ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ୟାରିସ ଅଲିମ୍ପିକ୍ସର ହକି ପ୍ରତିଯୋଗିତାରେ ଶୁକ୍ରବାର ଦମଦାର ବିଜୟ ହାସଲ କରିଛି ଭାରତୀୟ ପୁରୁଷ ହକି ଦଳ। ନିଜର ଶେଷ ଗ୍ରୁପ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଏଥିସହ ଗ୍ରୁପରେ ଦଳ ୧୦ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନ ହାସଲ କରି କ୍ୱାର୍ଟର ଫାଇନାଲକୁ ଯାଇଛି। ଅଲିମ୍ପିକ୍ସ ଇତିହାସରେ ୧୯୭୨ ମସିହା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ଭାରତର ପ୍ରଥମ ବିଜୟ।
ଶୁକ୍ରବାର ଅଲିମ୍ପିକ୍ସ ହକି ପ୍ରତିଯୋଗିତାର ଗ୍ରୁପ ‘ବି’ରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ। ମ୍ୟାଚ ଆରମ୍ଭରୁ ହିଁ ଭାରତ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲା। ପ୍ରଥମ କ୍ୱାର୍ଟରରେ ଭାରତ ୨ଟି ଗୋଲ୍ ଦେଇ ଅଗ୍ରଣୀ ହୋଇଥିଲା। ଅଳ୍ପ ସମୟ ବ୍ୟବଧାନରେ ଭାରତୀୟ ଫରୱାର୍ଡ ଖେଳାଳି ଅଭିଷେକଙ୍କ ଗୋଟିଏ ଫିଲ୍ଡ ଗୋଲ୍ ଏବଂ ଅଧିନାୟକ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଦେଇ ଦଳର ଖାତା ଖୋଲିଥିଲେ।
ଏହାପରେ ଦ୍ଵିତୀୟ କ୍ୱାର୍ଟରରେ ଅଷ୍ଟ୍ରେଲିଆ ନିଜର ପ୍ରଥମ ଗୋଲ ଦେଇ ସ୍କୋର ଲାଇନକୁ ୨-୧ କରିଥିଲା। ତେବେ ତୃତୀୟ କ୍ୱାର୍ଟରରେ ହରମନପ୍ରୀତ ସିଂହ ପେନାଲ୍ଟି ଷ୍ଟ୍ରୋକରୁ ଆଉ ଏକ ଗୋଲ୍ ଦେଇ ୩-୧ରେ ଭାରତର ସ୍ଥିତିକୁ ମଜଭୁତ କରିଥିଲେ।
ଚତୁର୍ଥ କ୍ୱାର୍ଟରରେ ଅଷ୍ଟ୍ରେଲିଆର ଅନୁଭବି ଖେଳାଳି ବ୍ଲେକ୍ ଗ୍ରୋଭର୍ସ ପେନାଲ୍ଟି ଷ୍ଟ୍ରୋକରୁ ଏକ ଗୋଲ ଦେଇ ସ୍କୋର ଲାଇନକୁ ୩-୨ କରିଥିଲେ। ହେଲେ ଏହାପରେ ଦଳ ଗୋଲ୍ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲା। ଶେଷରେ ଭାରତ ଏହି ମ୍ୟାଚରେ ବିଜୟୀ ହୋଇଥିଲା।
ଏହାପୂର୍ବରୁ ଭାରତ ନିଜର ପ୍ରଥମ ଗ୍ରୁପ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଥିଲା। ହେଲେ ସୋମବାର ଆର୍ଜେଣ୍ଟିନା ବିପକ୍ଷରେ ଥିବା ଦ୍ଵିତୀୟ ମୁକାବିଲାକୁ ୧-୧ ଗୋଲରେ ଡ୍ର ରଖିଥିଲା ଭାରତ। ତୃତୀୟ ମ୍ୟାଚରେ ଦଳ ଆୟର୍ଲ୍ୟାଣ୍ଡ ବିପକ୍ଷରେ ୨-୦ରେ ବିଜୟ ହୋଇଥିବାବେଳେ ଗୁରୁବାର ବେଲଜିୟମଠାରୁ ୨-୧ ଗୋଲରେ ପରାଜିତ ହୋଇଥିଲା।
Tags: #ParisOlympics #Hockey #IndiavsAustralia #HockeyIndia #Sports

















