ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର। ଶୁକ୍ରବାର ଦିନ ଜଉମୁଦ ଦେଇ ବନ୍ଦ ହୋଇଥିବା ରତ୍ନଭଣ୍ଡାରର ତାଲା ଖୋଲାଯାଇ ଖାଲି ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର କରାଯାଉଛି। ରତ୍ନଭଣ୍ଡାରରେ ଥିବା ଖାଲି ସିନ୍ଦୁକ ଓ ଆଲମିରାଗୁଡ଼ିକୁ ନୀଳାଦ୍ରି ମ୍ୟୁଜିୟମ ନିକଟରେ ଥିବା କୋଠରୀକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସ୍ଥାନାନ୍ତର କରାଯାଇଛି।

ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ଵନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଉପସ୍ଥିତିରେ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଛି। ମନ୍ଦିର ଭିତରେ ଟେକ୍ନିକାଲ ଟିମ, ଓଡ୍ରାଫ, ଅଗ୍ନିଶମ ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟମାନେ ଉପସ୍ଥିତ ରହିଥିଲେ।

ଏସଓପି ଅନୁସାରେ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର କରାଯିବା ସହ ଏହାର ଭିଡିଓଗ୍ରାଫି କରାଯାଇଛି। ବାହାର ରତ୍ନଭଣ୍ଡାର ଗୋଟିଏ ଲୁହା ସିନ୍ଦୁକ ଥିଲା। ସେହିପରି ଭିତର ରତ୍ନଭଣ୍ଡାରରେ ଦୁଇଟି କାଠ ସିନ୍ଦୁକ, ଗୋଟିଏ ଲୁହା ସିନ୍ଦୁକ ଓ ୨ଟି କାଠ ଆଲମିରା ଓ ଗୋଟିଏ ଲୁହାର ଆଲମିରା ରହିଥିଲା। ଏହି ସିନ୍ଦୁକ ଓ ଆଲମିରାକୁ ନୀଳାଦ୍ରି ମ୍ୟୁଜିୟମ ନିକଟ କୋଠରୀକୁ ସ୍ଥାନାନ୍ତର କରାଯାଇ ସୁରକ୍ଷି ଭାବେ ରଖାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।

“ତିନୋଟି ପର୍ଯ୍ୟାୟରେ ରତ୍ନଭଣ୍ଡାର ଖୋଲାଯାଇ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଛି। ଏବେ ଭାରତୀୟ ପ୍ରତ୍ନତାତ୍ତ୍ଵିକ ବିଭାଗ (ଏଏସଆଇ) କୁ ଏ ସମ୍ପର୍କରେ ଚିଠିଲେଖି ଅବଗତ କରାଯିବ। ଏଏସଆଇ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସମ୍ପନ୍ନ କରିବା ପରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମରେ ରହିଥିବା ଅଳଙ୍କାର, ସିନ୍ଦୁକ ଓ ଆଲମାରିକୁ ପୁନର୍ବାର ରତ୍ନଭଣ୍ଡାରରେ ରଖାଯିବ। ଏହା ପରେ ଗଣତିମଣତି ପ୍ରକ୍ରିୟା ଆରମ୍ଭ କରାଯିବ”, କହିଛନ୍ତି ଡକ୍ଟର ଅରବିନ୍ଦ ପାଢ଼ୀ।

ଶୁକ୍ରବାର ଦିନ ୨ଟାରୁ ଆରମ୍ଭ ହୋଇଛି ସ୍ଥାନାନ୍ତର କାର୍ଯ୍ୟ। ସ୍ଥାନାନ୍ତର ପ୍ରକ୍ରିୟା ସରିବା ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଆନନ୍ଦ ବଜାରରୁ ଭକ୍ତମାନେ ମହାପ୍ରସାଦ କିଣି ପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। 

ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାରରେ ୩ଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା, ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଛି। ଏଥିରେ ଥିବା ସମସ୍ତ ଅଳଙ୍କାର ଖଟ ସେଜଘର ଓ ଚାଙ୍ଗଡ଼ା ଘର ନିକଟ ଷ୍ଟ୍ରଙ୍ଗରୁମରେ ରଖାଯାଇଛି।

ଏସଓପି ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ କହିଛନ୍ତି। ସେ କହିଛନ୍ତି ରତ୍ନଭଣ୍ଡାରରେ ଥିବା ଖାଲି ସିନ୍ଦୁକ ଓ ଆଲମିରା ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମକୁ ସ୍ଥାନାନ୍ତର କରାଯାଇ ତାକୁ ଯତ୍ନ ସହକାରେ ରଖାଯିବ।

ଏହା ପୂର୍ବରୁ ଜୁଲାଇ ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରଥମ ଦ୍ଵାର ଖୋଲା ଯାଇଥିଲା। ସୁନା ଓ ରୁପା ଅଳଙ୍କାରଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଥିଲା। ଏହା ପରେ ଜୁଲାଇ ୧୮ ତାରିଖକୁ ପୁଣି ରତ୍ନଭଣ୍ଡାର ଖୋଲାଯାଇଥିଲା। ପରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ମୂଲ୍ୟବାନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଥିଲା। ଅଳଙ୍କାର ସ୍ଥାନାନ୍ତର ପରେ ରତ୍ନଭଣ୍ଡାର ତାଲାକୁ ଜଉମୁଦ ସିଲ କରାଯାଇ ଚାବିକୁ ଟ୍ରେଜେରିରେ ରଖାଯାଇଥିଲା।

ଏହା ପୂର୍ବରୁ ୧୯୭୮ରେ ଶେଷ ଥର ପାଇଁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇ ଗଣତିମଣତି କରାଯାଇଥିଲା।

Tags: #Ratnabhandar #Shreemandir #Puri #Odisha

LEAVE A REPLY

Please enter your comment!
Please enter your name here