ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ସମକାଳୀନ କାର୍ଟୁନିଷ୍ଟଙ୍କୁ ନେଇ ପ୍ରସ୍ତୁତ ପରିଚିତି ପୁସ୍ତିକା ‘ସ୍କେଚିଂ ସାଟାୟାର’ ଉନ୍ମୋଚିତ ହୋଇଛି। ମଙ୍ଗଳବାର ଭୁବନେଶ୍ଵର ରୋଟାରୀ ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପୁସ୍ତିକାଟି ଉନ୍ମୋଚିତ ହୋଇଥିଲା। ଓଡ଼ିଶା କାର୍ଟୁନ୍‍ ଏକାଡେମୀ ସହଯୋଗରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ଢେଙ୍କାନାଳ ପକ୍ଷରୁ ଏହା ପ୍ରକାଶିତ ହୋଇଛି।

ଏହି ଇଂରାଜୀ ବହିରେ କାର୍ଟୁନ୍‍ର ଇତିହାସ, ଏହାର କ୍ରମବିକାଶ ତଥା ଓଡ଼ିଶାରେ କାର୍ଟୁନିଂର ଧାରା ଉପରେ ଆଲୋଚନା କରାଯାଇଛି। ଏହାସହ ରାଜ୍ୟର ୨୯ ଜଣ ସମକାଳୀନ କାର୍ଟୁନିଷ୍ଟଙ୍କ ବ୍ୟକ୍ତିଗତ ବିବରଣୀ ସହ ଦୁଇଟି ଲେଖାଏଁ କାର୍ଟୁନ୍‍ ମଧ୍ୟ ସ୍ଥାନ ପାଇଛି।

ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ପୁସ୍ତିକାର ସମ୍ପାଦକ ଥିବାବେଳେ ସହକାରୀ ପ୍ରଫେସର ଡକ୍ଟର ହରି କୃଷ୍ଣ ବେହେରା ଏହାର ସହଯୋଗୀ ସମ୍ପାଦକ ରହିଛନ୍ତି। ପୁସ୍ତିକାର ପ୍ରଚ୍ଛଦ ପ୍ରସ୍ତୁତ କରିଛନ୍ତି ଜିତେନ୍ଦ୍ର ପତି।

‘ସ୍କେଚିଂ ସାଟାୟାର’ ବହିର ପ୍ରଥମ ନିବନ୍ଧରେ ଡକ୍ଟର ମୃଣାଳ ଚାଟାର୍ଜୀ କାର୍ଟୁନ୍‍ କ’ଣ, ଏହାର ଇତିହାସ, କାର୍ଟୁନ୍‍ର ବିଭିନ୍ନ ଉପାଦାନ, ପ୍ରକାରଭେଦ, ଭାରତରେ କାର୍ଟୁନିଂ, ଡିଜିଟାଲ ଯୁଗରେ କାର୍ଟୁନ୍‍ ଓ ମିମ୍‍ ଆଦି ସମ୍ପର୍କରେ ଆଲୋଚନା କରିଛନ୍ତି। ସେ ଏଥିରେ ଅନେକ ଉପାଦେୟ ତଥ୍ୟ ଉଲ୍ଲେଖ କରିଛନ୍ତି।

ସେହିପରି କାର୍ଟୁନ୍‍ର ନୂଆ ଦିଗ ଓ ଦିଗନ୍ତ ଉପରେ ମଧ୍ୟ ଉକ୍ତ ପୁସ୍ତିକାରେ ଆଲୋକପାତ ହୋଇଛି। କାର୍ଟୁନ୍‍ ପ୍ରତି ରୁଚି ରଖୁଥିବା ଛାତ୍ରଛାତ୍ରୀ ତଥା ପେସାଦାରଙ୍କ ପାଇଁ ଏହି ନିବନ୍ଧଟି ଖୁବ୍‍ ଦରକାରୀ ହୋଇପାରିଛି। ସେହିପରି ଓଡ଼ିଶାର ଜଣାଶୁଣା କାର୍ଟୁନିଷ୍ଟ ତଥା ଓଡ଼ିଶା କାର୍ଟୁନ୍‍ ଏକାଡେମୀର ଅଧ୍ୟକ୍ଷ କମଳାକାନ୍ତ ରଥ ଓଡ଼ିଶାରେ କାର୍ଟୁନିଂ ଉପରେ ଏହି ବହିରେ ଏକ ନିବନ୍ଧ ଲେଖିଛନ୍ତି। ଏହି ପୁସ୍ତିକାର ଓଡ଼ିଆ ସଂସ୍କରଣ ଆସନ୍ତା ଜୁନ୍‍ ମାସରେ ପ୍ରକାଶ ପାଇବାର ଅଛି। 

Tags: #SketchingSatire #BookLaunch #Cartoon #Cartoonists #Odisha

Comment