ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ‘ପ୍ରଜାପତି’ ଅନୁଷ୍ଠାନ ପକ୍ଷରୁ ‘ହୋରାଇଜନ୍’ ନାମକ ପାଠକ ସନ୍ଧ୍ୟାର ଆୟୋଜିତ ହୋଇଛି। ଅନୁଷ୍ଠାନର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସଙ୍କ ପୌରୋହିତ୍ୟରେ ସୋମବାର ସ୍ଥାନୀୟ ‘ଆତିଥ୍ୟ’ ଭବନରେ ଏହା ଅନୁଷ୍ଠିତ ହୋଇଥିଲା। ଫକୀରମୋହ‌ନ ତଥା ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ଏହି ପାଠକ ସନ୍ଧ୍ୟାକୁ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନେକ ଲେଖକ ଲେଖିକା, ବୁଦ୍ଧିଜୀବୀ, ପାଠକ ପାଠିକା ଯୋଗ ଦେଇଥିଲେ। ଯୁବପିଢ଼ିର ଜଣେ ପାଠକଙ୍କୁ ବହି ପଢ଼ିବା ଦିଗରେ ପ୍ରୋତ୍ସାହିତ କରିବା ଏହି ପାଠକ ସନ୍ଧ୍ୟାର ଲକ୍ଷ୍ୟ ରହିଥିଲା।

“ଶିକ୍ଷା ଓ ଜ୍ଞାନର ବିକାଶ ଘଟିଲେ ମନ ଅନ୍ତରାଳରେ ଥୁବା ସତ୍ୟତାକୁ ଅନୁଭବ କରି ହୁଏ। ଏହାକୁ ହିଁ ସାହିତ୍ୟ କୁହାଯାଏ। ଏକ ବୌଦ୍ଧିକ ସଚେତନତାର ସର୍ଭେ ଉପସ୍ଥାପନ କରି ବିବିଧ ଭାଷାର ସାହିତ୍ୟ ପଠନ ନକଲେ ଆମେ ଅନ୍ଧକାର ଭିତରେ ରହିଯିବୁ”, କହିଛନ୍ତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ।

ଏହି କାର୍ଯ୍ୟକ୍ରମରେ ଯୁବ ପାଠିକା ପ୍ରୀତିକ୍ରିଷ୍ଣା ଦାସ ବିଭିନ୍ନ ପୁସ୍ତକ ଓ ଉପନ୍ୟାସର ମୂଳ ତତ୍ତ୍ଵ ଉପସ୍ଥାପନ କରିଥିଲେ। ଏଥିରେ ସେ ଗୋଦାବରୀଶ ମହାପାତ୍ରଙ୍କ ‘ଶ୍ରେଷ୍ଠଗଳ୍ପ’, ବିଭୂତି ପଟ୍ଟନାୟକଙ୍କ ‘ବଧୁ ନିରୂପମା’, ହିନ୍ଦୀ ଭାଷାର ପ୍ରେମଚାନ୍ଦଙ୍କ ‘ଗୋଦାନ’ ଏବଂ ଇଂରାଜୀ ଭାଷାର ସେକ୍‌ସପିୟରଙ୍କ ‘ହେମଲେଟ୍’ ନାଟକ, ଟଲଷ୍ଟୟଙ୍କ ‘ୱାର ଏଣ୍ଡ୍ ପିସ୍’ ଉପନ୍ୟାସ, ସମକାଳୀନ ଭାରତୀୟ ଔପନ୍ୟାସିକ ଚେତନ ଭଗତ୍‌ଙ୍କ ‘ଥ୍ରୀ ମିଷ୍ଟେକ୍ସ ଅଫ୍ ଲାଇଫ୍’ ତଥା ଅଜୟ ପାଣ୍ଡେଙ୍କ ‘ୟୁ ଆର୍ ମାଇଁ ବେଷ୍ଟ ୱାଇଫ୍’ ଉପନ୍ୟାସ ଉପରେ ନିଜର ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ କବି ଶ୍ରୀଦେବ, କବି ତଥା ଗାଳ୍ପିକ ଗଙ୍ଗାଧର ବିଶ୍ଵାଳ, କବି ତଥା ଗାଳ୍ପିକ କୃଷ୍ଣ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ଶଶିରଞ୍ଜନ ମଲ୍ଲିକ ଏବଂ କବି କ୍ରିଟିକ୍ ଉତ୍ପଳ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।  

Tags: #PrajapatiOrganization #Horizon #Readers #Literature #Baleswar

LEAVE A REPLY

Please enter your comment!
Please enter your name here