ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବରର ତିରିଶ ଦିନ’ ନାଟକର ଆୟୋଜନ ପାଇଁ ଆୟୋଜକଙ୍କ ତରଫରୁ କରାଯାଉଛି କ୍ରାଉଡ୍ ଫଣ୍ଡିଂ।

ଆଜିର ଦୁନିଆରେ ଅନେକ କୋମଳମତି ଶିଶୁ ବିଶେଷ କରି କନ୍ୟାମାନେ ନିଜ ପରିବାର ଭିତରେ ବି ସୁରକ୍ଷିତ ନାହାନ୍ତି। ସେମାନେ ପରିବାରର ନିକଟ ସମ୍ପର୍କୀୟଙ୍କ ଦ୍ଵାରା ବିଭିନ୍ନ ସମୟରେ ଯୌନ ନିର୍ଯାତନାର ଶିକାର ହେଉଥିବା ଦେଖିବାକୁ ମିଳେ। ଏଭଳି ଘଟଣା ବହୁତ ଘଟୁଥିଲେ ମଧ୍ୟ ଏ ବାବଦରେ ବାହାର ଲୋକ କିଛି ଜାଣିପାରନ୍ତି ନାହିଁ କିମ୍ବା ଅପରାଧୀକୁ ଆଇନର ପରିସର ଭିତରକୁ ଟଣାଯାଇ ପାରେନାହିଁ। ତେବେ ସେହି ଶିଶୁକନ୍ୟାମାନେ ଯେତେବେଳେ ବଡ଼ ହୁଅନ୍ତି, ସେତେବେଳେ ଭୟ, ଆଶଙ୍କା, ଘୃଣା ତଥା ଦୁଃଖ ଓ ମାନସିକ ଚାପ ମଧ୍ୟରେ ସେମାନଙ୍କ ଜୀବନ କଟେ।

ଏଭଳି ଏକ କାହାଣୀକୁ ଆଧାରକରି ଭୁବନେଶ୍ଵର ଭଞ୍ଜକଳା ମଣ୍ଡପରେ ଜୁଲାଇ ୫ ଏବଂ ୬ ତାରିଖରେ ଏକ ବିଶେଷ ଥିଏଟର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏହି ନାଟକର ନାଁ ରହିଛି ‘ସେପ୍ଟେମ୍ବରର ତିରିଶ ଦିନ’। ଏଥିପାଇଁ ଏବେ ଆୟୋଜକଙ୍କ ତରଫରୁ କ୍ରାଉଡ୍ ଫଣ୍ଡିଂ କରାଯାଉଛି। ନାଟକର ଆୟୋଜନ ଲାଗି ଆର୍ଥିକ ସହଯୋଗ ପାଇଁ ଏହାର ପ୍ରଯୋଜକ ସଂଯୋଗିତା ମିଶ୍ର ଅନୁରୋଧ କରିଛନ୍ତି।

ଆଗ୍ରହୀ ବ୍ୟକ୍ତିମାନେ ନାଟକର ଆୟୋଜନ ପାଇଁ ଆର୍ଥିକ ସହଯୋଗ କରିପାରିବେ। ଏଥିଲାଗି milaap.orgର ଲିଙ୍କକୁ ଯାଇ ଡୋନେଟ କରିହେବ। ଅଥବା ନିମ୍ନୋକ୍ତ କ୍ୟୁଆର କୋଡକୁ ସ୍କାନ କରି ଲୋକେ ଅର୍ଥ ଦାନ କରିପାରିବେ।      

‘ଇନଷ୍ଟିଚ୍ୟୁଟ୍ ଅଫ ନଲେଜ ସୋସାଇଟିଜ୍’ ବ୍ୟାନରରେ ପରିବେଷଣ ହେବାକୁ ଯାଉଛି ନାଟକ ‘ସେପ୍ଟେମ୍ବରର ତିରିଶ ଦିନ’। ନାଟକଟି ଓଡ଼ିଆ ଭାଷାରେ ପରିବେଷଣ କରାଯିବ। ଏହି ନାଟକଟିକୁ ଭାରତର ଜଣାଶୁଣା ନାଟ୍ୟକାର ମହେଶ ଦତ୍ତାନି ହିନ୍ଦୀରେ ଲେଖିଥିବା ବେଳେ ଏହାର ଓଡ଼ିଆ ରୂପାନ୍ତର ଓ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଫେସର ଡକ୍ଟର ସତ୍ୟବ୍ରତ ରାଉତ।

‘ସେପ୍ଟେମ୍ବରର ତିରିଶ ଦିନ’ ନାଟକର ପ୍ରଯୋଜକ ରହିଛନ୍ତି ସଂଯୋଗିତା ମିଶ୍ର। ସେ କହିଛନ୍ତି ଯେ, “ଶିଶୁ ଯୌନ ନିର୍ଯାତନା ଭଳି ଗମ୍ଭୀର ଘଟଣା ବାବଦରେ ସମାଜକୁ ସଚେତନ କରିବା ପାଇଁ ଆମେ ଏହି ଥିଏଟରର ଆୟୋଜନ କରୁଛୁ। ଏହି ଭଳି ବିଷୟକୁ ପରିବାର ମଧ୍ୟରେ ନଦବାଇ, ଲୋକେ ସାମ୍ନାକୁ ଆଣନ୍ତୁ ବୋଲି ଆମର ଉଦ୍ଦେଶ୍ୟ ରହିଛି। ଏହି ନାଟକରେ ଜଣେ ଶିଶୁ କନ୍ୟା ପ୍ରତି ତା’ର ମା’ର ଦାୟିତ୍ଵବୋଧକୁ ବି ସୁନ୍ଦର ଭାବେ ଦର୍ଶାଯାଇଛି। ଲୋକେ ବହୁ ସଂଖ୍ୟାରେ ଆସି ଏହି ନାଟକକୁ ଦେଖିବେ ବୋଲି ମୋର ଆଶା।”

ସଂଯୋଗିତା ମିଶ୍ର ଦୀର୍ଘ ସମୟ ଧରି କର୍ପୋରେଟ୍ କ୍ଷେତ୍ରରେ କାର୍ଯ୍ୟ କରିବା ପରେ ଏଭଳି ସାମାଜିକ ସଚେତନତାମୂଳକ ବିଷୟରେ ନାଟକର ପ୍ରଯୋଜନା ପାଇଁ ଆଗେଇ ଆସିଛନ୍ତି। ଏହାସହ ସେ ନିଜେ ଏହି ନାଟକରେ ଅଭିନୟ ମଧ୍ୟ କରୁଛନ୍ତି।

ନାଟ୍ୟକାର ମହେଶ ଦତ୍ତାନି

ମହେଶ ଦତ୍ତାନି ଏକାଧାରରେ ଜଣେ ନାଟ୍ୟ ନିର୍ଦ୍ଦେଶକ, ଅଭିନେତା, ନାଟ୍ୟକାର ଏବଂ ଲେଖକ। ‘ଫାଇନାଲ ସଲ୍ୟୁସନ୍ସ’, ‘ଡ୍ୟାନ୍ସ ଲାଇକ୍ ଏ ମ୍ୟାନ’, ବ୍ରେଭଲି ଫଟ୍ ଦ କ୍ଵିନ’, ‘ଅନ ଏ ମଗୀ ନାଇଟ୍ ଇନ ମୁମ୍ବାଇ’, ‘ତାରା’, ‘ଥାଟି ଡେଜ ଇନ ସେପ୍ଟେମ୍ବର ୨୦୦୭’ ଏବଂ ‘ଦ ବିଗ୍ ଫ୍ୟାଟ ସିଟି’ ଆଦି ମହେଶଙ୍କ ଲିଖିତ ଅନ୍ୟତମ ଲୋକପ୍ରିୟ ନାଟକ।

ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାରେ ମହେଶ ଦତ୍ତାନି ହେଉଛନ୍ତି ପ୍ରଥମ ଇଂରାଜୀ ନାଟ୍ୟକାର। ଅରବିନ୍ଦ ଗୌର, ଆଲିକ୍ ପଦମସୀ ଏବଂ ଲିଲେଟ ଦୁବେଙ୍କ ଭଳି ବହୁ ଖ୍ୟାତନାମା ନିର୍ଦ୍ଦେଶକ ତାଙ୍କ ନାଟକଗୁଡ଼ିକର ନିର୍ଦ୍ଦେଶନା ଦେଇଛନ୍ତି।

ଡକ୍ଟର ସତ୍ୟବ୍ରତ ରାଉତ

ପ୍ରଫେସର ଡକ୍ଟର ସତ୍ୟବ୍ରତ ରାଉତ ହେଉଛନ୍ତି ଥିଏଟର ଦୁନିଆର ଜଣେ ପରିଚିତ ବ୍ୟକ୍ତିତ୍ଵ। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ସେ ‘ଭିଜୁଆଲ ଥିଏଟର’ ଏବଂ ‘ଇଣ୍ଡିଆନ ସିନୋଗ୍ରାଫି’ ରେ ସ୍ନାତକ ଡିଗ୍ରୀ ହାସାଲ କରିଛନ୍ତି। ‘ଡିଜାଇନ ଆଣ୍ଡି ଡାଇରେକ୍ସନ’ରେ ସେ ସ୍ପେସାଲାଇଜେସନ କରିଛନ୍ତି। ଏହ ପରେ ସେ ବିଶ୍ଵର ବିଭିନ୍ନ ନାଟକ ଏକାଡେମୀରୁ ସେନୋଗ୍ରାଫିରେ ଆଡଭାନ୍ସ କୋର୍ସ କରିଛନ୍ତି।

ନାକଟ ନିର୍ଦ୍ଦେଶନା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଡକ୍ଟର ସତ୍ୟବ୍ରତ ରାଉତ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ଓ ସମ୍ମାନ ପ୍ରାପ୍ତ କରିଛନ୍ତି।

‘ସେପ୍ଟେମ୍ବରର ତିରିଶ ଦିନ’ ଥିଏଟର ପ୍ରଡକ୍ସନର କମ୍ୟୁନିକେସନ ପାର୍ଟନର ରହିଛି ‘ଓଡ଼ିଶାଲାଇଭ୍’।

Tags: #ThirtyDaysinSeptember #Theatre #ChildSexualAbuse #Play #Crowdfunding

LEAVE A REPLY

Please enter your comment!
Please enter your name here