ଓଡ଼ିଶାଲାଇଭ୍ ବ୍ୟୁରୋ

ମୁସଲିମ ମହିଳାମାନଙ୍କ ଅଧିକାରକୁ ନେଇ ବୁଧବାର ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏବେ ଛାଡ଼ପତ୍ର ପାଇଥିବା ମୁସଲିମ୍ ମହିଳା ସେମାନଙ୍କ ସ୍ଵାମୀଙ୍କଠାରୁ ଭରଣପୋଷଣ ପାଇଁ ଖର୍ଚ୍ଚ ପାଇପାରିବେ। ଏହି କ୍ଷେତ୍ରରେ କୌଣସି ଧାର୍ମିକ ଆଇନ ଲାଗୁ ହେବନାହିଁ ବୋଲି ସୁପ୍ରିମକୋର୍ଟ ନିଜ ରାୟରେ ଦର୍ଶାଇଛନ୍ତି।

ସିଆରପିସିର ଧାରା ୧୨୫ ଅନୁସାରେ ଛାଡ଼ପତ୍ର ପରେ ବି ସ୍ଵାମୀଜଣଙ୍କ ସ୍ତ୍ରୀର ଭରଣପୋଷଣ ଦାୟିତ୍ଵ ନେବାକୁ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ବି.ଭି ନାଗରତ୍ନା ଏବଂ ଅଗଷ୍ଟିନ୍ ଜର୍ଜ ମାସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।।

ତେଲାଙ୍ଗାନାର ଜଣେ ମୁସଲିମ ମହିଳା ଓ ତାଙ୍କ ସ୍ଵାମୀ ମହମ୍ମଦ ଅବଦୁଲ ମସାଦଙ୍କ ମଧ୍ୟରେ ୨୦୧୭ରେ ଛାଡ଼ପତ୍ର ହୋଇଥିଲା। ହେଲେ ମହିଳା ଜଣକ ଆଇନ ଅନୁଯାୟୀ ସ୍ଵାମୀଙ୍କଠାରୁ ଭରଣପୋଷଣ ପାଇଁ ଦାବି କରି ତେଲାଙ୍ଗାନା ହାଇକୋର୍ଟରେ ଆବେଦନ କରିଥିଲେ।

ଏଥିରେ ହାଇକୋର୍ଟ ଅବଦୁଲ ମସାଦଙ୍କୁ ତାଙ୍କ ସ୍ତ୍ରୀଙ୍କ ଭରଣ ପୋଷଣ ପାଇଁ ମାସିକ ୧୦ ହଜାର ଟଙ୍କା ଦେବାକୁ ରାୟ ଶୁଣାଇଥିଲେ। ଏହାପରେ ଅବଦୁଲ ମସାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଅବଦୁଲଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ, ଛାଡ଼ପତ୍ରକୁ ନେଇ ସଂରକ୍ଷଣ ଅଧିକାର ଆଇନ ୧୯୮୬ ଅନୁସାରେ ଜଣେ ମୁସଲିମ ମହିଳା ସିଆରପିସିର ଧାରା ୧୨୫ ଆଧାରରେ ଭରଣପୋଷଣ ପାଇଁ ଖର୍ଚ୍ଚ ପାଇବା ପାଇଁ ଦାବି କରିପାରିବେ ନାହିଁ।

ଏହାକୁ ଖଣ୍ଡନ କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ମହିଳାମାନଙ୍କ ଭରଣପୋଷଣ କ୍ଷେତ୍ରରେ କୌଣସି ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ। କେବଳ ମୁସଲିମ ମହିଳା ନୁହଁନ୍ତି, ସବୁ ଧର୍ମର ମହିଳା ଏହି ଅଧିକାର ପାଇଛନ୍ତି। ଏହାସହ ସେ ଅବଦୁଲ ମସାଦଙ୍କୁ ତାଙ୍କ ସ୍ତ୍ରୀଙ୍କ ଭରଣପୋଷଣ ପାଇଁ ମାସିକ ୨୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Tags: #MuslimWomen #Divorce #Alimony #SupremeCourt #India

Comment