ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି) ଢେଙ୍କାନାଳର ୩୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଶନିବାର ଏହି ଅବସରରେ ଅନୁଷ୍ଠାନରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଭୁବନେଶ୍ୱରସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ରାଜେଶ କୁମାର ଝା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
“ଟେକ୍ନୋଲୋଜି ଯେତିକି ବିକଶିତ ହେଉଛି ସାମ୍ବାଦିକତା ତଥା ଗଣମାଧ୍ୟମର ରୂପରେଖ ମଧ୍ୟ ସେତିକି ବଦଳୁଛି। ତେବେ ସାମ୍ବାଦିକତାର ମୂଳତତ୍ତ୍ୱ ତଥା ଉଦ୍ଦେଶ୍ୟ ସେମିତି ହିଁ ରହିଛି। ସାମ୍ବାଦିକମାନେ ଲେଖିବାବେଳେ ସଠିକ୍ ଶବ୍ଦ ଓ ତଥ୍ୟ ଉପରେ ଗୁରୁତ୍ୱ ଦେବା ଦରକାର। ଅନେକ ସମୟରେ ଗୋଟିଏ ଗୋଟିଏ ଶବ୍ଦ ସମ୍ପୂର୍ଣ୍ଣ ଖବରଟିକୁ ଭୁଲ କରିଦେଇପାରେ କିମ୍ବା କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇପାରେ। ସମାଜର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ଖବର ପରିବେଷଣ ହେବା ଆବଶ୍ୟକ”, କହିଛନ୍ତି ପ୍ରଫେସର ରାଜେଶ କୁମାର ଝା।
ସେ ଆହୁରି ମଧ୍ୟ କହିଛନ୍ତି, “ବର୍ତ୍ତମାନ ବିଭିନ୍ନ ଦୃଷ୍ଟିଭଙ୍ଗୀରେ ଖବର ପ୍ରସ୍ତୁତ କରିବାକୁ ପଡୁଛି। ତା’ସହ ପୁଣି ଭିନ୍ନ ଭିନ୍ନ ମାଧ୍ୟମ ପାଇଁ ସାମ୍ବାଦିକମାନେ ଖବର ପ୍ରସ୍ତୁତ କରୁଛନ୍ତି। ତେବେ ଖବର ଉପସ୍ଥାପନ ଓ ପରିବେଷଣବେଳେ ସାମ୍ବାଦିକମାନେ ବିଶେଷ ଧ୍ୟାନ ଦେବା ଉଚିତ। ନୈତିକ ମୂଲ୍ୟବୋଧକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଇ ସତ୍ୟ ଖବର ପରିବେଷଣ ଉପରେ ସମସ୍ତ ସାମ୍ବାଦିକ ଧ୍ୟାନ ଦେବା ଦରକାର।”
ଏହି କାର୍ଯ୍ୟକ୍ରମରେ ପୂର୍ବରୁ ଅନୁଷ୍ଠିତ ତର୍କ-ବିତର୍କ ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହାସହ ଛାତ୍ରଛାତ୍ରୀମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ମନୋରଞ୍ଜନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତଙ୍କ ଜୀବନୀ ଉପରେ ମଞ୍ଚସ୍ଥ କ୍ଷୁଦ୍ର ନାଟକ। ଓଡ଼ିଆ ସାମ୍ବାଦିକତା ବିଭାଗର ଛାତ୍ରଛାତ୍ରୀମାନେ ଏଥିରେ ଅତି ସୁନ୍ଦର ଭାବେ ଅଭିନୟ କରି ଦର୍ଶକଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଥିଲେ। ସେହିପରି ଇଂରାଜୀ ସାମ୍ବାଦିକତା ବିଭାଗର ଛାତ୍ରଛାତ୍ରୀମାନେ ନାରୀ ନିର୍ଯାତନା ଉପରେ ଏକ ନାଟକ ମଞ୍ଚସ୍ଥ କରି ସମସ୍ତଙ୍କୁ ଦେଇଥିଲେ ଭିନ୍ନ ଅନୁଭବ।
ଦେଶର ଆଇଆଇଏମ୍ସିର ପ୍ରଥମ ଆଞ୍ଚଳିକ ଶାଖା ଭାବେ ଆଇଆଇଏମ୍ସି ଢେଙ୍କାନାଳ ଖୋଲିଥିଲା। ଏଠାରୁ ଉତ୍ତୀର୍ଣ୍ଣ ହୋଇ ଅନେକ ଛାତ୍ରଛାତ୍ରୀ ଦେଶ ବିଦେଶର ବିଭିନ୍ନ ଗଣମାଧ୍ୟମ ଓ ସରକାରୀ ସଂସ୍ଥାନରେ ଯୋଗାଯୋଗ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଆଇଆଇଏମ୍ସିର ସମସ୍ତ ୬ଟି ଯାକ କ୍ୟାମ୍ପସ୍ ସ୍ୱତନ୍ତ୍ର। ଏହାର ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ସହଯୋଗ ମଧ୍ୟ ରହିଆସିଛି। ଆଜି ଆଇଆଇଏମ୍ସି ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି”, କହିଛନ୍ତି ଆଇଆଇଏମ୍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ।
ଏହି ଅବସରର ଆଇଆଇଏମ୍ସି ଢେଙ୍କାନାଳର ପ୍ରତିଷ୍ଠା ଦିବସ ପତାକା ଉତ୍ତୋଳନ ହୋଇଥିଲା। ଏହାସହ ଅତିଥିମାନେ ଅନୁଷ୍ଠାନ ପରିସରରେ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଯୋଗ ଦେଇଥିଲେ।
Tags: #IIMCDhenkanal #FoundationDay #MassCommunication #Dhenkanal #Odisha