ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଧ୍ରପ୍ରଦେଶରେ ଅଗଷ୍ଟ ୩୧ରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ବ୍ୟାପକ କ୍ଷୟକ୍ଷତି କରିଛି। ବିଜୟୱାଡ଼ାରେ ରହୁଥିବା ୫୦ ପ୍ରତିଶତ ଜନସଂଖ୍ୟା ଅର୍ଥାତ୍ ୨.୭ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି।
ତେବେ ଦୀର୍ଘ ୪ଦିନ ପରେ ସ୍ଥିତି ସ୍ୱାଭାବିକ ହୋଇଥିଲେ ସୁଦ୍ଧା ଏବେ ବି କେତେକ ଅଞ୍ଚଳରୁ ପାଣି କମିନାହିଁ। ଲୋକଙ୍କ ଆସବାବ ସମେତ ଘରଦ୍ୱାର ଆଦି ପାଣିରେ ବୁଡ଼ିରହିଛି। ବନ୍ୟା ଧୀରେ ଧୀରେ କମୁଥିଲେ ମଧ୍ୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଲଗାତାର ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶର ବୁଡ଼ାମେରୁ କେନାଲରେ ବିପଦ ସଙ୍କେତ ଉପରେ ପାଣି ପ୍ରବାହିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ବନ୍ୟାର ରୂପ ନେଇ ରାଜ୍ୟର ଏନ୍ଟିଆର୍, କ୍ରିଷ୍ଣା, ଗୁଣ୍ଟୁର ଓ ବାପାତ୍ଲା ଆଦି ୪ ଜିଲ୍ଲାକୁ ଭୀଷଣ କ୍ଷତିଗ୍ରସ୍ତ କରିଛି। ଆସନ୍ତୁ ଜାଣିବା କେଉଁ କାରଣରୁ ବୁଡାମେରୁ କେନାଲ ମାଧ୍ୟମରେ ଆନ୍ଧ୍ରପ୍ରଦେଶରେ ଏହି ବଡ଼ଧରଣର ବନ୍ୟା ହେଲା।
ବୁଡ଼ାମେରୁ କେନାଲ
ଆନ୍ଧ୍ରପ୍ରଦେଶର ଏନଟିଆର ଜିଲ୍ଲାର ମାଲ୍ୟବରମ୍ ପାହାଡ଼ରୁ ବାହାରିଛି ବୁଡ଼ାମେରୁ କେନାଲ। ପ୍ରତି ବର୍ଷାଋତୁରେ ବୁଡାମେରୁରେ ବନ୍ୟାଜଳ ପ୍ରବାହିତ ହୋଇଥାଏ। ଏଥିରେ ପ୍ରବାହିତ ବନ୍ୟାଜଳ ସବୁ କୋଲେରୁ ହ୍ରଦରେ ମିଶିଥାଏ।
କିଛି ବର୍ଷ ହେଲା କୋଲେରୁ ହ୍ରଦ ମୁହାଁଣରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ କେନାଲକୁ ଅବରୋଧ କରି ବେଲାଗାଲେରୁଠାରେ ବୁଡାମେରୁ ଡାଇଭର୍ସନ୍ ଚ୍ୟାନେଲ୍ (ବିଡିସି) ଜରିଆରେ ଏହାକୁ କ୍ରିଷ୍ଣା ନଦୀ ଆଡ଼କୁ ମୁହାଁଇ ଦିଆଯାଇଛି। ଏହାସହ କ୍ରିଷ୍ଣା ନଦୀ ଉପରେ ପ୍ରକାଶମ ବ୍ୟାରେଜ୍ କରି ଏହାର ବନ୍ୟାଜଳକୁ ନିୟନ୍ତ୍ରଣ କରାଯାଉଛି।
ଚଳିତବର୍ଷ ପ୍ରବଳ ବର୍ଷା ଯୋଗୁଁ କ୍ରିଷ୍ଣା ନଦୀର ଜଳସ୍ତର ବୁଡ଼ାମେରୁଠାରୁ ଅଧିକ ଉଚ୍ଚରେ ପ୍ରବାହିତ ହେଉଥିବାରୁ ବୁଡ଼ାମେରୁର ପାଣି କ୍ରିଷ୍ଣାନଦୀକୁ ଯାଇପାରି ନଥିଲା। ବରଂ ଏହା ପଛକୁ ଚାଲି ଆସିଥିଲା। ଫଳ ସ୍ୱରୂପ ବୁଡ଼ାମେରୁ ଫୁଲିବା ସହ ଏଥିରେ ବନ୍ୟା ଆସି ଆଜି ଆନ୍ଧ୍ରପ୍ରଦେଶ ସମେତ ତେଲେଙ୍ଗାନାକୁ କ୍ଷତିଗ୍ରସ୍ତ କରିଛି। ପ୍ରକାଶମ୍ ବ୍ୟାରେଜ୍ର ମୋଟ ଜଳ ଧାରଣ କ୍ଷମତା ୧୧.୯୦ ଲକ୍ଷ କ୍ୟୁସେକ୍ ଥିବା ବେଳେ ଏଥର ବନ୍ୟା ପୂର୍ବରୁ ଏହା ବିପଦସଙ୍କେତ ଠାରୁ ଊର୍ଦ୍ଧ୍ୱ ୧୧.୪୩ ଲକ୍ଷ କ୍ୟୁସେକକୁ ଛୁଇଁଥିଲା। ଏଥିପାଇଁ ବନ୍ୟା ସମୟରେ ବ୍ୟାରେଜ୍ର ଅନେକ ଗେଟ ଖୋଲି ଦିଆଯାଇଥିଲା। ପରେ ବିଜୟୱାଡ଼ାରେ ଏହି ପାଣି ପଶି ଯାଇଥିଲା।
ବୁଡାମେରୁରେ ଜଳସ୍ତର ବୃଦ୍ଧି ହେବାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ଏଥିରେ ବହୁଳମାତ୍ରାରେ ମିଶିଥିବା ଝରଣା। ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ରାଜ୍ୟର ପୁଲିଭାଗୁ, ଭୀମଭାଗୁ, ଲୋୟାଭାଗୁ, ମାଲ୍ୟବରମ୍, ଜି କୋଣ୍ଡୁର ଭଳି ଆଉ କେତେକ ଝରଣା ଏହି ବୁଡାମେରୁ ସହିତ ମିଶିଛନ୍ତି। ଉପରି ଅଞ୍ଚଳରେ ଭୀଷଣ ବର୍ଷା ଯୋଗୁଁ ଏହି ଝରଣାମାନଙ୍କରେ ଅଧିକମାତ୍ରାରେ ଜଳ ପ୍ରବାହିତ ହୋଇଥିଲା। ଫଳରେ ବୁଡ଼ାମେରୁରେ ଧିରେ ଧିରେ ଜଳସ୍ତର ବୃଦ୍ଧି ପାଇଥିଲା।
ଏହାସହ ଏଥର ତେଲେଙ୍ଗାନାରେ ୩୦ରୁ ଊର୍ଦ୍ଧ୍ୱ ଜଳଭଣ୍ଡାରରେ ସ୍ୱାଭାବିକଠାରୁ ଅଧିକ ଜଳ ପ୍ରବାହିତ ହେଉଥିଲା। ଏହି ଜଳଭଣ୍ଡାରଗୁଡ଼ିକ ଫୁଲିବା ସହ ଏହାର ପାଣି ଏଣେ ତେଣେ ବୋହିଥିଲା। ଏହା ବନ୍ୟା ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଥିଲା।
ବର୍ଷା ଯୋଗୁଁ ଫୁଲିଲା କ୍ରିଷ୍ଣାନଦୀ
୩୧ ଅଗଷ୍ଟ ଏବଂ ୧ ସେପ୍ଟେମ୍ବରରେ ଭୀଷଣ ବର୍ଷା ଯୋଗୁଁ କ୍ରିଷ୍ଣା ନଦୀରେ ମଧ୍ୟ ବିପଦ ସଙ୍କେତଠାରୁ ଅଧିକ ମାତ୍ରାରେ ବନ୍ୟାଜଳ ପ୍ରବାହିତ ହେଉଥିଲା। ଯାହାଫଳରେ ବୁଡ଼ାମେରୁ ଡାଇଭର୍ସନ୍ ଚ୍ୟାନେଲ୍ ଜରିଆରେ ବୁଡ଼ାମେରୁର ପାଣିକୁ କ୍ରିଷ୍ଣାନଦୀରେ ଛାଡ଼ିବା ସମ୍ଭବପର ହୋଇ ନଥିଲା। ଏଥିଲାଗି ବୁଡାମେରୁରେ ବନ୍ୟା ପାଣି ଆସି ବିଜୟୱାଡ଼ାର ଗୋଲାପୁଡ଼ି, ମିଲ୍କ ପ୍ରୋଜେକ୍ଟ, ଜାକ୍କାମାପୁଡି, କାନ୍ଦ୍ରିକା, ପାୟାକାପୂରମ୍, ଅଜିତସିଂହ ନଗର ସମେତ ବହୁ ଅଞ୍ଚଳକୁ କ୍ଷତିଗ୍ରସ୍ତ କରିଥିଲା।
ଜାରି ରହିଛି ସ୍ୱାସ୍ଥ୍ୟ ଶିବିର
ସେପଟେ ଆନ୍ଧ୍ରପ୍ରଦେଶ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବନ୍ୟା ପ୍ରପୀଡ଼ିତଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସେବା ଯୋଗାଇ ଦିଆଯାଉଛି। ବିଜୟୱାଡ଼ାର ତୁମଳାପାଲ୍ଲି କଳାକ୍ଷେତ୍ରମ୍ରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯାଇ ହିତାଧିକାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ବର୍ତ୍ତମାନ ମ୍ୟାଲେରିଆ, ଡେଙ୍ଗୁ ପରିସ୍ଥିତି ଉପୁଜିବାର ସମ୍ଭାବନା ଥିବାରୁ ବିଜୟୱାଡ଼ାର ବିଭିନ୍ନ ସ୍ଥାନରେ ୧୯୦ଟି ମାଗଣା ସ୍ୱାସ୍ଥ୍ୟ ଶିବିର କରାଯାଇ ବନ୍ୟା ପୀଡ଼ିତଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଉଛି । ଆଉ ଏହି ସେବା ଯୋଗାଇଦେବାକୁ ୧୦୦୦ରୁ ଊର୍ଦ୍ଧ୍ୱ ସ୍ୱାସ୍ଥ୍ୟକର୍ମୀ ଜଡ଼ିତ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟ କୁମାର ଯାଦବ ପ୍ରକାଶ କରିଛନ୍ତି।
ଅପରପକ୍ଷେ ବିଜୟୱାଡ଼ାରେ ବନ୍ୟା ଯୋଗୁଁ ବହୁଳମାତ୍ରାରେ ଦୁଇଚକିଆ ଓ ଚାରିଚକିଆ ଯାନ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ପ୍ରାୟ ୧୦ ହଜାରରୁ ଅଧିକ ଯାନବାହନ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି। ଏହାସହ ବନ୍ୟାରେ ଅନେକ ଘରଦ୍ଵାର ନଷ୍ଟ ହୋଇଥିବା କୁହାଯାଉଛି। ସ୍ଥିତି ସ୍ୱାଭାବିକ ହେବା ପରେ ସବୁ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଘୋଷଣା କରିଛନ୍ତି।
Tags: #AndhraPradeshFloods #HeavyRainfall #Vijayawada #BudameruRivulet #AndhraPradesh