ଓଡ଼ିଶାଲାଇଭ୍ ବ୍ୟୁରୋ

ପବ୍ଲିକ ରିଲେସନ୍ସ ସୋସାଇଟି ଅଫ୍ ଇଣ୍ଡିଆ (ପିଆରଏସଆଇ) ଭୁବନେଶ୍ୱର ପକ୍ଷରୁ ରବିବାର ସନ୍ଧ୍ୟାରେ ଜାତୀୟ ଲୋକସମ୍ପର୍କ ଦିବସ ୨୦୨୪ ପାଳନ କରାଯାଇଛି। ଭୁବନେଶ୍ୱର ସ୍ଥିତ ପ୍ରେସ କ୍ଲବ ଅଫ ଓଡ଼ିଶା ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ଓଡ଼ିଶାର ପୂର୍ବତନ ଅର୍ଥ ସଚିବ ପ୍ରସନ୍ନ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରସନ୍ନ କୁମାର ମିଶ୍ର ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକର ସେମାନଙ୍କ ଉଦ୍ଦେଶ୍ୟ ନିର୍ବାହ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାସହ ସଚେତନ ନାଗରିକମାନଙ୍କୁ ନିର୍ଭୟରେ ନିଜ ମତପ୍ରକାଶ କରିବାକୁ ଆହ୍ୱାନ ଦେଇଥିଲେ।

ସେହିପରି କାର୍ଯ୍ୟକ୍ରମରେ ‘ସନାତନ ମୂଲ୍ୟବୋଧ ଏବଂ ଉଦୀୟମାନ ଭାରତ: ଲୋକସମ୍ପର୍କର ଭୂମିକା’ ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା ଏଥିରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ମୁଖ୍ୟ ବକ୍ତାଭାବେ ଯୋଗଦେଇଥିଲେ। ସେ ବର୍ତ୍ତମାନର ଲୋକସମ୍ପର୍କ ଏବଂ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଏହି ଅବସରରେ ଡକ୍ଟର ମୃଣାଳ ଚାଟାର୍ଜୀ ଏବଂ ଆଇଆଇଏମସି ଢେଙ୍କାନାଳର ଏକାଡେମିକ ଆସୋସିଏଟ ସୌମ୍ୟ ରଞ୍ଜନ ବିହାରାଙ୍କ ଓଡିଆ ଭାଷାରେ ଲିଖିତ ପୁସ୍ତକ ‘ଲୋକସମ୍ପର୍କ ଓ କର୍ପୋରେଟ୍ ଯୋଗାଯୋଗ’ ଉନ୍ମୋଚିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ପିଆରଏସଆଇ ଭୁବନେଶ୍ୱରର ଅଧ୍ୟକ୍ଷ ଶଶାଙ୍କ ପଟ୍ଟନାୟକ, ଉପାଧ୍ୟକ୍ଷ ସୁଧୀରଞ୍ଜନ ମିଶ୍ର, ସଚିବ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ। ସେହିପରି ରାଜ୍ୟର ଅନେକ ଲୋକସମ୍ପର୍କ ଏବଂ କର୍ପୋରେଟ୍ ଯୋଗାଯୋଗ ପ୍ରଫେସନାଲ ଓ ଅଧ୍ୟାପକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।   

Tags: #NationalPublicRelationsDay #PublicRelations #PRSI #Bhubaneswar

Comment