ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଥମୁନି ଜଙ୍ଗଲ ନିଆଁ। ରାଜ୍ୟର ପ୍ରମୁଖ ଜଙ୍ଗଲରେ ନିଆଁ ଲାଗିବା ଘଟଣା ଏବେ ବଢ଼ିବାରେ ଲାଗିଛି। ଗୋଟେପଟେ ଶିମିଳିପାଳ ଜଙ୍ଗଲ ଜଳୁଥିବାବେଳେ ଅନ୍ୟପଟେ ସୁନ୍ଦରଗଡ଼ ବରସୁଆଁ ବନାଞ୍ଚଳ ଅଧୀନ ସାରକୁଣ୍ଡା ରିଜର୍ଭ ଫରେଷ୍ଟର ଏକ ବଡ଼ ଅଞ୍ଚଳରେ ମଧ୍ୟ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ଏବେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି।
ସାରକୁଣ୍ଡା ଜଙ୍ଗଲରେ ଲାଗିଥିବା ନିଆଁରେ ଅନେକ ଗଛ ପୋଡ଼ି ହୋଇଯିବା ସହ ଏଠାକାର ଜୀବଜନ୍ତୁ ମଧ୍ୟ ହନ୍ତସନ୍ତ ହେଉଛନ୍ତି। ପ୍ରାୟ ଦୁଇ ଦିନ ହେବ ଏହି ଜଙ୍ଗଲ ଜଳୁଥିବା କୁହାଯାଉଛି, ଫଳରେ ନିକଟରେ ଥିବା ଗାଁ ଗୁଡ଼ିକ ଧୁଆଁମୟ ହୋଇଯାଇଛି।
ଅନ୍ୟପଟେ ଶିମିଳିପାଳ ଜଙ୍ଗଲରେ ସପ୍ତାହେ ହେବ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନି। ଶିମିଳିପାଳ ଉତ୍ତର ଜୋନ୍ ବନଖଣ୍ଡରେ ୨୨ଟି ଏବଂ ଦକ୍ଷିଣ ଜୋନ୍ ବନଖଣ୍ଡର ୧୩ଟି ସ୍ଥାନରେ ନିଆଁ ଲାଗିଥିବା ଅଭୟାରଣ୍ୟ କର୍ତ୍ତୃପକ୍ଷ କହିଛନ୍ତି।
ଜଙ୍ଗଲ ନିଆଁ ପ୍ରଭାବରେ ବହୁସଂଖ୍ୟାରେ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଛନ୍ତି। ଏହାସହ ବହୁ ଔଷଧୀୟ ତଥା ମୂଲ୍ୟବାନ ଗଛ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ରାଜ୍ୟର ୧୦ରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଥିବା ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି।
ତେବେ ଜଙ୍ଗଲ ନିଆଁ ଲିଭାଇବା ପାଇଁ ବନ ବିଭାଗ କର୍ମଚାରୀ ଏବଂ ଓଡ୍ରାଫ ଟିମଙ୍କୁ ମୁତୟନ କରାଯାଇଛି। କେବଳ ଶିମିଳିପାଳରେ ଏନେଇ ୩୦୦ଟି ଟିମ୍ ଗଠନ କରଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।
Tags: #Forestfire #Similipal #Wildlife #Wildfire #Odisha