ଓଡ଼ିଶାଲାଇଭ୍ ବ୍ୟୁରୋ
ଗିରଫ ହେଲେ ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଧରଣୀଧର ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ।
ସୋମବାର ଦିନ ଧରଣୀଧର ନାୟକଙ୍କ ୮ଟି ଠିକଣା ଉପରେ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍। ମଙ୍ଗଳବାର ଦିନ ମଧ୍ୟ ତାଙ୍କ କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ଚଢ଼ଉ ଜାରି ରହିଛି। ଦ୍ଵିତୀୟ ଦିନର ଚଢ଼ଉରେ ନଗଦ ୪ ଲକ୍ଷ ଟଙ୍କା ଏବଂ ମୋବାଇଲ ଜବତ କରିଛି ଭିଜିଲାନ୍ସ ଟିମ୍।
ଧରଣୀଧର ନାୟକଙ୍କ ତାଳଚେରସ୍ଥିତ ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର, ଭୁବନେଶ୍ଵର ଘର, ତେଲକୋଇରେ ମାର୍କେଟ କମ୍ପ୍ଲେକ୍ସ ଓ କେନ୍ଦୁଝର ପୁରମୁଣ୍ଡାରେ ଥିବା ଶ୍ଵଶୂର ଘରେ ସୋମବାର ଦିନ ଚଢ଼ଉ କରାଯାଇଥିଲା। ସରକାରୀ ବାବୁଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ।
ଭୁବନେଶ୍ଵରେ ଦେଢ଼ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଏକ ଆପାର୍ଟମେଣ୍ଟ, ସୁନ୍ଦରପଦାରେ ଦୁଇ ମହଲା ବିଶିଷ୍ଟ କୋଠା, ଯାହାର ମୂଲ୍ୟ ୫୫ ଲକ୍ଷ ଟଙ୍କାରୁ ଅଧିକ, କେନ୍ଦୁଝର ତେଲକୋଇରେ ୩ଟି ମାର୍କେଟ କମ୍ପ୍ଲେକ୍ସ, ଅନୁଗୁଳ, ଭୁବନେଶ୍ଵର ଓ କଟକରେ ୧୧ଟି ପ୍ଲଟ ରହିଥିବା ବର୍ତ୍ତମାନ ସୁଦ୍ଧା ଠାବ କରିଛି ଭିଜିଲାନ୍ସ ଟିମ୍।
ଏହା ବ୍ୟତୀତ ଧରଣୀଧର ନାୟକଙ୍କ ଭୁବନେଶ୍ଵରସ୍ଥିତ ସୁରେଖା ଅର୍କିଡ ଆପାର୍ଟମେଣ୍ଟ ଓ ତାଳଚେର ଘରୁ ସୁନା ଓ ରୁପା ଅଳଙ୍କାର, ନଗଦ ୯ ଲକ୍ଷ ୮୫ ହଜାର ଟଙ୍କା, ଦାମୀ ଘଣ୍ଟା, ୫୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ୧୬ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ ଠାବ କରାଯାଇଛି।
ଏହି ଚଢ଼ଉରେ ୧୦ ଜଣ ଭିଜିଲାନ୍ସ ଡିଏସପି, ୧୬ ଜଣ ଇନ୍ସପେକ୍ଟର ଏବଂ ୭ ଜଣ ଏଏସଆଇ ସାମିଲ ଅଛନ୍ତି।
Tags: #VigilanceRaid #TalcherMineDeputyDirector #DharanidharNayak #Odisha