ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ୟାରିସ ଅଲିମ୍ପିକ୍ସର ହକି ପ୍ରତିଯୋଗିତାରେ ଦମଦାର ବିଜୟ ହାସଲ କରି ବ୍ରୋଞ୍ଜ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ। ଗୁରୁବାର ତୃତୀୟ ସ୍ଥାନ ପାଇଁ ହୋଇଥିବା ମ୍ୟାଚରେ ସ୍ପେନକୁ ୨-୧ ଗୋଲରେ ହରାଇଛି ଟିମ୍ ଇଣ୍ଡିଆ। ଏହି ବିଜୟ ବଳରେ ଦଳ ଭାରତ ପାଇଁ ଚଳିତ ଅଲିମ୍ପିକ୍ସର ଚତୁର୍ଥ ପଦକ ଜିତିଛି।
ଗୁରୁବାର ଅଲିମ୍ପିକ୍ସ ହକିର ତୃତୀୟ ସ୍ଥାନ ପାଇଁ ହୋଇଥିବା ମ୍ୟାଚରେ ଭାରତ ଓ ସ୍ପେନ ମୁହାଁମୁହିଁ ହୋଇଥିଲେ। ମ୍ୟାଚ ଆରମ୍ଭରୁ ହିଁ ଉଭୟ ଦଳ ରକ୍ଷଣାତ୍ମକ ଖେଳ ଆରମ୍ଭ କରିଥିଲା। ପ୍ରଥମ କ୍ୱାର୍ଟରରେ ଦୁଇ ଦଳ କୌଣସି ଗୋଲ ଦେଇ ପାରିନଥିଲେ।
ଏହାପରେ ଦ୍ଵିତୀୟ କ୍ୱାର୍ଟରରେ ସ୍ପେନ ପେନାଲ୍ଟି ଷ୍ଟ୍ରୋକରୁ ଏକ ଗୋଲ ଦେଇ ଅଗ୍ରଣୀ ହୋଇଥିଲା। ଏହାପରେ ମ୍ୟାଚର ୨୮ତମ ମିନିଟରେ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଦେଇ ମ୍ୟାଚକୁ ୧-୧ରେ ବରାବର କରିଥିଲା।

ସେହିପରି ତୃତୀୟ କ୍ୱାର୍ଟରରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣରେ ମିଳିଲା। ଏଥିରେ ହରମନପ୍ରୀତ ଆଉ ଏକ ଗୋଲ ଦେଇ ଟିମ୍ ଇଣ୍ଡିଆକୁ ୨-୧ରେ ଅଗ୍ରଣୀ କରିଥିଲେ। ଖେଳ ଶେଷ ହେବା ପର୍ଯ୍ୟନ୍ତ ଉଭୟ ଦଳଙ୍କ ପକ୍ଷରୁ ଆଉ କୌଣସି ଗୋଲ୍ ଦେଖିବାକୁ ମିଳିନଥିଲା। ଭାରତ ମ୍ୟାଚ୍ ଜିଣିନେଇଥିଲା।
ଚଳିତ ଅଲିମ୍ପିକ୍ସର ହକି ସେମିଫାଇନାଲରେ ଉଭୟ ଭାରତ ଓ ସ୍ପେନ ପରାଜିତ ହୋଇଥିଲେ। ଭାରତୀୟ ଦଳ ଜର୍ମାନୀଠାରୁ ୩-୨ ଗୋଲରେ ହାରିଥିଲାବେଳେ ସ୍ପେନ୍ ୪-୦ ଗୋଲରେ ନେଦରଲ୍ୟାଣ୍ଡଠାରୁ ପରାସ୍ତ ହୋଇଥିଲା। ଏହାପରେ ଉଭୟ ଦଳ ବ୍ରୋଞ୍ଜ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
Tags: #ParisOlympics #Hockey #IndiavsSpain #BronzeMedal #HockeyIndia #Sports

















