ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କ୍ରୀଡ଼ା କ୍ଷେତ୍ରରେ ପ୍ରଦାନ କରାଯାଉଥିବା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ ବଦଳିଛି। ଏହି କ୍ରୀଡ଼ା ପୁରସ୍କାରକୁ ଏବେ ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ ଭାବେ ନାମିତ କରିଛନ୍ତି ରାଜ୍ୟ ସରକାର। ପୁରସ୍କାରରୁ ବିଜୁ ପଟ୍ଟନାୟକଙ୍କ ନାମ ହଟାଇ ଦିଆଯାଇଛି।

ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥାଏ। ହେଲେ ଚଳିତବର୍ଷର ପୁରସ୍କାର ଲାଗି ପଞ୍ଜୀକରଣ ବାବଦରେ କ୍ରୀଡ଼ା ଓ ଯୁବସେବା ବିଭାଗ ଜାରି କରିଥିବା ବିଜ୍ଞପ୍ତିରେ ଏହାକୁ ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ ଭାବେ ଦର୍ଶାଯାଇଛି।

ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା ଖେଳାଳି, କୋଚ୍, କ୍ରୀଡ଼ା ଅନୁଷ୍ଠାନ ତଥା କ୍ରୀଡ଼ା ସାମ୍ବାଦିକମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥିରେ ସେମାନଙ୍କୁ ମାନପତ୍ର ସହ ଆର୍ଥିକ ପୁରସ୍କାର ମଧ୍ୟ ପ୍ରଦାନ କରିଥାନ୍ତି ରାଜ୍ୟ ସରକାର।

୨୦୦୧ ମସିହାରେ ରାଜ୍ୟ ସରକାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଆରମ୍ଭ କରିଥିଲେ। ୮ଟି ବର୍ଗରେ ଏହି ପୁରସ୍କାର ଦିଆଯାଉଛି।

Tags: #BijuPatnaikKridaPuraskar #OdishaRajyaKridaSamman #Sports #Odisha

Comment