ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଶୁକ୍ରବାର ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। ଦଳ ଏହାର ନାମ ‘ନ୍ୟାୟ ପତ୍ର’ ରଖିଛି। ଏଥିରେ କଂଗ୍ରେସ ମତଦାତାଙ୍କୁ ୫ଟି ନ୍ୟାୟ ଓ ୨୫ ପ୍ରକାରର ଗ୍ୟାରେଣ୍ଟି ଦେଇଥିବା ଘୋଷଣା କରିଛି। କଂଗ୍ରେସ ମୁଖ୍ୟାଳୟରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଏହି ଇସ୍ତାହାର ଜାରି କରିଛନ୍ତି।

ନିର୍ବାଚନୀ ଇସ୍ତାହାରରେ ଭୋଟରମାନଙ୍କ ପାଇଁ କଂଗ୍ରେସ ଘୋଷଣା କରିଛି ପାଞ୍ଚଟି ନ୍ୟାୟ। ସେଗୁଡ଼ିକ ହେଲା ନାରୀ ନ୍ୟାୟ, କୃଷକ ନ୍ୟାୟ, ଶ୍ରମିକ ନ୍ୟାୟ, ଭାଗିଦାରୀ ନ୍ୟାୟ ଏବଂ ଯୁବକ ଯୁବତୀ ନ୍ୟାୟ। ପ୍ରତି ନ୍ୟାୟ ଅଧୀନରେ ୫ଟି ଲେଖାଏଁ ଗ୍ୟାରେଣ୍ଟି ରହିଛି। ଦଳ କ୍ଷମତାକୁ ଆସିଲେ ଏସବୁକୁ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।   

ନିର୍ବାଚନୀ ଇସ୍ତାହାର ଅନୁଯାୟୀ କଂଗ୍ରେସ ଦେଶରେ କ୍ଷମତାକୁ ଆସିଲେ ମହାଲକ୍ଷ୍ମୀ ଯୋଜନା ଅଧୀନରେ ଗରିବ ପରିବାରର ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ଦିଆଯିବା। ଯୁବକ ଯୁବତୀଙ୍କ ପାଇଁ ୩୦ ଲକ୍ଷ ସରକାରୀ ଚାକିରି ସୁବିଧା ଉପଲବ୍ଧ କରାଯିବ। ଚୁକ୍ତି ଭିତ୍ତିକ ଚାକିରିକୁ ସ୍ଥାୟୀ ନିଯୁକ୍ତିରେ ପରିଣତ କରିବ। ଏହାସହ ମନରେଗା ଶ୍ରମିକଙ୍କ ମଜୁରୀକୁ ୪୦୦ ଟଙ୍କା କରିଦିଆଯିବ।

ସେହିପରି କଂଗ୍ରେସ ଶସ୍ୟଭିତ୍ତିକ ଏମଏସପିକୁ ଆଇନଗତ ମାନ୍ୟତା ଦେବା ବୋଲି ଘୋଷଣା କରିଛି। ଶିକ୍ଷା, ନିଯୁକ୍ତି ଭଳି ବିଭିନ୍ନ କ୍ଷେତ୍ରରେ ଥିବା ୫୦ ପ୍ରତିଶତ ସଂରକ୍ଷଣ ସୀମାରେ ବୃଦ୍ଧି କରିବ। ଏହାସହ ଜାତିଗତ ଜନଗଣନା ହେବ, ଋଣ ଛାଡ଼ ଆୟୋଗ ଗଠନ କରିବ ଏବଂ ସମସ୍ତଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ କରିବାକୁ ଘୋଷଣା କରିଛି କଂଗ୍ରେସ।

ଅନ୍ୟପଟେ କଂଗ୍ରେସ କ୍ଷମତାକୁ ଆସିଲେ ଜମ୍ମୁ କଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦିଆଯିବ। ଲଦାଖକୁ ଆଦିବାସୀ କ୍ଷେତ୍ରରେ ଅନ୍ତର୍ଭୁକ୍ତ କରିବା ପାଇଁ ସମ୍ବିଧାନର ଷଷ୍ଠ ସୂଚୀରେ ସଂଶୋଧନ କରାଯିବ। ଏହା ସହ ଅଗ୍ନିପଥ ଯୋଜନାକୁ ହଟାଇ ସ୍ଥଳ ସେନା, ନୌସେନା ଓ ବାୟୁସେନାରେ ସାଧାରଣ ନିଯୁକ୍ତି ପ୍ରକ୍ରିୟାକୁ ଫେରାଇ ଆଣିବା ପ୍ରତିଶ୍ରୁତି ଦେଇଛି କଂଗ୍ରେସ।

Tags: #IndianGeneralElection #CongressManifesto #CongresParty #Politics #India

LEAVE A REPLY

Please enter your comment!
Please enter your name here