ଓଡ଼ିଶାଲାଇଭ୍ ବ୍ୟୁରୋ
ଗିରଫ ହେଲେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ।
ବୁଧବାର ଦିନ ପ୍ରଦୀପ କୁମାର ସାହୁଙ୍କ ଭୁବନେଶ୍ଵର ଗୌତମ ନଗରସ୍ଥିତ ଘର, ଭାଲିଆବାଡ଼ି, ରାଜସୁନାଖଳାରେ ବହୁ ମହଲା ବିଶିଷ୍ଟ କୋଠା, ରାଜସୁନାଖଳାରେ ଥିବା ପୈତୃକ ଘର, ଖୋର୍ଦ୍ଧା ଜିଲ୍ଲା ପିଚୁକୁଳିରେ ଥିବା ସମ୍ପର୍କୀୟଙ୍କ ଘର, ଆଠଗଡ଼ରେ ଥିବା କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ୮ଟି ଠିକଣା ଉପରେ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ।
ଚଢ଼ାଉବେଳେ ବିଡିଓଙ୍କର ଭୁବନେଶ୍ୱରରେ ୨ଟି କୋଠା, ଗୋଟିଏ ଫ୍ଲାଟ ଠାବ କରାଯାଇଥିଲା। ଚଢ଼ଉ ବେଳେ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରୁ ନଗଦ ୬ ଲକ୍ଷ ଟଙ୍କା, ବିଭିନ୍ନ ବ୍ୟାଙ୍କରେ ୪୭ ଲକ୍ଷ ଟଙ୍କାର ଜମା, ୪୫୨ ଗ୍ରାମ ସୁନା, ହୀରା ଗହଣା, ସୁନା ବିସ୍କୁଟ, ୨ଟି କାର, ବିଭିନ୍ନ ବ୍ୟାଙ୍କର ପାସବୁକ୍ ଏବଂ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଠାବ କରିଥିଲା ଭିଜିଲାନ୍ସ ଟିମ।
ସରକାରୀ ବାବୁଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଥିଲେ ଭିଜିଲାନ୍ସ ଅଧିକାରୀ। ଠାବ ହୋଇଥିବା ସମ୍ପତ୍ତି ସମ୍ପର୍କରେ ବିଡିଓ ପ୍ରଦୀପ କୁମାର ସାହୁ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଗୁରୁବାର ଦିନ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ।
ଭିଜିଲାନ୍ସ ବିଭାଗ ପକ୍ଷରୁ କରାଯାଉଥିବା ଏହି ଚଢ଼ଉରେ ୬ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର, ୧୦ ଜଣ ସବଇନ୍ସପେକ୍ଟର ଏବଂ ଅନ୍ୟ ସଦସ୍ୟମାନେ ସାମିଲ ହୋଇଥିଲେ।
୨୦୨୩ ମସିହା ଫେବ୍ରୁଆରି ୨୩ ତାରିଖରେ ପ୍ରଦୀପ କୁମାର ସାହୁ ଆଠଗଡ଼ରେ ବିଡିଓ ଭାବେ ନିଯୁକ୍ତି ପାଇଥିଲେ।
Tags: #VigilanceRaid #VigilanceTrap #Athagarh #AthagarhBDO #Odisha