ମୀନତି ମିଶ୍ର
କୋଲକାତା ଆରଜି କର ମେଡିକାଲ କଲେଜ ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବଢ଼ିଚାଲିଛି ବିବାଦ। ଗୋଟିଏ ମାମଲାର ତଦନ୍ତ କରୁ କରୁ ଆଉ ଗୋଟିଏ ମାମଲା ସାମ୍ନାକୁ ଆସିଯାଉଛି। ଗୋଟିଏ ଡାକ୍ତରଖାନା ଭିତରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା କଳା କାରନାମା ସମ୍ପର୍କରେ କେମିତି କେହି ସୂରାକ ପାଇପାରୁ ନଥିଲେ ତାହା ସମସ୍ତଙ୍କୁ ଚକିତ କରିଛି।
କାହିଁକି ଗିରଫ ହେଲେ ସନ୍ଦୀପ ଘୋଷ?
ସିବିଆଇ ହାତକୁ ଯାଇଛି ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲା। ଏହି ଘଟଣାର ସରଜମିନ ତଦନ୍ତ କରୁଛି ସିବିଆଇ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି, ଅଭୟା ହତ୍ୟା ମାମଲାର ଖିଅ ଖୋଜୁ ଖୋଜୁ ହସ୍ପିଟାଲରେ ଚାଲିଥିବା ଅନେକ କଳାକାରନାମା ସମ୍ପର୍କ ସନ୍ଧାନ ପାଇଛି ସିବିଆଇ।
ଅର୍ଥ ହେରଫେର ମମଲାକୁ ନେଇ ସୋମବାର ଦିନ ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ। ଘଟଣା ଦିନଠାରୁ ହିଁ ଡକ୍ଟର ସନ୍ଦୀପ ଘୋଷଙ୍କ ବିରୋଧରେ ଅଭିଯୋଗ ହୋଇଆସୁଛି ସେ ଅଭୟା ମାମଲାକୁ ଚପାଇ ଦେବାକୁ ଚେଷ୍ଟା କରୁଥିଲେ।
ସନ୍ଦୀପ ଘୋଷଙ୍କ ସହ ତାଙ୍କ ସୁରକ୍ଷା ଗାର୍ଡ ଅଲ୍ଲି ଖାନ, ଡାକ୍ତରଖାନାର ଦୁଇଜଣ କର୍ମଚାରୀ ବିପ୍ଲବ ସିହ୍ନ ଓ ସୁମନ ହାଜରାଙ୍କୁ ଗିରଫ କରାଯାଇଛି।
ସଞ୍ଜୟର ଚାଞ୍ଚଲ୍ୟକର ବୟାନ
ଅଭୟା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ପୂର୍ବରୁ ଗିରଫ କରାଯାଇଛି। ଏହି ଘଟଣାର ୨୪ ଦିନ ପରେ ଆଉ ୪ଜଣଙ୍କୁ ଗିରଫ କରିଛି ସିବିଆଇ। ଏହାରି ମଧ୍ୟରେ ଅଭିଯୁକ୍ତ ସଞ୍ଜୟ ଦେଇଛି ଚାଞ୍ଚଲ୍ୟକର ବୟାନ। ସଞ୍ଜୟର ବୟାନକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ସିବିଆଇ ଟିମ।
ଅଭିଯୁକ୍ତ ସଞ୍ଜୟ ରାୟ କହିଛି, ସେ ଅଭୟାଙ୍କୁ ଦୁଷ୍କର୍ମ କିମ୍ବା ହତ୍ୟା କରିନାହିଁ। ସେ ଆହୁରି କହିଛି ଅଗଷ୍ଟ ୯ ତାରିଖ ରାତିରେ ସେ ସେମିନାର ହଲକୁ ଯାଇଥିଲା। ହେଲେ ପୂର୍ବରୁ ସେଠାରେ ଡାକ୍ତର ଅଭୟାଙ୍କର ମୃତଦେହ ପଡ଼ି ରହିଥିଲା। ଅଭୟାଙ୍କ ମୃତଦେହ ଦେଖି ସେ ସମ୍ପୂର୍ଣ୍ଣ ଡରି ଯାଇଥିଲା। ହତ୍ୟା ଘଟଣାରେ ଫସିବା ଭୟରେ ସେ କାହାରିକୁ କୌଣସି ସୂଚନା ନଦେଇ ସେଠାରୁ ଚାଲିଯିବାକୁ ଉଚିତ ମନେ କରିଥିଲା ବୋଲି ଅଭିଯୁକ୍ତ କହିଛି।
ଅଭୟାଙ୍କୁ ମାରିଛି କିଏ?
ଏବେ ବଡ଼ ପ୍ରଶ୍ନ ଉଠିଛି ଯଦି ସଞ୍ଜୟ ରାୟ ଡାକ୍ତର ଅଭୟାଙ୍କୁ ହତ୍ୟା କରିନାହିଁ ତେବେ କିଏ ଏହି କାଣ୍ଡ ଘଟାଇଛି। ସଞ୍ଜୟ ନିଜ ଦୋଷ ଲୁଚାଇବାକୁ ଏଭଳି ବୟାନ ଦେଇଛି, ନା ଏହା ପଛରେ ଆଉ କେହି ମାଷ୍ଟରମାଇଣ୍ଡ ରହିଛି। ସଞ୍ଜୟକୁ ଗିରଫ କରିବା ପରେ ପୁଣି ଆଉ ୪ ଜଣଙ୍କୁ ବାନ୍ଧିଛି ସିବିଆଇ। ଏହି ହତ୍ୟା ଘଟଣାରେ ଏକାଧିକ ଅଭିଯୁକ୍ତଙ୍କ ନାଁ ଚର୍ଚ୍ଚାରେ ରହିଥିବାରୁ ସିବିଆଇ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି।
ଏପରି କ୍ଷେତ୍ରରେ ପ୍ରକୃତ ହତ୍ୟାକାରୀକୁ ସାମ୍ନାକୁ ଆଣିବା ସିବିଆଇ ପାଇଁ କଷ୍ଟକର ହେବ ବୋଲି ଅଶଙ୍କା କରାଯାଉଛି। କାରଣ ସିସି ଟିଭି କ୍ୟାମେରା ବ୍ୟତୀତ ସେହି କାଳରାତ୍ରୀର ପ୍ରତ୍ୟକ୍ଷଦର୍ଶୀ ଅନ୍ୟ କେହି ନାହାନ୍ତି। ଯେତିକି ପ୍ରମାଣ ସିବିଆଇ ହାତରେ ଲାଗିଛି ସେସବୁର ଯାଞ୍ଚ ପାଇଁ ଫରେନ୍ସିକ ଲ୍ୟାବକୁ ପଠାଯାଇଛି।
ଗ୍ରହଣ ଯୋଗ୍ୟ ହେବ ତ ମମତାଙ୍କ ନୂଆ ବିଲ୍?
କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପଶ୍ଚିମବଙ୍ଗରେ ତୀବ୍ର ଆନ୍ଦୋଳନ ଜାରି ରହିଛି। ଏହାରି ମଧ୍ୟରେ ପଶ୍ଚିମବଙ୍ଗ ସରକାର ଦୁଷ୍କର୍ମ ବିରୋଧରେ କଡ଼ା ଆଇନ ଆଣିଛନ୍ତି। ଦୁଷ୍କର୍ମ କରିଥିବା ଦୋଷୀକୁ ଦଣ୍ଡ ଦେବାକୁ ପଶ୍ଚିମବଙ୍ଗ ବିଧାନସଭାରେ ‘ଅପରାଜିତା ବିଲ୍’ ପାରିତ ହୋଇଛି।
‘ଅପରାଜିତା ମହିଳା ଏବଂ ଶିଶୁ ବିଲ୍ (ପଶ୍ଚିମବଙ୍ଗ ଅପରାଧିକ ଆଇନ ଏବଂ ସଂଶୋଧନ) ୨୦୨୪’ ଅନ୍ତର୍ଗତ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଶୀଘ୍ର ମୃତ୍ୟୁ ଦଣ୍ଡାଦେଶ ଦେବାକୁ ନିୟମ ରହିଛି। ୨୧ ଦିନ ମଧ୍ୟରେ ମାମଲାର ଶୁଣାଣି କରି ଦଣ୍ଡ ବିଧାନର ବ୍ୟବସ୍ଥା କରିବାକୁ ପ୍ରାବଧାନ କରାଯାଇଛି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବିଲ୍ ଐତିହାସିକ ଏବଂ ଅନ୍ୟ ରାଜ୍ୟ ପାଇଁ ମଡେଲ୍ ହେବ ବୋଲି କହିଛନ୍ତି। ମହିଳାଙ୍କ ଉପରେ ହେଉଥିବା ହିଂସା ବିରୋଧରେ ଲଢ଼େଇରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ମତବ୍ୟକ୍ତ କରିଛନ୍ତି।
Tags: #KolkataRapeandMurderCase #Abhaya #SupremeCourt #CBI #KolkataPolice #DoctorsAparajitaBill #AntiRapeBill #CapitalPunishment #WestBengal