ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ କୃଷି ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ସଂପାଦିତ ‘ମଣିଷ ବ୍ୟତିରେକ’ ଗଳ୍ପ ପୁସ୍ତକ ଲୋକାର୍ପିତ ହୋଇଛି। ଲେଖକ ପାଠକ ପ୍ରକାଶକ ସାମ୍ମୁଖ୍ୟ, ଓଡ଼ିଶା ଆନୁକୂଲ୍ୟରେ ପହିଲି ରଜ ଅବକାଶରେ ସୋମବାର ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଲେଖିକା ପଦ୍ମଶ୍ରୀ ଡକ୍ଟର ପ୍ରତିଭା ରାୟ ଯୋଗଦେଇ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି। ଦୈନିକ ଓଡ଼ିଶା ଖବରକାଗଜ ‘ସମ୍ଵାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।

ପୁସ୍ତକ ଉନ୍ମୋଚନ କରିବା ଅବସରରେ ଲେଖିକା ପଦ୍ମଶ୍ରୀ ଡକ୍ଟର ପ୍ରତିଭା ରାୟ କହିଛନ୍ତି,”ରାଜନୀତିର ବ୍ୟସ୍ତତା ମଧ୍ୟରେ ରହି ଏପରି ଏକ ବିରଳ ଗ୍ରନ୍ଥ ସଂପାଦନା ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ। ପୂର୍ବରୁ ଆମେ ସାହିତ୍ୟରେ ଯେଉଁ ପଶୁପକ୍ଷୀ ଓ ଗଛଲତାର କାହାଣୀ ପଢୁଥିଲୁ, ସେସବୁ କାହାଣୀ ପୁନର୍ବାର ପାଠକମାନଙ୍କ ସାମ୍ନାକୁ ଆସିବା ଆବଶ୍ୟକ। ଏହି କରୋନା ମହାମାରୀ ପ୍ରମାଣିତ କରିଦେଇଛି, ପ୍ରକୃତି ସାମ୍ନାରେ ଆମେ କେତେ ତୁଚ୍ଛ। ତେଣୁ ଏହି ଗଳ୍ପ ସଂକଳନ ମାଧ୍ୟମରେ ପାଠକମାନଙ୍କୁ ପ୍ରକୃତି ଓ ଜୀବଜଗତ ପ୍ରତି ଶ୍ରଦ୍ଧାଶୀଳ କରିବାକୁ ମନ୍ତ୍ରୀ ଡକ୍ଟର ସାହୁ ଯେଉଁ ପ୍ରୟାସ କରିଛନ୍ତି ତାହା ଓଡ଼ିଆ ସାହିତ୍ୟରେ ବିରଳ।”“ପୁସ୍ତକକୁ ମଣିଷର ଶ୍ରେଷ୍ଠ ବନ୍ଧୁ ବୋଲି କୁହାଯାଏ। ଲେଖକ-ପାଠକ-ପ୍ରକାଶକଙ୍କ ତ୍ରିବେଣୀ ସଂଗମ ହେଲେ ଭାଷା ଓ ସାହିତ୍ୟ ତିଷ୍ଠି ରହେ। ଆଜିକାଲି ଲୋକଙ୍କର ପଢ଼ିବାର ଆଗ୍ରହ ବଢ଼ିଛି। ସେହି ଆଗ୍ରହ ଅନୁସାରେ ଲେଖକ ଓ ପ୍ରକାଶକଙ୍କ ଆଭିମୁଖ୍ୟ ବଦଳିବା ଆବଶ୍ୟକ। ମଣିଷର ଅହଂକାର ମଣିଷର ବିପତ୍ତିର କାରଣ ହେଉଥିବାବେଳେ ‘ମଣିଷ ବ୍ୟତିରେକ’ ପୁସ୍ତକ ବିପଥଗାମୀ ମଣିଷକୁ ସୁପଥକୁ ଆଣିବାରେ ପଥପ୍ରଦର୍ଶକ ହେବ”, କହିଛନ୍ତି ଓଡ଼ିଆ ଦୈନିକ ଖବରକାଗଜ ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।

ପୁସ୍ତକର ସଂକଳକ ଡକ୍ଟର ଅରୁଣ କୁମାର ସାହୁ ଧନ୍ୟବାଦ ଦେବା ଅବସରରେ ମଣିଷ ଓ ମଣିଷ ବ୍ୟତିରେକ ଅନ୍ୟ ସଜୀବ ଓ ନିର୍ଜୀବ ଜଗତ ସଂପର୍କରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ। ମଣିଷଠାରୁ, ମଣିଷ ବ୍ୟତିରେକମାନେ କିପରି ଶ୍ରେଷ୍ଠ ତାହା ସେ ଆଲୋଚନା କରିଥିଲେ। ଏହି ମଣିଷ ବ୍ୟତିରେକମାନଙ୍କର ବୈଶିଷ୍ଟ୍ୟ ତାଙ୍କୁ ଏପରି ଏକ ପୁସ୍ତକ ସଂକଳିତ କରିବାକୁ ପ୍ରେରଣା ଦେଇଥିଲା ବୋଲି ସେ କହିଥିଲେ।କଥାକାର ଡକ୍ଟର ଅରବିନ୍ଦ ରାୟ ଏହି ପୁସ୍ତକର ସମୀକ୍ଷା କରି ଡକ୍ଟର ଅରୁଣ ସାହୁଙ୍କ ସଂପାଦନାର ଆନ୍ତରିକତା ଓ ବୈଶିଷ୍ଟ୍ୟ ସଂପର୍କରେ ମତବ୍ୟକ୍ତ କରିଥିଲେ। ସେହିପରି ଡକ୍ଟର ଅଜୟ ସ୍ୱାଇଁ ପୁସ୍ତକ ସନ୍ନିବେଶିତ ୨୯ଟି ଗଳ୍ପର ବିଭିନ୍ନ ଦିଗ ସଂପର୍କରେ ଅଲୋକପାତ କରିଥିଲେ। ପ୍ରକାଶନ ସଂସ୍ଥା ଜଗନ୍ନାଥ ରଥ ପକ୍ଷରୁ ଶୁଭେନ୍ଦୁ ଶେଖର ରଥ ପ୍ରକାଶକୀୟ ମନ୍ତବ୍ୟ ପ୍ରଦାନ କରିଥିଲେ।

‘ପକ୍ଷୀଘର’ର ସଂପାଦକ ବନୋଜ ତ୍ରିପାଠୀ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲା ବେଳେ ଓଡ଼ିଶାର ସମସ୍ତ ଜିଲ୍ଲାର ଆବାହକମାନଙ୍କ ସମେତ ୫୦୦ରୁ ଅଧିକ ଲେଖକ-ପାଠକ ଓ ପ୍ରକାଶକମାନେ ଏହି ଲୋକାର୍ପଣ ଉତ୍ସବରେ ସାମିଲ ଦେଇଥିଲେ।

Comment