ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରର ଡୋଡ଼ା ଜିଲ୍ଲାରେ ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୋମବାର ବିଳମ୍ବିତ ରାତିରେ ହୋଇଥିବା ଏହି ଏନକାଉଣ୍ଟରରେ ଆତଙ୍କବାଦୀଙ୍କ ଗୁଳିରେ ୪ ଜଣ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ମଧ୍ୟରେ ସେନାର ଜଣେ ମେଜର ରହିଛନ୍ତି। ତେବେ ଏନକାଉଣ୍ଟର ପରେ ଆତଙ୍କବାଦୀମାନେ ଖସି ପଳାଇଥିବାବେଳେ ସେମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଡୋଡ଼ା ଜିଲ୍ଲାର ଦେଶା ଜଙ୍ଗଲରେ ୬ରୁ ୮ ଜଣ ଆତଙ୍କବାଦୀ ଏକ କ୍ୟାମ୍ପ କରି ରହିଥିବା ନେଇ ସେନାକୁ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ଏହାପରେ ସୋମବାର ରାତିରେ ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ମିଳିତ ଘେରାବନ୍ଦି କରି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା।

ସର୍ଚ୍ଚ ଅପରେସନ ବେଳେ ସେନାର ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ ‌ହୋଇଥିଲେ। ଏହାପରେ ଲୁଚି ରହିଥିବା ସ୍ଥାନରୁ ଆତଙ୍କବାଦୀମାନେ ଆଖିବୁଜା ଗୁଳିଚାଳନା କରିଥିଲେ। ୨୦ ମିନିଟରୁ ଅଧିକ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ସେନାର ଜଣେ ଅଧିକାରୀଙ୍କ ସମେତ ୪ ଜଣ ଯବାନ ସହିଦ ହୋଇଥିଲେ। ଏହାସହ ଜମ୍ମୁ କଶ୍ମୀର ପୋଲିସର ଜଣେ କର୍ମଚାରୀ ଆହତ ହୋଇଥିଲେ।

ଏନକାଉଣ୍ଟର ପରେ ଖସି ପଳାଇଥିବା ଅତାଙ୍କବାଦୀମାନେ ସେହି ପାଖାପାଖି ଅଞ୍ଚଳରେ ଲୁଚି ଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ଠାବ କରିବା ପାଇଁ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।   

ଜୈଶ-ଏ-ମହମ୍ମଦର (ଜେଏଏମ) ‘କାଶ୍ମୀର ଟାଇଗର୍ସ’ ଆତଙ୍କବାଦୀ ଗୋଷ୍ଠୀ ଏହି ଆକ୍ରମଣରେ ସାମିଲ ଥିବା ସନ୍ଦେହ କରାଯାଉଛି।

Tags: #Encounter #IndianArmy #Terrorists #Doda #Jammu&Kashmir

LEAVE A REPLY

Please enter your comment!
Please enter your name here