ଆଶିଷ କୁମାର ରାୟ

ଅଲିମ୍ପିକ ହେଉଛି ବିଶ୍ୱର ସର୍ବବୃହତ କ୍ରୀଡ଼ା ମହୋତ୍ସବ। ସାରା ଦୁନିଆର ଅଗଣିତ କ୍ରୀଡ଼ାନୁରାଗୀ, କ୍ରୀଡ଼ା ସହିତ ସଂପୃକ୍ତ ବ୍ୟକ୍ତିବିଶେଷ ତଥା କ୍ରୀଡ଼ାବିତମାନଙ୍କ ପାଇଁ ଏହା ପ୍ରତି ଆକର୍ଷଣ ରହିଛି। ଆଉ ଏହି ଆକର୍ଷଣ ହିଁ ବିଭିନ୍ନ ଦେଶର କ୍ରୀଡ଼ାବିତମାନଙ୍କୁ ଟାଣି ନିଏ ଅଲିମ୍ପିକ ଆଡ଼କୁ।

ଅଲିମ୍ପିକର କ୍ରୀଡ଼ାଙ୍ଗନରେ ଅବତୀର୍ଣ୍ଣ ହେବା ଏତେ ସହଜ କଥା ନୁହେଁ। ଏଥିପାଇଁ ଖେଳାଳିମାନଙ୍କୁ ବିଧିବଦ୍ଧ ଭାବେ ଯୋଗ୍ୟତା ହାସଲ କରିବାକୁ ପଡ଼ିଥାଏ। ଯଦି ଦଳଗତ କ୍ରୀଡ଼ାର ଖେଳାଳି ହୋଇଥାନ୍ତି ତେବେ ସଂପୃକ୍ତ କ୍ରୀଡ଼ାର ଜାତୀୟ ଦଳରେ ସାମିଲ ହେବାର ଯୋଗ୍ୟତା ରଖିବାକୁ ପଡ଼ିଥାଏ।

ଏଯାବତ ଆମ ରାଜ୍ୟ ଓଡ଼ିଶାରୁ ମାତ୍ର ୧୬ ଜଣ ଖେଳାଳି ଅଲିମ୍ପିକକୁ ଯିବାର ସୁଯୋଗ ପାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଦଶଜଣ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ହକି ତାରକା। ଆସନ୍ତୁ ଆମେ ଏବେ ନଜର ଦେବା ବିଶ୍ୱର ସର୍ବବୃହତ କ୍ରୀଡ଼ା ମହୋତ୍ସବରେ ଅଂଶଗ୍ରହଣ କରିଥିବା ଆମ ଓଡ଼ିଆ ତାରକା ଓ ସେମାନଙ୍କ ପ୍ରଦର୍ଶନ ଉପରେ।

ଅଲିମ୍ପିକରେ ପ୍ରଥମ ଓଡ଼ିଆ – ଦିଲ୍ଲୀପ ତିର୍କୀ

ଅଲିମ୍ପିକରେ ଆମ ରାଜ୍ୟର ଖେଳାଳିମାନଙ୍କ ପଦାର୍ପଣର ଇତିହାସ ବିଶେଷ ପୁରୁଣା ନୁହେଁ। ୧୮୯୬ ମସିହାରେ ଆଧୁନିକ ଅଲିମ୍ପିକ ଆରମ୍ଭ ହେବାର ଦୀର୍ଘ ଶହେ ବର୍ଷ ପରେ ଯାଇ ୧୯୯୬ର ଆଟଲାଣ୍ଟାରେ ଅନୁଷ୍ଠିତ ଅଲିମ୍ପିକରେ ପ୍ରଥମଥର ସକାଶେ ଦେଖିବାକୁ ମିଳିଥିଲା ଓଡ଼ିଶାର କୌଣସି କ୍ରୀଡ଼ାବିତଙ୍କୁ। ଆମ ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାର ହକି ତାରକା ଦିଲ୍ଲୀପ ତିର୍କୀ ହିଁ ଥିଲେ ଅଲିମ୍ପିକରେ ଅଂଶଗ୍ରହଣ କରିବା ଦିଗରେ ପ୍ରଥମ ଓଡ଼ିଆ।

ଦିଲ୍ଲୀପ ଯେତେବେଳେ ଆଟଲାଣ୍ଟା ଅଲିମ୍ପିକ ପାଇଁ ଭାରତୀୟ ହକି ଦଳରେ ସାମିଲ ହୋଇଥିଲେ ସେତେବେଳେ ତାଙ୍କୁ ହୋଇଥିଲା ମାତ୍ର ୧୮ ବର୍ଷ। ସମୁଦାୟ ପ୍ରତିଯୋଗିତାରେ ସେ ଦୁଇଟି ଗୋଲ ଦେବା ସହିତ ରକ୍ଷଣ ଭାଗରେ ଅଧିନାୟକ ପରଗତ୍ ସିଂହଙ୍କ ସହିତ ମୋଟାମୋଟି ଭଲ ପ୍ରଦର୍ଶନ କରିଥିଲେ। ହେଲେ ଭାରତୀୟ ଦଳ ଆଟଲାଣ୍ଟା ଠାରେ ରହିଯାଇଥିଲା ଅଷ୍ଟମ ସ୍ଥାନରେ।

ଏହାପରେ ଦିଲ୍ଲୀପ ତିର୍କୀ ୨୦୦୦ ମସିହାରେ ସିଡନୀ ଓ ୨୦୦୪ ମସିହାରେ ଏଥେନ୍ସଠାରେ ଅନୁଷ୍ଠିତ ପରବର୍ତ୍ତୀ ଦୁଇଟି ଅଲିମ୍ପିକରେ ମଧ୍ୟ ଭାଗ ନେବାର ଗୌରବ ହାସଲ କରିଥିଲେ। ଦେଖିବାକୁ ଗଲେ ତିନିଟି ଅଲିମ୍ପିକରେ ଅଂଶଗ୍ରହଣ କରିବା ଦିଗରେ ସେ ମଧ୍ୟ ହେଉଛନ୍ତ ଓଡ଼ିଶାର ଏକମାତ୍ର କ୍ରୀଡ଼ାବିତ।

ସିଡନୀ ଅଲିମ୍ପିକରେ ଓଡ଼ିଶାରୁ ଖେଳିଥିଲେ ୪ ଜଣ ତାରକା   

୨୦୦୦ ମସିହାରେ ଅଷ୍ଟ୍ରେଲିଆର ସର୍ବବୃହତ ନଗରୀ ସିଡନୀରେ ଆୟୋଜିତ ଅଲିମ୍ପିକରେ ଦିଲ୍ଲୀପ ତିର୍କୀଙ୍କ ସହିତ ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟ ଜଣେ ତାରକା ମଧ୍ୟ ସାମିଲ ଥିଲେ ଭାରତୀୟ ହକି ଦଳରେ। ସେ ଥିଲେ ଓଡ଼ିଶାର ଦ୍ୱିତୀୟ ଅଲିମ୍ପିଆନ୍ ଲାଜାରୁସ୍ ବାର୍ଲା। ଏହି ଅଲିମ୍ପିକରେ ଭାରତୀୟ ଦଳ ପୋଲାଣ୍ଡ ସହିତ ଅନ୍ତିମ ଲିଗ୍ ମ୍ୟାଚଟିକୁ ଜିତିଥିଲେ ସେମି ଫାଇନାଲକୁ ଯାଇ ପାରିଥାନ୍ତା। ତେବେ ମ୍ୟାଚ ଶେଷ ହେବାକୁ ମାତ୍ର ଦେଢ଼ ମିନିଟ ସମୟ ଥିବା ବେଳେ ପୋଲାଣ୍ଡ ଗୋଟିଏ ଗୋଲ ଦେଇ ମ୍ୟାଚକୁ ଅମୀମାଂସିତ ରଖିବା ଯୋଗୁଁ ଭାରତ ସେମି ଫାଇନାଲକୁ ଯାଇନପାରି ପରିଶେଷରେ ସପ୍ତମ ସ୍ଥାନରେ ରହିଗଲା।

ଏହି ଅଲିମ୍ପିକରେ ଆମ ରାଜ୍ୟର ଦୁଇଜଣ ମହିଳା ଆଥଲେଟଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ସେମାନେ ଥିଲେ ରଚିତା ପଣ୍ଡା ମିସ୍ତ୍ରୀ ଓ ଅନୁରାଧା ବିଶ୍ୱାଳ। ଏ ଦୁହେଁ ଥିଲେ ୪ ଗୁଣା ୧୦୦ମିଟର ରିଲେ ରେସ୍ ଦଳଗତ ଇଭେଣ୍ଟରେ ଭାଗ ନେଇଥିଲେ। ରଚିତା ରେସରେ ଦୌଡ଼ି ଅଲିମ୍ପିକରେ ଓଡ଼ିଶାର ପ୍ରଥମ ମହିଳା ତାରକା ହେବାର ଗୌରବ ଅର୍ଜନ କରିଥିବାବେଳେ ଅନୁରାଧା ଥିଲେ ଏହି ରିଲେ ଦଳର ଅତିରିକ୍ତ ସଦସ୍ୟା।

ଏଥେନ୍ସରେ ଦିଲ୍ଲୀପଙ୍କ ନେତୃତ୍ୱରେ ଇଗ୍ନେସ୍ ଓ ୱିଲିୟମ୍

୨୦୦୪ରେ ଗ୍ରୀସର ରାଜଧାନୀ ଏଥେନ୍ସଠାରେ ଅନୁଷ୍ଠିତ ଅଲିମ୍ପିକର ମୁକାବିଲାରେ ରହିଥିଲେ ଓଡ଼ିଶାର ୩ ଜଣ ହକି ଖେଳାଳି। ଏଥର ଦିଲ୍ଲୀପ ତିର୍କୀ ଭାରତୀୟ ଦଳର ନେତୃତ୍ୱ ନେଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟ ଦୁଇଜଣ ତାରକା ସେହି ହକି ଦଳରେ ରହିଥିଲେ। ସେମାନେ ହେଲେ ଇଗ୍ନେସ୍ ତିର୍କୀ ଏବଂ ୱିଲିୟମ୍ ଖାଲକୋ।

ଏହି ୩ଜଣ ଓଡ଼ିଆ ତାରକା ବିଭିନ୍ନ ମ୍ୟାଚରେ ଉନ୍ନତ ଖେଳ ଦେଖାଇଥିଲେ ହେଁ ଭାରତୀୟ ଦଳ ପୂର୍ବ ଅଲିମ୍ପିକ ଭଳି ସପ୍ତମ ସ୍ଥାନ ହିଁ ଲାଭ କରିଥିଲା। ଏହାପରେ କିନ୍ତୁ ୨୦୦୮ର ବେଜିଂ ଅଲିମ୍ପିକ ପାଇଁ ଭାରତୀୟ ହକି ଦଳ ଯୋଗ୍ୟତା ହାସଲରେ ବିଫଳ ହେବାରୁ ଓଡ଼ିଶାର କୌଣସି ଖେଳାଳି ଏଥିରେ ଅଂଶଗ୍ରହଣର ସୁଯୋଗ ପାଇଲେ ନାହିଁ।

ଲଣ୍ଡନ ଅଲିମ୍ପିକରେ ୩ ଜଣ ଓଡ଼ିଆ ଖେଳାଳି

ବେଜିଂ ଅଲିମ୍ପିକର ନିରାଶା ପରେ ୨୦୧୨ରେ ଗ୍ରେଟ୍ ବ୍ରିଟେନର ରାଜଧାନୀ ଲଣ୍ଡନଠାରେ ଆୟୋଜିତ ଅଲିମ୍ପିକର ତ୍ରିଂଶତମ ସଂସ୍କରଣରେ ପୁନର୍ବାର ଦେଖିବାକୁ ମିଳିଲା ତିନିଜଣ ଓଡ଼ିଆ ତାରକାଙ୍କୁ। ସେମାନଙ୍କ ମଧ୍ୟରୁ ଦୁଇଜଣ ହକି ଖେଳାଳି ତ ଅନ୍ୟ ଜଣକ ଥିଲେ ଭାରୋତ୍ତୋଳନର ଖେଳାଳି କାତୁଲୁ ରବିକୁମାର। ଇଗ୍ନେସ୍ ତିର୍କୀ ଏଥର ନିଜର ଦ୍ୱିତୀୟ ଅଲିମ୍ପିକରେ ପଦାର୍ପଣ କରିଥିବାବେଳେ ବୀରେନ୍ଦ୍ର ଲାକ୍ରାଙ୍କର ଏହା ଥିଲା ପ୍ରଥମ ଅଲିମ୍ପିକ।

ତେବେ ଲଣ୍ଡନ ଠାରେ ଭାରତୀୟ ହକି ଦଳର ପ୍ରଦର୍ଶନ ଥିଲା ଅତ୍ୟନ୍ତ ନୈରାଶ୍ୟଜନକ। ସମସ୍ତ ମ୍ୟାଚରେ ପରାସ୍ତ ହୋଇ ସେମାନେ ରହିଥିଲେ ଦ୍ୱାଦଶ ତଥା ଅନ୍ତିମ ସ୍ଥାନରେ। ସେହିଭଳି ଭାରୋତ୍ତୋଳନର ପୁରୁଷ ୬୯ କିଲୋଗ୍ରାମ ବିଭାଗରେ କେ. ରବିକୁମାରଙ୍କ ପ୍ରଦର୍ଶନ ମଧ୍ୟ ଆଶାଜନକ ନଥିଲା ଏବଂ ସେ ରହିଯାଇଥିଲେ ୧୫ତମ ସ୍ଥାନରେ।

ରିଓ ଅଲିମ୍ପିକରେ ଓଡ଼ିଶାରୁ ୬ ଜଣ ମହିଳା ତରକା  

୨୦୧୬ର ଆସିଲା ରିଓ ଅଲିମ୍ପିକ। ବ୍ରାଜିଲର ପ୍ରମୁଖ ନଗରୀ ରିଓ ଡି ଜାନେଇରୋଠାରେ ଆୟୋଜିତ ଏହି ଅଲିମ୍ପିକରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ ୬ଜଣ ଓଡ଼ିଆ ଖେଳାଳି ଏବଂ ସେମାନେ ସମସ୍ତେ ଥିଲେ ମହିଳା ତାରକା।

ଭାରତୀୟ ପୁରୁଷ ହକି ଦଳରେ ଏଥର ଓଡ଼ିଶାର ଜଣେ ହେଲେ ବି ଖେଳାଳି ସ୍ଥାନ ପାଇ ନଥିବାବେଳେ ମହିଳା ହକି ଦଳରେ ସ୍ଥାନ ଲାଭ କରିଥିଲେ ଚାରି ଚାରି ଜଣ ହକି ତାରକା। ରିଓ ଅଲିମ୍ପିକର କ୍ରୀଡ଼ାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲାର ଏହି ହକି ତାରକାମାନେ ହେଲେ ଦୀପଗ୍ରେସ୍ ଏକ୍କା, ନମିତା ଟୋପ୍ପୋ, ଲିଲିମା ମିଞ୍ଜ ଏବଂ ସୁନିତା ଲାକ୍ରା। ଏହି ଦଳ କିନ୍ତୁ ନିଜ ଗ୍ରୁପରେ କେବଳ ଗୋଟିଏ ମ୍ୟାଚ ଡ୍ର ରଖିବା ସହିତ ବାକି ଚାରିଟି ମ୍ୟାଚରେ ପରାଜିତ ହୋଇ ଅନ୍ତିମ ସ୍ଥାନ ଲାଭ କଲା।

ହକି ତାରକାମାନଙ୍କ ବ୍ୟତୀତ ଓଡ଼ିଶାର ଦୁଇଜଣ ମହିଳା ଆଥଲେଟ୍ ଦୁତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ ମଧ୍ୟ ଅବତୀର୍ଣ୍ଣ ହୋଇଥିଲେ ରିଓ ଅଲିମ୍ପିକର ଟ୍ରାକରେ। ତେବେ ସେମାନଙ୍କ ଖେଳ ସେଭଳି କିଛି ଖାସ୍ ନଥିଲା। ଦୁତୀ ଚାନ୍ଦ ୧୦୦ ମିଟର ଦୌଡ଼ର ହିଟ୍‌ରେ ସପ୍ତମ ସ୍ଥାନରେ ଏବଂ ଶ୍ରାବଣୀ  ନନ୍ଦ ୨୦୦ ମିଟର ଦୌଡ଼ର ହିଟ୍‌ରେ ଷଷ୍ଠ ସ୍ଥାନରେ ରହି ପ୍ରତିଯୋଗିତାରୁ ବାଦ ପଡ଼ିଥିଲେ।

୨୦୨୧ରେ ଓଡ଼ିଶାକୁ ଆସିଲା ପ୍ରଥମ ଅଲିମ୍ପିକ ପଦକ  

୨୦୧୬ ଅଲିମ୍ପିକ ପାଇଁ ଭାରତୀୟ ପୁରୁଷ ହକି ଦଳରେ ଜଣେ ହେଲେ ବି ଓଡ଼ିଆ ଖେଳାଳି ନଥିବାବେଳେ ୨୦୨୧ରେ ଜାପାନର ରାଜଧାନୀ ଟୋକିଓଠାରେ ଅନୁଷ୍ଠିତ ଅଲିମ୍ପିକରେ ଭାରତୀୟ ଦଳରେ ସାମିଲ ହୋଇଥିଲେ ଓଡ଼ିଶାର ଦୁଇଜଣ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ।

କୋଭିଡ ମହାମାରୀ ପାଇଁ ଗୋଟିଏ ବର୍ଷ ବିଳମ୍ବରେ ଆୟୋଜିତ ହୋଇଥିବା ଏହି ଅଲିମ୍ପିକରେ ଭାରତୀୟ ହକି ଦଳ ପ୍ଲେ ଅଫ୍ ମ୍ୟାଚରେ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ବ୍ରୋଞ୍ଜପଦକ ହାସଲ କରିଥିଲା। ଏଥି ସହିତ ଆମର ଦୁଇଜଣ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ ଗଳାରେ ବ୍ରୋଞ୍ଜପଦକ ଶୋଭା ପାଇଲା ଏବଂ ଓଡ଼ିଶାକୁ ମଧ୍ୟ ଆସିଲା ପ୍ରଥମ ଅଲିମ୍ପିକ ପଦକ।

ଏତତବ୍ୟତୀତ ଭାରତୀୟ ମହିଳା ହକି ଦଳ ମଧ୍ୟ ବ୍ରୋଞ୍ଜପଦକ ବିଜୟୀ ହେବାର ସମ୍ବାବନା ସୃଷ୍ଟି ହୋଇଥିଲା। ଏହା ହୋଇଥିଲେ ତେବେ ଏହି ଦଳରେ ସାମିଲ ଥିବା ଓଡ଼ିଆ ଝିଅ ଦୀପଗ୍ରେସ ଏକ୍କା ମଧ୍ୟ ନିଜ ଗଳାରେ ଅଲିମ୍ପିକ ପଦକ ଧାରଣ କରିପାରିଥାନ୍ତେ। ହେଲେ ପ୍ଲେ ଅଫ୍ ମ୍ୟାଚରେ ଗ୍ରେଟ୍ ବ୍ରିଟେନଠାରୁ ଭାରତ ୩-୪ ଗୋଲରେ ପରାଜିତ ହେବା ଯୋଗୁଁ ତାହା ସମ୍ଭବ ହୋଇପାରିଲା ନାହିଁ।

ଏହି ଅଲିମ୍ପିକ ପାଇଁ ନମିତା ଟୋପ୍ପୋ ଭାରତୀୟ ମହିଳା ହକି ଦଳର ରଜର୍ଭ ଖେଳାଳି ଥିବାବେଳେ ଦୁତୀ ଚାନ୍ଦ ସାମିଲ ଥିଲେ ଆଥଲେଟିକ୍ସ ଦଳରେ। ୧୦୦ ମିଟର ଓ ୨୦୦ ମିଟର ଦୌଡ଼ରେ ଭାଗ ନେଇ ଦୁତୀ ଉଭୟ ପ୍ରତିଯୋଗିତାର ହିଟ୍ସରେ ସପ୍ତମ ସ୍ଥାନରେ ରହି ବିଦାୟ ନେଇଥିଲେ।

ପ୍ୟାରିସ ଅଲିମ୍ପିକରେ ଓଡ଼ିଶାରୁ ଅମିତ ଓ କିଶୋର

ଏବେ ଅଲିମ୍ପିକର ତେତିଶତମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି ଫ୍ରାନସର ରାଜଧାନୀ ପ୍ୟାରିସରେ। ଏହି ଅଲିମ୍ପିକରେ ପ୍ରତିଦ୍ୱନ୍ଦିତା ନିମନ୍ତେ ରହିଛନ୍ତି ଓଡ଼ିଶାର ଦୁଇଜଣ ଖେଳାଳି। ଜଣେ ହେଉଛନ୍ତି ହକି ତାରକା ଅମିତ ରୋହିଦାସ ଏବଂ ଅନ୍ୟ ଜଣକ ଜାଭଲିନ୍ ନିକ୍ଷେପକାରୀ କିଶୋର କୁମାର ଜେନା।

ଅମିତ ରୋହିଦାସଙ୍କର ଏହା ଦ୍ୱିତୀୟ ଅଲିମ୍ପିକ ହୋଇଥିବାବେଳେ କିଶୋରଙ୍କ ପାଇଁ ଏହା ହେଉଛି ପ୍ରଥମ ଅଲିମ୍ପିକ। ଭାରତୀୟ ହକି ଦଳ ଯଦି ଗତ ଅଲିମ୍ପିକ ତଥା ଗତ ଏସିଆଡ଼ରେ କରିଥିବା ପ୍ରଦର୍ଶନକୁ ଦୋହରାଏ ତେବେ ଏହାର ପଦକ ଜିତିବା ନିଶ୍ଚୟ ସମ୍ଭବ ହୋଇପାରିବ।

କିଶୋର ଜେନା ମଧ୍ୟ ଗତ ଏସିଆଡ଼ରେ ସୁନ୍ଦର ପ୍ରଦର୍ଶନ କରି ଭାରତର ଗୋଲଡେନ୍ ବୟ ନୀରଜ ଚୋପ୍ରାଙ୍କ ପଛକୁ ରହି ରୌପ୍ୟପଦକ ଜିତିବା ସହିତ ଅଲିମ୍ପିକ ସକାଶେ ଯୋଗ୍ୟତା ହାସଲ କରିଥିଲେ। ତେବେ ଅଲିମ୍ପିକରେ ପଦକ ଜିତିବାକୁ ହେଲେ ତାଙ୍କୁ ବିଶେଷ କିଛି କରି ଦେଖାଇବାକୁ ପଡ଼ିବ। ଅନ୍ୟ ଦିଗରେ ଭାରତୀୟ ମହିଳା ହକି ଦଳ ଏଥର ଯୋଗ୍ୟତା ହାସଲ କରି ନଥିବାରୁ ଦୀପଗ୍ରେସ ଏକ୍କାଙ୍କ ଭଳି ତାରକା ପ୍ୟାରିସ ଅଲିମ୍ପିକରୁ ବଞ୍ଚିତ ରହିଯାଇଛନ୍ତି।   

Tags: #Olympics #OdiaPlayers #Sports #Odisha #India

LEAVE A REPLY

Please enter your comment!
Please enter your name here