ଓଡ଼ିଶାଲାଇଭ୍ ବ୍ୟୁରୋ

ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟରେ ବିହାରକୁ ବେଶ ସହାୟତା ପ୍ରଦାନ କରାଯାଇଛି। ଏଥିରେ ୨୬ ହଜାର କୋଟି ଟଙ୍କାର ତିନୋଟି ଏକ୍ସପ୍ରେସୱେ,୨୧ ହଜାର ୪୦୦ କୋଟି ଟଙ୍କାର ୨୪୦୦ ମେଗାୱାଟର ଗୋଟିଏ ପାୱାର ପ୍ଲାଣ୍ଟ, ମେଡିକାଲ କଲେଜ ଏବଂ ଅନେକ ଏୟାରପୋର୍ଟ ସାମିଲ ରହିଛି। ଏକ୍ସପ୍ରେସୱେ ମଧ୍ୟରେ ପାଟନା-ପୁର୍ଣ୍ଣିଆ, ବକ୍ସର-ଭାଗଲପୁର, ବୈଶାଳୀ-ବୌଦ୍ଧଗୟା ରହିଛି।

ସଂସଦରେ ବଜେଟ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ କି ଆମ ସରକାର, ବିହାର ଗୟାରେ ଉଦ୍ୟୌଗିକ ବିକାଶକୁ ପ୍ରୋତ୍ସାହନ ଦେବ। ‘ପୂର୍ବୋଦୟା’ ଅଭିଯାନ ଅନୁସାରେ ସରକାର ପୂର୍ବାଞ୍ଚଳ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ସଡ଼କ ସମ୍ପର୍କ ଯୋଜନାର ବିକାଶରେ ଆମେ ସହଯୋଗ କରିବୁ ବୋଲି ସେ କହିଛନ୍ତି।

ଭାରତର ପର୍ଯ୍ୟଟନ କ୍ଷେତ୍ରକୁ ଗ୍ଲୋବାଲ ଟୁରିଷ୍ଟ ଡେଷ୍ଟିନେସନ୍ ରେ ପରିଣତ କରିବା ଦିଗରେ ବିହାର ଗୟାସ୍ଥିତ ବିଷ୍ଣୁପାଦ ମନ୍ଦିର ଏବଂ ବୌଦ୍ଧଗୟା ସ୍ଥିତ ମହାବୋଧି ମନ୍ଦିରକୁ ଅଧିକ ବିକଶିତ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ଏହା ସହ ନାଳନ୍ଦାକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ଅଧିକ ବିକଶିତ କରାଯିବ ବୋଲି ଘୋଷଣା କରାଯାଇଛି । ନାଳନ୍ଦା ବିଶ୍ୱବିଦ୍ୟାଳୟ ପାଇଁ ମଧ୍ୟ ବଜେଟ ଘୋଷଣା କରାଯାଇଛି।

ସୋମବାର ବିହାରକୁ ସ୍ୱତନ୍ତ୍ର ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାର ସ୍ପଷ୍ଟଭାବେ ମନା କରିଦେଇଥିଲେ। ଏହା ବିଜେପିର ମୁଖ୍ୟ ସହଯୋଗୀ ଜେଡିୟୁର ମୁଖ୍ୟ ଦାବି ଥିଲା। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ନେଇ ବିହାର ବିଧାନସଭାରେ ବିରୋଧୀ ଦଳ, ନୀତୀଶ କୁମାର ସରକାରଙ୍କ ବିରୋଧରେ ନାରାବାଜୀ କରିବା ସହ ତାଙ୍କ ଇସ୍ତଫା ଦାବି କରିଥିଲେ। ବଜେଟରେ ବିହାର ପାଇଁ ଅହେତୁକ ରାଶି ଘୋଷଣା କରି ନୀତୀଶ କୁମାରଙ୍କୁ ମୋଦି ସରକାର ଖୁସି କରିପାରିଛି କି ନାହିଁ, ତାହା ଆଗାମୀ ଦିନରେ ଜଣାପଡ଼ିବ।

Tags: #UnionBudget2024-25 #Bihar #SpecialdevelopmentalPackage #MinistryofFinance #India

LEAVE A REPLY

Please enter your comment!
Please enter your name here