ଓଡ଼ିଶାଲାଇଭ୍ ବ୍ୟୁରୋ

‘ଇଣ୍ଡିଆ ସ୍କିଲ୍ସ-୨୦୨୪’ରେ ଟିମ୍ ଓଡ଼ିଶାକୁ ୧୫ ସ୍ବର୍ଣ୍ଣ ସହ ମୋଟ ୫୨ଟି ପଦକ।

(ଭୁବନେଶ୍ୱର): ‘ଇଣ୍ଡିଆ ସ୍କିଲ୍ସ-୨୦୨୪’ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଟିମ୍ ଓଡ଼ିଶା ଏହି ପ୍ରତିଯୋଗିତାରେ ମୋଟ ୫୨ ଟି ପଦକ ପାଇଛି। ରବିବାର ଦିନ ନୂଆଦିଲ୍ଲୀର ଯଶୋଭୂମିଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସଫଳ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

‘ଇଣ୍ଡିଆ ସ୍କିଲ୍ସ-୨୦୨୪’ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ବ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଅଭିନନ୍ଦନ ଜଣାଇଛନ୍ତି।

ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରାଳୟ ଅଧୀନରେ ଥିବା ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ଦ୍ୱାରା ‘ଇଣ୍ଡିଆ ସ୍କିଲ୍ସ’ କାର୍ଯ୍ୟକ୍ରମ କରାଯାଇଥିଲା।

ଚଳିତ ବର୍ଷ ‘ଇଣ୍ଡିଆ ସ୍କିଲ୍ସ’ ପ୍ରତିଯୋଗିତା ଦେଶର ୯ଟି କେନ୍ଦ୍ରରେ ଆୟୋଜନ କରାଯାଇଥିଲା। ମେ’୧୫ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସହିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ୯୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ।

‘ଓଡ଼ିଶା ସ୍କିଲ୍ସ’ରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ୬୪ ଜଣ ପ୍ରତିଯୋଗୀ ଏଥିରେ ସାମିଲ ହୋଇଥିଲେ। ସେମାନଙ୍କ ଭିତରୁ ୫୨ ଜଣ ଇଣ୍ଡିଆ ସ୍କିଲ୍ସରେ ପଦକ ପାଇଛନ୍ତି। ୧୫ ଜଣ ସ୍ବର୍ଣ୍ଣ ପାଇଥିବା ବେଳେ ୧୬ ଜଣ ରୌପ୍ୟ ଏବଂ ୯ ଜଣ ବ୍ରୋଞ୍ଜ ପାଇଛନ୍ତି। ସେହିପରି ୧୨ ଜଣଙ୍କୁ ମେଡାଲିୟନ ଅଫ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି।

‘ଇଣ୍ଡିଆ ସ୍କିଲ୍ସ’ରେ ମୋବାଇଲ ରୋବୋଟିକ୍ସ, ଇନଫରମେସନ୍ ନେଟୱାର୍କ କେବଲିଂ, ଇଣ୍ଡଷ୍ଟ୍ରିଆଲ କଣ୍ଟ୍ରୋଲ, ମୋବାଇଲ ଆପ୍ଲିକେସନ୍ ଡେଭଲପମେଣ୍ଟ୍, ସାଇବର ସିକ୍ୟୁରିଟି ଭଳି ୪୮ଟି ସ୍କିଲରେ ଓଡ଼ିଶାର ପ୍ରତିଯୋଗୀମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିଥିଲେ। ଏଠାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ମାସରେ ଫ୍ରାନ୍ସରେ ହେବାକୁ ଥିବା ‘ୱାର୍ଲ୍ଡ ସ୍କିଲ୍ସ’ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇବେ।

Tags: #IndiaSkills2024 #NationalSkillCompetition #SkillDevelopment #WSC #OSDA

LEAVE A REPLY

Please enter your comment!
Please enter your name here