ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ସ୍ଥିତ ଓଡ଼ିଶା ପ୍ରେସ୍‍ କ୍ଲବରେ ରବିବାର ଦିନ ‘ଲୋକସମ୍ପର୍କ ଓ କର୍ପୋରେଟ୍‍ ଯୋଗାଯୋଗ’ ନାମକ ପୁସ୍ତକ ଉନ୍ମୋଚିତ ହୋଇଛି। ପବ୍ଲିକ୍‍ ରିଲେସନ୍ସ ସୋସାଇଟି ଅଫ୍‍ ଇଣ୍ଡିଆ (ପିଆର୍‍ଏସ୍‍ଆଇ) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ଅର୍ଥ ସଚିବ ପ୍ରସନ୍ନ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ।

ଏହି ପୁସ୍ତକଟିକୁ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ଓ ଏକାଡେମିକ ଆସୋସିଏଟ୍‍ ସୌମ୍ୟରଞ୍ଜନ ବିହାରା ଲେଖିଛନ୍ତି। ପୁସ୍ତକ ଉନ୍ମୋଚନ ଅବସରରେ ପିଆର୍‍ଏସ୍‍ଆଇ ପକ୍ଷରୁ ‘ସନାତନ ମୂଲ୍ୟବୋଧ ଓ ଉଦୀୟମାନ ଭାରତରେ ଲୋକସମ୍ପର୍କର ଭୂମିକା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲେ। ଏଥିରେ ଡକ୍ଟର ମୃଣାଳ ଚାଟାର୍ଜୀ ମୁଖ୍ୟବକ୍ତା ଭାବେ ବର୍ତ୍ତମାନ ସମୟରେ ଲୋକସମ୍ପର୍କ ଏବଂ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

“ଓଡ଼ିଆ ଭାଷାରେ ଲୋକସମ୍ପର୍କ ଓ କର୍ପୋରେଟ୍‍ ଯୋଗାଯୋଗ ଉପରେ ଏହା ଏକ ପ୍ରମୁଖ ପୁସ୍ତକ। ଯୋଗାଯୋଗ ପେସାଦାରିଙ୍କ ସଫଳତା ପାଇଁ ପୁସ୍ତକଟି ବେଶ୍‍ ଉପାଦେୟ ହୋଇପାରିବ। ବିଶେଷକରି ଯୋଗାଯୋଗ ଦକ୍ଷତା, ବିଶ୍ଳେଷଣ କ୍ଷମତା ଆଦି ବଢ଼ାଇବା ଉପରେ ପୁସ୍ତକରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଲୋକସମ୍ପର୍କର ଉଭୟ ସିଦ୍ଧାନ୍ତ ଓ ବ୍ୟାବହାରିକ ଦିଗ ଉପରେ ଏଥିରେ ଆଲୋଚନା କରାଯାଇଛି”, କହିଛନ୍ତି ଡକ୍ଟର ମୃଣାଳ ଚାଟାର୍ଜୀ।

ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରସନ୍ନ କୁମାର ମିଶ୍ର ଲୋକସମ୍ପର୍କର ଗୁରୁତ୍ଵ ଉପରେ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀ ଓ ଲୋକସମ୍ପର୍କ ଅଧିକାରୀଙ୍କ ପାଇଁ ଏହି ପୁସ୍ତକ ବିଶେଷ ସହାୟକ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପିଆର୍‍ଏସ୍‍ଆଇ ଭୁବନେଶ୍ୱରର ଅଧ୍ୟକ୍ଷ ଶଶାଙ୍କ ପଟ୍ଟନାୟକ ଏବଂ ଅନ୍ୟ ସଦସ୍ୟ ତଥା ବିଭିନ୍ନ ସ୍ଥାନରୁ ଆସିଥିବା ଲୋକସମ୍ପର୍କ ଅଧିକାରୀମାନେ ଯୋଗ ଦେଇଥିଲେ। 

Tags: #Publicrelation&Corporate #BookLaunch #OdishaPressClub #PRSI #Bhubaneswar

Comment