ଓଡ଼ିଶାଲାଇଭ୍ ବ୍ୟୁରୋ

ଟକ୍ ଟକ୍ ଖରାରେ ଜଳୁଛି ସାରା ଓଡ଼ିଶା। ଆଗକୁ ତାପମାତ୍ରା ଆହୁରି ବଢ଼ିବାର ସମ୍ଭାବନା ରହିଥିବା ଆକଳନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ମଙ୍ଗଳବାର ଦିନ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଆଗାମୀ ଦୁଇଦିନ ମଧ୍ୟରେ ରାଜ୍ୟରେ ଆହୁରି ୨ରୁ ୩ ଡିଗ୍ରୀ ଯାଏଁ ତାପମାତ୍ରାରେ ବୃଦ୍ଧି ହେବା ନେଇ ଆକଳନ କରାଯାଇଛି।

ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଏପ୍ରିଲ ୧୮ରୁ ୨୦ ତାରିଖ ମଧ୍ୟରେ ସକ୍ରିୟ ଗ୍ରୀଷ୍ମ ଲହରୀ ଶିଖର ଛୁଇଁବ। ଏହା ସହ ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀରେ ପହଞ୍ଚିବ।

ବୁଧବାର ଦିନ ୧୨ଟା ସୁଦ୍ଧା ବାରିପଦାରେ ସର୍ବାଧିକ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ରାଣୀତାଲ, ପାରଳାଖେମୁଣ୍ଡି, ନୂଆପଡ଼ାରେ ତାପମାତ୍ରା ୪୨ ଡିଗ୍ରୀ ଅତିକ୍ରମ କରିଥିବାବେଳେ ତାଳଚେର ଓ ବୌଦ୍ଧର ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟ ସମସ୍ତ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୧ରୁ ୩୪ ଡିଗ୍ରୀ ମଧ୍ୟରେ ରହିଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୦ଟି ଜିଲ୍ଲାକୁ ହିଟଓ୍ଵେଭ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଏପ୍ରିଲ ୧୮ରୁ ୧୯ ତାରିଖ ମଧ୍ୟରେ ମୟୂରଭଞ୍ଜ, ନୂଆପଡ଼ା, ନୟାଗଡ଼ ଏବଂ ଗଜପତି ଜିଲ୍ଲାକୁ ହିଟଓ୍ଵେଭ ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ହିଟଓ୍ଵେଭ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ଏହା ସହ ଏପ୍ରିଲ ୧୯ରୁ ୨୦ ତାରିଖ ମଧ୍ୟ ମୟୂରଭଞ୍ଜ, ନୟାଗଡ଼, ଗଜପତି ଓ ନୂଆପଡ଼ାକୁ ହିଟଓ୍ଵେଭ ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାକୁ ହିଟଓ୍ଵେଭ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଏପ୍ରିଲ ୨୦ରୁ ୨୧ ତାରିଖ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର ଏବଂ କଳାହାଣ୍ଡିକୁ ହିଟଓ୍ଵେଭ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି।

ଏହି ସମୟ ମଧ୍ୟରେ ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ନଯିବା ଲାଗି ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାହାରକୁ ଯାଉଥିଲେ ସତର୍କତା ଅବଲମ୍ବନ କରିବା ସହ ସାଙ୍ଗରେ ପାଣି ବୋତଲ, ଛାତା ଆଦି ନେବା ଲାଗି ମଧ୍ୟ କୁହାଯାଇଛି।

Tags: #Weather #WeatherUpdates #HeatWave #HotWeather #WarningForHeatWave

LEAVE A REPLY

Please enter your comment!
Please enter your name here