ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ୟାରିସ ଅଲିମ୍ପିକ୍ସର ହକି ପ୍ରତିଯୋଗିତାରେ ଗୁରୁବାର ପରାସ୍ତ ହୋଇଛି ଭାରତୀୟ ପୁରୁଷ ହକି ଦଳ। ଗ୍ରୁପ ପର୍ଯ୍ୟାୟର ଚତୁର୍ଥ ମ୍ୟାଚରେ ବେଲଜିୟମ ଭାରତକୁ ୨-୧ ଗୋଲରେ ହରାଇଛି। ତେବେ ଏହି ପରାଜୟ ସତ୍ତ୍ୱେ ଭାରତ ଅଲିମ୍ପିକ୍ସ ହକିର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି।
ଗୁରୁବାର ଅଲିମ୍ପିକ୍ସ ହକି ପ୍ରତିଯୋଗିତାରେ ଭାରତ ଓ ବେଲଜିୟମ ମୁହାଁମୁହିଁ ହୋଇଥିଲେ। ମ୍ୟାଚ ଆରମ୍ଭରୁ ହିଁ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲା। ପ୍ରଥମ କ୍ୱାର୍ଟର ଖାଲି ଯିବା ପରେ ଦ୍ଵିତୀୟ କ୍ୱାର୍ଟରରେ ଭାରତୀୟ ଫରୱାର୍ଡ ଅଭିଷେକ ଏକ ଗୋଲ୍ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରିଥିଲେ।
ଏହାପରେ ମ୍ୟାଚର ଦ୍ଵିତୀୟାର୍ଦ୍ଧରେ ବେଲଜିୟମର ଖେଳାଳିମାନେ ଗୋଲ୍ ଦେବାକୁ ସକ୍ଷମ ହୋଇଥିଲେ। ତୃତୀୟ କ୍ୱାର୍ଟରରେ ବେଲଜିୟମ ଦୁଇଟି ଗୋଲ୍ ଦେଇ ମ୍ୟାଚରେ ଅଗ୍ରଣୀ ହୋଇଥିଲା। ପରେ ଭାରତ ଏହାର ଜବାବରେ ଆଉ କୌଣସି ଗୋଲ୍ ଦେଇ ପାରିନଥିଲା।
ଏହାପୂର୍ବରୁ ଭାରତ ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଥିଲା। ହେଲେ ସୋମବାର ଆର୍ଜେଣ୍ଟିନା ବିପକ୍ଷରେ ଥିବା ଦ୍ଵିତୀୟ ମୁକାବିଲାକୁ ୧-୧ ଗୋଲରେ ଡ୍ର ରଖିଥିଲା ଭାରତ।
ଏହାପରେ ମଙ୍ଗଳବାର ଦଳ ନିଜର ତୃତୀୟ ମ୍ୟାଚରେ ଆୟର୍ଲ୍ୟାଣ୍ଡ ବିପକ୍ଷରେ ୨-୦ ଗୋଲରେ ବିଜୟ ହୋଇଥିଲା। ଗୁରୁବାର ବେଲଜିୟମଠାରୁ ପରାଜୟ ସତ୍ତ୍ୱେ ଭାରତ ୭ ପଏଣ୍ଟ ସହ ଅଲିମ୍ପିକ୍ସ ହକିର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଦଳ ଶୁକ୍ରବାର ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଲିଗ୍ ମ୍ୟାଚ ଖେଳିବ।
Tags: #ParisOlympics #Hockey #IndiavsBelgium #HockeyIndia #Sports