ୍ତି।

ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ। ସେ ଗାଇଥିବା ଭକ୍ତି ସଙ୍ଗୀତ ପ୍ରତି ଦେଶ ବିଦେଶରେ ଲୋକଙ୍କର ବେଶ୍ ଆଦର ରହିଛି। ତାଙ୍କ ଭଜନ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଛି।

ତାଙ୍କର ପ୍ରତିଟି ଭଜନକୁ ସେ ଜଗନ୍ନାଥ ଏବଂ ଶ୍ରୀକୃଷ୍ଣଙ୍କ ଲାଗି ସମର୍ପଣ କରିଥିବା ଦେଖିବାକୁ ମିଳେ। ଓଡ଼ିଆ ଭଜନ ପ୍ରତି ଶାନ୍ତିଲତା ବାରିକ ଛୋଟରାୟଙ୍କର ବିଶେଷ ଅବଦାନ ରହିଛି।

Tags: #ShantilataBarik #OdiaSong #Bhajana #ClassicalMusic #OdiaBhajana

LEAVE A REPLY

Please enter your comment!
Please enter your name here