ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ୭୦ତମ ଓଡ଼ିଶା ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍। ଏହି ପ୍ରତିଯୋଗିତାରେ କଟକ ଦଳ ୩୧୨ ପଏଣ୍ଟ ସହ ଚାମ୍ପିୟନ୍‌ ହୋଇଥିବାବେଳେ ସୁନ୍ଦରଗଡ଼ ଟିମ୍ ୨୦୦ ପଏଣ୍ଟ ସହ ରନର୍ସଅପ୍ ହୋଇଛି। ଚଳିତବର୍ଷ ଏହି ପ୍ରତିଯୋଗିତାରେ ୨୨ଟି ନୂଆ ମିଟ୍ ରେକର୍ଡ ସୃଷ୍ଟି ହୋଇଛି।

ଶୁକ୍ରବାର ପ୍ରତିଯୋଗିତାର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଓଡିଶା ଆଥଲେଟିକ୍ସ ଆସୋସିଏସନ୍‌ର ସଭାପତି ଜି.ଏସ. ପଟ୍ଟନାୟକ, ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ୍‌ର ସମ୍ପାଦକ ଆଶୀର୍ବାଦ ବେହେରା ଏବଂ ଓଡ଼ିଶା ହକି ପ୍ରମୋସନାଲ କାଉନସିଲର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଯୋଗଦେଇ ସବୁ ବିଜେତାମାନଙ୍କୁ ପଦକ ପ୍ରଦାନ କରିଥିଲେ।

ଚଳିତବର୍ଷ ପ୍ରତିଯୋଗିତାରେ ୨୦ ବର୍ଷରୁ କମ୍ ବାଳିକା ବର୍ଗରେ ଟିମ୍ ସୁନ୍ଦରଗଡ଼ ୮୬ ପଏଣ୍ଟ ସହ ବିଜୟ ହାସଲ କରିଥିବାବେଳେ ୨୦ ବର୍ଷରୁ କମ୍ ବାଳକ ବର୍ଗରେ ଟିମ୍ କଟକ ୬୧ ପଏଣ୍ଟ ସହ ଚାମ୍ପିୟନ୍‌ ହୋଇଛି। ସେହିପରି ୨୩ ବର୍ଷରୁ କମ୍ ବାଳିକା ବର୍ଗରେ ଟିମ୍ ସୁନ୍ଦରଗଡ଼ ୩୭ ପଏଣ୍ଟ ସହ ଚାମ୍ପିୟନ୍‌ ହୋଇଥିବାବେଳେ ବାଳକ ବର୍ଗରେ ଟିମ୍ କଟକ ୮୦ ପଏଣ୍ଟ ସହ ପ୍ରଥମ ସ୍ଥାନ ହାସଲ କରିଛି।

ଶୁକ୍ରବାର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଅତିଥିମାନେ ଖେଳାଳିମାନଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ। ସେମାନେ ସବୁ ପ୍ରତିଯୋଗୀ, କୋଚ୍, ସପୋର୍ଟ ଷ୍ଟାଫ୍ ଏବଂ ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ୍‌ର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ କ୍ରୀଡ଼ା ପ୍ରତିଭାମାନଙ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସବୁ ପ୍ରକାର ସୁବିଧା ଏବଂ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ସେମାନେ ମତପ୍ରକାଶ କରିଥିଲେ।

ଚଳିତ ବର୍ଷ ଓଡ଼ିଶା ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ସେପ୍ଟେମ୍ବର ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ୩ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ସମଗ୍ର ରାଜ୍ୟରୁ ୯୦୦ରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ୨୬୮ ଜଣ ମହିଳା କ୍ରୀଡ଼ାବିତ୍‌ ଭାଗ ନେଇଥିଲେ।

ଓଡ଼ିଶା-ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ଏବଂ ଓଡ଼ିଶା ସ୍ପୋର୍ଟସ ହଷ୍ଟେଲରେ ପ୍ରଶିକ୍ଷଣ ନେଉଥିବା ଅନେକ ଖେଳାଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିସହ ଓଡ଼ିଶା ପୋଲିସ, ଡାକସେବା, ବିଏସ୍ଏନ୍ଏଲ୍ ଓ କିଟ୍ ବିଶ୍ଵବିଦ୍ୟାଳୟର ପ୍ରତିଯୋଗୀମାନେ ମଧ୍ୟ ଏହି କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିଲେ।

Tags: #OdishaSeniorAthleticsChampionship #Athletics #Sports #Odisha

LEAVE A REPLY

Please enter your comment!
Please enter your name here