ଡକ୍ଟର ଦେବୀଲାଲ ମିଶ୍ର

ଗତ କିଛିଦିନ ହେବ ମୋର ଅନେକ ବିଦ୍ୟାର୍ଥୀ ଓ ପାଠକ ମତେ ସ୍ଵାଧୀନତା ବିଷୟରେ କିଛି ଲେଖିବାକୁ କହିଆସୁଛନ୍ତି। ସତରେ ସ୍ଵାଧୀନତା ଦିବସ ପାଖେଇ ଆସିଲେ ଆମ ଭିତରୁ ଅନେକଙ୍କର ସ୍ଵାଧୀନତା କଥା ମନେପଡ଼େ।

ଦେଖିବାକୁ ଗଲେ ସ୍ଵାଧୀନତାକୁ ନେଇ ଆମ ମନରେ ଅନେକ ଧାରଣା ଥାଏ। କାହା ମତରେ ସ୍ଵାଧୀନତା ଏକ ଦାନ, ତ ଆଉ କାହା ମତରେ ସ୍ଵାଧୀନତା ଏକ ବ୍ୟବସ୍ଥା ପ୍ରଦତ୍ତ ଅବସ୍ଥା। ପୁଣି ଆଉ କେହି କେହି ସ୍ଵାଧୀନତାକୁ ନିଜର ବ୍ୟକ୍ତିଗତ ଇଚ୍ଛା-ସମ୍ମତ ଆଚରଣରେ ଅନୁଭବ କରିଥାନ୍ତି। ଭଲ ଭାବେ ତର୍ଜମା କଲେ ଜଣାଯାଏ ଯେ, କେବଳ ଜଣେ ସ୍ଵାଧୀନ ବ୍ୟକ୍ତି ହିଁ ସ୍ଵାଧୀନତାକୁ ଅନୁଭବ କରିପାରେ।

ଜଣେ ବ୍ୟକ୍ତି ଯଦି କୌଣସି ବି ସ୍ତରରେ ବନ୍ଧନ ଯୁକ୍ତ ଥାଏ, ତେବେ ସେ କେବେବି ସ୍ଵାଧୀନ ହୋଇପାରେ ନାହିଁ। ତେବେ ପ୍ରଶ୍ନ ଉଠେ, କ’ଣ ଏହି ସ୍ଵାଧୀନତା? ସତରେ କ’ଣ ଆମେ ସ୍ଵାଧୀନ? ସ୍ଵାଧୀନତାର ପରିଭାଷା ଅତ୍ୟନ୍ତ ବିଶାଳ।

ମନସ୍ତାତ୍ତ୍ଵିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ, ସ୍ଵାଧୀନତା ହେଉଛି ଏକ ମାନସିକତା। ପ୍ରକୃତ ସ୍ଵାଧୀନତା ନିଜ ଛଡ଼ା ଆଉ କେହି କାହାକୁ ଦେଇପାରେନା। ସ୍ଵାମୀ ବିବେକାନନ୍ଦଙ୍କ ଭାଷାରେ ଯତି ତୁମେ ଭାବୁଛ ଯେ ତୁମେ ସ୍ଵାଧୀନ ନୁହେଁ, ତୁମେ ନିଜ ପାଇଁ ନିଜେ ବନ୍ଧନ ସୃଷ୍ଟି କରୁଛ।

ଯେତେବେଳେ ତୁମେ ନିଜକୁ ସ୍ଵାଧୀନ ବୋଲି ଭାବୁଛ, ସେଇ ମୁହୂର୍ତ୍ତରୁ ହିଁ ତୁମେ ସ୍ଵାଧୀନ। ଏହା ହିଁ ସ୍ଵାଧୀନତାର ପ୍ରକୃତ ଜ୍ଞାନ। ଆମର ପ୍ରକୃତ ସ୍ଵାଧୀନତା ବାହାରେ ନଥାଏ, ଥାଏ ଆମ ଭିତରେ। ଆମ ମନୋସ୍ଥିତି ଓ ଚେତନା ପ୍ରଥମେ ସ୍ଵାଧୀନ ହେବା ଦରକାର।

ସ୍ଵାଧୀନତାର ଦୁଇଟି ମୁଖ୍ୟ ସ୍ଵରୂପ ରହିଛି- ମାନସିକ ସ୍ଵାଧୀନତା ଓ ବ୍ୟବହାରିକ ସ୍ଵାଧୀନତା। ଆମ ଭିତରୁ ଅନେକ ସ୍ଵାଧୀନତା କହିଲେ ସ୍ଵେଚ୍ଛାଚାରିତାକୁ ବୁଝିଥାଉ। କିନ୍ତୁ ପ୍ରକୃତ ସ୍ଵାଧୀନତା ଏକ ସକରାତ୍ମକ ମାନସିକତା ଉପରେ ପର୍ଯ୍ୟବସିତ। ସ୍ଵାଧୀନତା ଏକ ଧର୍ମ। କୌଣସି ଧର୍ମ କେବେ କାହାର କ୍ଷତି କରିନଥାଏ। ବିବେକ ଓ କର୍ତ୍ତବ୍ୟ ବିନା କୌଣସି ସ୍ଵାଧୀନତା ସମ୍ପୂର୍ଣ୍ଣ ବା ସମ୍ଭବ ନୁହେଁ।

ଶ୍ରୀ ଅରବିନ୍ଦଙ୍କ ଭାଷାରେ, ସାରା ପୃଥିବୀ ସ୍ଵାଧୀନତା ପାଇଁ ବ୍ୟାକୁଳ। କିନ୍ତୁ ଏହା ବଡ଼ ବିଚିତ୍ର କଥା ଯେ, ଆମେ ଆମ ବନ୍ଧନର ପ୍ରେମରେ ପଡ଼ିବାକୁ ଭଲପାଆନ୍ତି। ଅନେକ ବନ୍ଧନ ଆମ ପ୍ରକୃତି ଦତ୍ତ। ପ୍ରଥମେ ନିଜକୁ ନିଜର ବନ୍ଧନରୁ ସ୍ଵାଧୀନ କରିବା ଆବଶ୍ୟକ। ଅଜ୍ଞତା, ଅହଂକାର, ନକାରାତ୍ମକ ବିଚାର ଏମିତି ଅନେକ ବନ୍ଧନ ଆମକୁ ଅନେକ ଦିନ ଧରି ପରାଧୀନ କରି ରଖିଥାନ୍ତି। ପ୍ରଥମେ ଆମେ ମାନସିକ ସ୍ତରରେ ସ୍ଵାଧୀନ ହେବା ଜରୁରୀ। ସକାରାତ୍ମକ ମାନସିକ ପରିବତ୍ତର୍ନ ନଆସିବା ପର୍ଯ୍ୟନ୍ତ ଆମେ ବନ୍ଧନମୁକ୍ତ ହୋଇପାରିବା ନାହିଁ।

ଜଣଙ୍କର ସ୍ଵାଧୀନତା କେବେ ଅନ୍ୟର କ୍ଷତି କରିନଥାଏ। ସ୍ଵାଧୀନତା ସର୍ବଦା ଦାୟିତ୍ଵସମ୍ପନ୍ନ ଓ ସମ୍ବେଦନଶୀଳ। ଏହା ଏକ ସକାରାତ୍ମକ ଶକ୍ତି।

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଏବଂ ସମାଜସେବୀ ଗୋପବନ୍ଧୁ ମଧ୍ୟ କହିଥିଲେ ଯେ, ସ୍ଵାଧୀନତା କେବେ ସ୍ଵେଚ୍ଛାଚାରିତା ହୋଇନପାରେ। ଆମ ସାଧାରଣ ଜୀବନରେ ଆମେ ଦୁଇଗୋଟି ବଡ଼ ବନ୍ଧନ ସଂସ୍ପର୍ଶରେ ଆସିଥାନ୍ତି। ଗୋଟିଏ ଅଜ୍ଞତା ଏବଂ ଅନ୍ୟଟି ଅହଂକାର। ଏଇ ଦୁଇଟି ବନ୍ଧନରୁ ମୁକ୍ତ ନହେବା ଯାଏଁ ଆମକୁ ପ୍ରକୃତ ସ୍ଵାଧୀନତା ମିଳିନଥାଏ।

ଏବେ ଆମେ ନିଜକୁ ପ୍ରଶ୍ନ ପଚାରିବା ଦରକାର ଯେ, ଆମେ କ’ଣ ସତରେ ସ୍ଵାଧୀନ? କାରଣ ଅଜ୍ଞାନତା ଓ ଅହଂକାରରୁ ମୁକ୍ତି ମିଳିବା ଏତେ ସହଜ କଥା ନୁହେଁ। ଅଜ୍ଞତା ଆମକୁ କିଛି ଗ୍ରହଣ କରିବାକୁ ଦିଏ ନାହିଁ ଏବଂ ଅହଂକାର ଆମକୁ କିଛି ଶିଖିବାକୁ ଦିଏ ନାହିଁ।

ଏଇ ଦୁଇଟି ବନ୍ଧନରୁ ମୁକ୍ତି ନହୋଇପାରିଲେ ଆମକୁ ସର୍ବଦା ଭ୍ରମ ଭିତରେ ହିଁ ବଞ୍ଚିବାକୁ ପଡ଼ିବ। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବିଜପେୟୀ ଏକଦା କହିଥିଲେ ଯେ, ସାମାଜିକ ନ୍ୟାୟ ବିନା ସ୍ଵାଧୀନତା ଅସମ୍ପୂର୍ଣ୍ଣ ଅଟେ। କାରଣ ନ୍ୟାୟ ସର୍ବଦା ବିବେକ ଉପରେ ପର୍ଯ୍ୟବସିତ।

ଯେଉଁ ପର୍ଯ୍ୟନ୍ତ ମଣିଷର ସାମାଜିକ ବ୍ୟବହାରରେ ବିବେକ ଅନୁଭୂତ ନହୋଇଛି। ସେ ପର୍ଯ୍ୟନ୍ତ ଆମେ ପୂର୍ଣ୍ଣ ଭାବେ ସ୍ଵାଧୀନ ନୁହନ୍ତି। ବିବେକ, ଚେତନା ଓ ଚରିତ୍ର ପ୍ରକୃତ ସ୍ଵାଧୀନତାର ତିନିଗୋଟି ମୁଖ୍ୟ ଆଧାର। ସେଥିପାଇଁ ଅଟଳଜୀ ତାଙ୍କର ଏକ କବିତାରେ କହିଥିଲେ ଯେ, ଅଗଷ୍ଟ ୧୫ ଦିନଟି ପ୍ରକୃତରେ ସୂଚେଇ ଦିଏ ଯେ, ସ୍ଵାଧୀନତା ଏବେ ମଧ୍ୟ ଅଧୁରା ରହିଛି।

ଯେଉଁ ପର୍ଯ୍ୟନ୍ତ ସମାଜରେ ଅସମ୍ବେଦନଶୀଳତା, ଅସମାନତା, ଅନ୍ୟାୟ, ଅଜ୍ଞତା, ଦାରିଦ୍ର୍ୟ ଓ ଅମାନୁଷିକ ଆଚରଣ ଦେଖାଯିବ, ସେ ପର୍ଯ୍ୟନ୍ତ ଆମେ ପ୍ରକୃତ ସ୍ଵାଧୀନତାଠାରୁ ବହୁ ଦୂରରେ ରହିବା। ଆମେ ସମସ୍ତେ ଆତ୍ମସମୀକ୍ଷା କରିବା ଆବଶ୍ୟକ, କାରଣ ଆତ୍ମସମୀକ୍ଷା ବିନା ଆତ୍ମ ସଚେତନତା ସୃଷ୍ଟି ହେବା ଅସମ୍ଭବ। ଆତ୍ମ ସଚେତନତା ହିଁ ସ୍ଵାଧୀନତାର ପ୍ରକୃତ ଭିତ୍ତିଭୂମି।

(ଲେଖକ ହେଉଛନ୍ତି କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟର ଅଧ୍ୟାପକ। ମତାମତ ସମ୍ପୂର୍ଣ୍ଣ ନିଜସ୍ଵ)

Tags: #IndependenceDay #Article #DrDebilalMishra #Odisha

LEAVE A REPLY

Please enter your comment!
Please enter your name here