ଓଡ଼ିଶାଲାଇଭ୍ ବ୍ୟୁରୋ

ସିନେ ପ୍ରେମୀମାନଙ୍କ ପାଇଁ ଖୁସି ଖବର। ରାଜ୍ୟରେ ଜାନୁଆରି ମାସରେ ସିନେମା ହଲ୍ ଏବଂ ଥିଏଟରଗୁଡ଼ିକୁ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଏଥିସହ ଯାତ୍ରା ଏବଂ ମୁକ୍ତାକାଶ ରଙ୍ଗମଞ୍ଚ ଆଦି ଖୋଲିବା ଦାୟିତ୍ଵ ସ୍ଥାନୀୟ ପ୍ରଶାସନ ଉପରେ ଛାଡ଼ିଛନ୍ତି ସରକାର।

ହଲ୍, ଥିଏଟର ଖୋଲିବା ପରେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ମାତ୍ର ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସୋ’ ଚାଲିବ। ଅର୍ଥାତ୍ ଅଧା ଦର୍ଶକ ହଲ୍‌ରେ ବସି ସୋ’ ଦେଖିପାରିବେ। ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କରି ଏବାବଦରେ ସୂଚନା ଦେଇଛନ୍ତି ରାଜ୍ୟ ସରକାର।

ସେହିପରି ଯାତ୍ରା ଏବଂ ମୁକ୍ତାକାଶ ରଙ୍ଗମଞ୍ଚ ଆଦି ସ୍ଥାନୀୟ ପ୍ରଶାସନର ଅନୁମତିରେ ଖୋଲିପାରିବ ବୋଲି ସରକାର କହିଛନ୍ତି। କୋଭିଡ଼ ଗାଇଡଲାଇନ ଅନୁସାରେ ଏହିସବୁକୁ ଖୋଲିବାକୁ ଅନୁମତି ମିଳିପାରିବ ବୋଲି ସରକାର ନିର୍ଦ୍ଦେଶନାମରେ କହିଛନ୍ତି।

କରୋନା ପାଇଁ ଦୀର୍ଘ ୧୦ ମାସ ହେବ ରାଜ୍ୟରେ ସିନେମା ହଲ୍ ଏବଂ ଥିଏଟର ଆଦି ବନ୍ଦ ଥିଲା। ଅନଲକ୍‌ରେ କେନ୍ଦ୍ର ସରକାର ସିନେମା ହଲ୍ ଏବଂ ଥିଏଟର ଖୋଲିବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ରାଜ୍ୟରେ ଏହି ସବୁ ଖୋଲିବା ଉପରେ ରୋକ ଲଗାଇଥିଲେ ରାଜ୍ୟ ସରକାର।

Comment