ଓଡ଼ିଶାଲାଇଭ୍ ବ୍ୟୁରୋ

Leopard

ଓଡ଼ିଶାରେ କମୁଛି କଲରାପତରିଆ ବାଘଙ୍କ ସଂଖ୍ୟା। ଗତ ୪ ବର୍ଷରେ ରାଜ୍ୟରେ ୧୯୨ଟି କଲରାପତରିଆ ବାଘ କମିଛନ୍ତି। ଏନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର (ଏନଟିସିଏ) ଷ୍ଟାଟସ ଅଫ୍‌ ଲିଓପାର୍ଡସ ଇନ୍‌ ଇଣ୍ଡିଆ-୨୦୨୨ ରିପୋର୍ଟରୁ ତଥ୍ୟ ପ୍ରକାଶ ପାଇଛି।

ଏନଟିସିଏ ରିପୋର୍ଟ ଅନୁସାରେ ୨୦୧୮ ମସିହାରେ ଓଡ଼ିଶାର ବିଭିନ୍ନ ଅଭୟାରଣ୍ୟରେ ୭୬୦ଟି କଲରାପତରିଆ ବାଘ ଥିଲେ। ହେଲେ ୨୦୨୨ ମସିହା ବେଳକୁ ଏହି ସଂଖ୍ୟା ୫୬୮କୁ ଖସିଆସିଛି। ଗୋଟିଏ ପଟେ ଦେଶରେ କଲରାପତରିଆ ବାଘଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଓଡ଼ିଶାରେ ସେମାନଙ୍କ ସଂଖ୍ୟା ହ୍ରାସ ପାଉଛି।

ଏନଟିସିଏର ଷ୍ଟାଟସ ଅଫ୍‌ ଲିଓପାର୍ଡସ ଇନ୍‌ ଇଣ୍ଡିଆର ସର୍ଭେ ଭାରତର ୨୦ଟି ରାଜ୍ୟରେ କରାଯାଇଥିଲା। ଏହା ଅନୁସାରେ ୨୦୧୮ରେ ଭାରତରେ ୧୨ ହଜାର ୮୫୨ଟି କଲରାପତରିଆ ବାଘ ରହିଥିବାବେଳେ ୨୦୨୨ରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୩ ହଜାର ୮୪୭ରେ ପହଞ୍ଚିଛି। ସେଥିରୁ ମଧ୍ୟପ୍ରଦେଶରେ ସର୍ବାଧିକ ୩,୯୦୭ଟି କଲରାପତରିଆ ବାଘ ରହିଛନ୍ତି। 

ଓଡ଼ିଶାରେ ୫୨ ହଜାର ୧୫୬ ବର୍ଗ କିଲୋମିଟର ଜଙ୍ଗଲ ରହିଛି, ଯାହା ରାଜ୍ୟର ମୋଟ କ୍ଷେତ୍ରଫଳର ୩୩.୫୦ ପ୍ରତିଶତ। ଏହାରି ମଧ୍ୟରେ ଥିବା ସଂରକ୍ଷିତ ଜଙ୍ଗଲ ଓ ଏହା ସଂଲଗ୍ନ ଜଙ୍ଗଲ ମଧ୍ୟରେ କଲରାପତରିଆ ବାଘ ଥିବା ନେଇ ସର୍ଭେ କରାଯାଇଥିଲା। ବିଶେଷ ଭାବରେ ଓଡ଼ିଶାର ଶିମିଳିପାଳ ଓ ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଅଧିକ ସର୍ଭେ ହୋଇଥିଲା।

Tags: #Leopards #NTCAReport #Wildlife #Odisha

Comment