ଓଡ଼ିଶାଲାଇଭ୍ ବ୍ୟୁରୋ

ବନ୍ୟାରେ ବେହାଲ ହୋଇଛି ମାଲକାନଗିରି ଓ କୋରାପୁଟ। ଉଭୟ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବଡ଼ଧରଣର ବନ୍ୟା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲାର ବିଭିନ୍ନ ରାସ୍ତାରେ ପାଣି ଚାଲୁଥିବାବେଳେ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଓଡ୍ରାଫ ଟିମ୍ ପକ୍ଷରୁ ସେହି ସବୁ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି।

ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ମଙ୍ଗଳବାର ମାଲକାନଗିରି, କୋରାପୁଟ ଓ ଗଞ୍ଜାମ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପରିସ୍ଥିତିକୁ ନଜରରେ ରଖି ଏହି ସବୁ ଜିଲ୍ଲାର ଜିଲ୍ଲାପାଳମାନେ ସ୍କୁଲ ଛୁଟି ଘୋଷଣା କରିଛନ୍ତି।

ଅନ୍ୟପଟେ ମାଲକାନଗିରିରେ ବନ୍ୟା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲାର ଶତାଧିକ ଗାଁ ଜଳବନ୍ଦୀ ହେବା ସହ ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳରୁ ୫୦୦ରୁ ଅଧିକ ପରିବାରକୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି।

ମାଲକାନଗିରିରୁ ସମସ୍ତ ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କାଙ୍ଗୋରୁକୋଣ୍ଡା, ପୋଟେରୁ, ଏମଭି-୯୦, ଏମଭି-୯୬, ପାଙ୍ଗାମ ଆଦି ସ୍ଥାନରେ ପୋଲ ଉପରେ ପାଣି ଚାଲୁଛି। ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ମାଟି ଅତଡ଼ା ଧସି ରାସ୍ତା ବନ୍ଦ ହୋଇଥିବା ଦେଖିବାକୁ ମିଳିଛି।

ସେହିପରି ବନ୍ୟା ଯୋଗୁଁ କୋରାପୁଟ ଜିଲ୍ଲାର ହଜାରହଜାର ଏକର ଚାଷ ଜମି ଜଳମଗ୍ନ ହୋଇଯାଇଛି। ଜିଲ୍ଲାରେ ଅନେକ ଘର ମଧ୍ୟ ଭାଙ୍ଗିଥିବା ଦେଖିବାକୁ ମିଳିଛି। ଏହାସହ ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପର ୨ ନମ୍ବର ୟୁନିଟ୍ ଭିତରେ ବନ୍ୟା ଜଳ ପଶିବାରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହୋଇଛି।    

ଦକ୍ଷିଣ ଓଡ଼ିଶାରେ ଏବେ ବର୍ଷା କମିଥିଲେ ମଧ୍ୟ ଅନେକ ଅଞ୍ଚଳ ଏବେ ପାଣି ଘେରରେ ରହିଛନ୍ତି। ସେସବୁ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Tags: #HeavyRainfall #Floods #Malkangiri #Koraput #Odisha

LEAVE A REPLY

Please enter your comment!
Please enter your name here