ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଘରେ ପାଳନ ହୁଏ ବାର ମାସରେ ତେର ପର୍ବ। ଆଜି ହେଉଛି ସେହି ପବିତ୍ର ପର୍ବ ମଧ୍ୟରୁ ଗୋଟିଏ ‘ସାବିତ୍ରୀ ବ୍ରତ’। ଓଡ଼ିଆ ଘରର ସଧବା ନାରୀମାନେ ସାବିତ୍ରୀ ଅମବାସ୍ୟା ତିଥିରେ ଏହି ବ୍ରତ ପାଳନ କରି ସ୍ୱାମୀଙ୍କର ଦୀର୍ଘ ଜୀବନ କାମନା କରିଥାନ୍ତି।

ଗାଁଠାରୁ ସହର ସବୁଠି ଓଡ଼ିଆ ସଧବାନାରୀ ଏହି ବ୍ରତ ପାଳନ କରୁଛନ୍ତି। ସାବିତ୍ରୀ ବ୍ରତ ଆସିବାର ମାସକୁ ଆଗରୁ ଚାଲିଥାଏ ସଜବାଜ। ନୂଆ ବିବାହ କରିଥିବା ଝିଅର ବ୍ରତ ପାଇଁ ବାପଘରୁ ସାବିତ୍ରୀ ଭାର ଯାଏ। ବିଭିନ୍ନ ପ୍ରକାର ଫଳ ପିଠା, ନୂଆ ଲୁଗା, ଶଙ୍ଖା ଏବଂ ସିନ୍ଦୁର ଦିଆଯାଏ।

ବାପଘରର ନୂଆ ଲୁଗା ପୂଜା କରି ନୂଆ ବୋହୂଟିଏ ପିନ୍ଧି ସ୍ୱାମୀଙ୍କର ଉତ୍ତମ ସ୍ଵାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ବ୍ରତପାଳନ କରିବାର ପରମ୍ପରା ରହିଆସିଛି। କେବଳ ନୂଆ ବୋହୂ ନୁହେଁ ଅନ୍ୟ ସଧବାମାନେ ମଧ୍ୟ ନିଜ ବାପଘରୁ ଆସିଥିବା ନୂଆ ଲୁଗା ପୂଜା କରି ପିନ୍ଧି ଏହି ବ୍ରତ ପାଳନ କରିଥାନ୍ତି।

ପୌରାଣିକ ମତ ଅନୁସାର ସତୀ ସାବିତ୍ରୀ ନିଜର ସତୀତ୍ଵ ଏବଂ ନିଷ୍ଠା ବଳରେ ସ୍ୱାମୀଙ୍କ ଜୀବନ ଯମଙ୍କଠାରୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ। ସତ୍ୟବାନ ଅଳ୍ପାୟୁ ଥିଲେ ବି ପତ୍ନୀ ସାବିତ୍ରୀଙ୍କ ନିଷ୍ଠା ତାଙ୍କୁ ମୃତ୍ୟୁ ଲୋକରୁ ଫେରାଇ ଆଣିଥିଲା।

ଆଜିର ଦିନରେ ନିଜ ସ୍ଵାମୀଙ୍କ ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିବାରୁ ସମାଜ ପାଇଁ ଏବଂ ସଧବା ନାରୀମାନଙ୍କ ପାଇଁ ନୂଆ ଆଶା ପାଲଟି ଯାଇଥିଲେ ସାବିତ୍ରୀ। ସେହି ଦିନଠାରୁ ସତୀ ସାବିତ୍ରୀଙ୍କ ନାଁ ଅନୁସାରେ ଏହି ଅମବାସ୍ୟାକୁ ସାବିତ୍ରୀ ଅମବାସ୍ୟାରେ ନାମିତ କରାଯାଇ ସାବିତ୍ରୀ ବ୍ରତ ପାଳନ ଆରମ୍ଭ ହୋଇଥିଲା। ଦୀର୍ଘ ବର୍ଷ ହେଲା ସ୍ଵାମୀଙ୍କ ଧୀର୍ଘାୟୁ କାମନା କରି ସଧବା ନାରୀମାନେ ସାବିତ୍ରୀ ବ୍ରତ ପାଳନ କରି ଆସୁଛନ୍ତି।

ସକାଳୁ ସଧବାନାରୀମାନେ ମନ୍ଦିର ଏବଂ ଚଉରା ମୂଳେ ଏକାଠି ହୋଇ ନୂଆ ଲୁଗା, ଶଙ୍ଖା, ସିନ୍ଦୁର, ଅଳତା, ବିଭିନ୍ନ ପ୍ରକାରର ଫଳ ଏବଂ ପୂଜା ସାମଗ୍ରୀ ଆଣି ପୂଜା କରିଥାନ୍ତି। ପୂଜା ପରେ ଘରର ସମସ୍ତ ଗୁରୁଜନମାନଙ୍କର ଆଶୀର୍ବାଦ ନେବା ପରେ ପ୍ରସାଦ ସେବନ କରିଥାନ୍ତି।

Tags: #Savitri #SavitriBrata #Festival #OdiaCulture #Rituals

LEAVE A REPLY

Please enter your comment!
Please enter your name here