ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ବର୍ଷ ତଳେ କୋଭିଡ-୧୯ରୁ ଆଶ୍ଵସ୍ତି ମିଳିଥିବାବେଳେ ଏବେ ସାରା ବିଶ୍ଵକୁ ଡରାଇଲାଣି ମଙ୍କିପକ୍ସ ଭାଇରସ। ମଙ୍କିପକ୍ସକୁ ନେଇ ବିଭିନ୍ନ ଦେଶର ଚିନ୍ତା ବଢ଼ିବାରେ ଲାଗିଛି। ଆଫ୍ରିକା ବାହାରେ ସ୍ଵିଡେନ ଓ ପାକିସ୍ତାନରେ ପ୍ରଥମ ଥର ପାଇଁ ଏହି ଭୂତାଣୁ ଚିହ୍ନଟ ହୋଇଛି। ଏନେଇ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ଏହାକୁ ପବ୍ଲିକ ହେଲଥ ଏମର୍ଜେନସି ଅଫ୍ ଗ୍ଳୋବାଲ କନସର୍ନ ବା ଅନ୍ତ୍ରର୍ଜାତୀୟ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କରାଯାଇଛି।

ମଙ୍କିପକ୍ସ ଦ୍ଵାରା ବିଭିନ୍ନ ଦେଶରେ ଗ୍ରେଡ-ଥ୍ରୀ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି। ବିଭିନ୍ନ ଦେଶକୁ ଏହା ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ରୋଗକୁ ବଢ଼ିବାରୁ ରୋକିବା ପାଇଁ ତୁରନ୍ତ ଗବେଷଣା, ପାଣ୍ଠି ଏବଂ ପାରସ୍ପରିକ ସହଯୋଗର ଆବଶ୍ୟକତା ରହିଥିବା ଡବ୍ଲୁଏଚଓ ପକ୍ଷରୁ କୁହାଯାଇଛି।

ଆଫ୍ରିକୀୟ ଦେଶ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ମଙ୍କିପକ୍ସର ଏକ ବିପଜ୍ଜନକ ଭାରିଏଣ୍ଟ ‘କ୍ଲେଡ-୧’ ଦେଖିବାକୁ ମିଳିଥିଲା। ଏହା ସମଗ୍ର ବିଶ୍ୱରେ ବ୍ୟାପିବାର ଆଶଙ୍କା ରହିଛି। ଏହାରି ମଧ୍ୟରେ ଏହି ଭାରିଏଣ୍ଟ ସ୍ଵିଡେନର ଜଣେ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳିଛି।

ମଙ୍କିପକ୍ସ ଭାଇରସ ୧୯୫୮ରେ ଡେନମାର୍କରେ ପ୍ରଥମେ ମାଙ୍କଡ଼ଠାରେ ଚିହ୍ନଟ ହୋଇଥିବା କୁହାଯାଉଛି। ଏହା ମୂଷା ଓ ଅନ୍ୟ ଛୋଟ ସ୍ତନ୍ୟପାୟୀ ଜୀବଙ୍କ ଶରୀରରେ ମଧ୍ୟ ମିଳିଥାଏ। ମଣିଷଠାରେ ଏହା ପ୍ରଥମେ ୧୯୭୦ରେ କଙ୍ଗୋରେ ଚିହ୍ନଟ ହୋଇଥିଲା। ଏହି ଭାଇରସଟି ଜଣଙ୍କଠାରୁ ଅନ୍ୟ ଜଣଙ୍କ ପାଖକୁ ଡେଇଁଥାଏ।

ମଙ୍କିପକ୍ସ ଏହା ପୂର୍ବରୁ ୨୦୨୨ ମସିହାରେ ବିଶ୍ୱର ୭୦ଟି ଦେଶରେ ବ୍ୟାପିଥିଲା। ବର୍ତ୍ତମାନ ସମୟରେ ୧୫ଟି ଦେଶରେ ଏହି ସଂକ୍ରମଣର ମାମଲା ସାମ୍ନାକୁ ଆସିଛି। ଚଳିତ ବର୍ଷ ଜୁଲାଇ ସୁଦ୍ଧା ୧୭ ହଜାରରୁ ଅଧିକ ମଙ୍କିପକ୍ସ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ମୃତ୍ୟୁ ସଂଖ୍ୟା ୫ ଶହ ଟପିଛି। କଙ୍ଗୋ, କେନିଆ, ଉଗାଣ୍ଡା ଓ ରୱାଣ୍ଡା ସମେତ କିଛି ଦେଶରେ ଏହି ଭାଇରସ ମାରାତ୍ମକ ସାବ୍ୟସ୍ତ ହେଉଛି।

ମଙ୍କିପକ୍ସର ଲକ୍ଷଣ

ମଙ୍କିପକ୍ସରେ ସଂକ୍ରମିତ ରୋଗୀ ଜ୍ଜ୍ଵର, ମୁଣ୍ଡ ବିନ୍ଧା ଏବଂ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥାଏ। ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ହୋଇଥିବା ବିଭିନ୍ନ ଦାଗଗୁଡ଼ିକ ପରେ ଧିରେ ଧିରେ ପିମ୍ପଲ ଭଳି ହୋଇ ସ୍କବସ ସୃଷ୍ଟି କରିଥାଏ। ୨୧ ଦିନ ମଧ୍ୟରେ ମଙ୍କିପକ୍ସର ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଯାଏ।

Tags: #MonkeypoxVirus #ViralDisease #HealthEmergency #WHO

LEAVE A REPLY

Please enter your comment!
Please enter your name here