ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ବିଭିନ୍ନ ପରୀକ୍ଷାରେ ଅନିୟମିତତା ଓ ପେପର ଲିକ୍ ବିରୋଧରେ ଆସିଛି କଡ଼ା ଆଇନ। ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ପେପର ଲିକ୍ ରୋକିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପବ୍ଲିକ୍ ଏକ୍ସାମିନେସନ୍ସ (ପ୍ରିଭେନସନ୍ ଅଫ୍ ଅନଫେୟାର୍‌ ମିନ୍ସ) ଆଇନ ୨୦୨୪ ପ୍ରଣୟନ କରିଛନ୍ତି। ସାରା ଦେଶରେ ଏବେ ନିଟ୍ ପରୀକ୍ଷାକୁ ନେଇ ବିବାଦ ଜାରି ରହିଥିବାବେଳେ ଏହି ନୂଆ ଆଇନ ଲାଗୁ ହୋଇଛି।

ଏହି ଆଇନ ଅନୁଯାୟୀ ପରୀକ୍ଷାରେ ବିଭ୍ରାଟ କିମ୍ବା ପ୍ରଶ୍ନପତ୍ର ଲିକ୍ କରିଥିବା ବ୍ୟକ୍ତିଙ୍କୁ ୩ରୁ ୫ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏହାସହ ଦୋଷୀକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ।

ସେହିପରି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥାର ଭୁଲ୍ କିମ୍ବା ଦୁର୍ନୀତି ସାମ୍ନାକୁ ଆସିଲେ ଏହାକୁ ୧ କୋଟି ଟଙ୍କାର ଜୋରିମାନା ଦେବାର ପ୍ରବଧାନ ନୂଆ ନିୟମରେ ରହିଛି। ଏହାସହ ୪ ବର୍ଷ ପର୍ଯ୍ୟନ୍ତ ଉକ୍ତ ସଂସ୍ଥାକୁ କୌଣସି ପ୍ରବେଶିକା ପରୀକ୍ଷା ପରିଚାଳନା କରିବାକୁ ଦିଆଯିବ ନାହିଁ।

ୟୁପିଏସସି, ଏସଏସସି, ରେଲୱେ ତଥା ବ୍ୟାଙ୍କ ନିଯୁକ୍ତି ପରୀକ୍ଷା ଏବଂ ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷା ଏହି ଆଇନରେ ଅନ୍ତର୍ଭୁକ୍ତ ହେବ। ଯାହାଦ୍ଵାରା ଏଥିରେ ଅନିୟମିତତାକୁ ରୋକିବାକୁ ଲକ୍ଷ୍ୟ ରଖାଯାଇଛି।

ଚଳିତ ବର୍ଷ ଫେବ୍ରୁଆରି ମାସରେ ସଂସଦରେ ପବ୍ଲିକ୍ ଏକ୍ସାମିନେସନ୍ସ (ପ୍ରିଭେନସନ୍ ଅଫ୍ ଅନଫେୟାର୍‌ ମିନ୍ସ) ବିଲ୍ ଆଗତ ହୋଇଥିଲା। ହେଲେ ସତେବେଳେ ଏହାକୁ କାର୍ଯ୍ୟକାରୀ କରାଯାଇ ନଥିଲା।  

Tags: #AntiPaperLeakAct #Examinations #PaperLeak #Education #India

LEAVE A REPLY

Please enter your comment!
Please enter your name here